ମହିଳାଙ୍କୁ ଅର୍ଡର ବାତିଲ କରିବା ମହଙ୍ଗା ପଡ଼ିଲା, ଘରକୁ ଆସି ନାକ ଫଟାଇଦେଲେ ଜୋମାଟୋ ଡେଲିଭରୀ ବଏ

ବେଙ୍ଗଲୁରୁ: ଅର୍ଡର ବାତିଲ କରିବାରୁ ଘରକୁ ଆସି ମହିଳାଙ୍କୁ ମାଡ଼ ମାରିଲେ ଜୋମାଟୋ ଡେଲିଭରୀ ବଏ। ଅର୍ଡର ଡେଲିଭର କରିବାକୁ ବିଳମ୍ବ ହେଉଥିବାରୁ ମହିଳାଜଣକ ଜୋମାଟୋ କଷ୍ଟମର କେୟାରକୁ ଫୋନ କରି ବହୁତ ବିଳମ୍ବ ହେଲାଣି, ଅର୍ଡର ବାତିଲ କରିଦିଅନ୍ତୁ ବୋଲି କହିଥିଲେ। ଏମଧ୍ୟରେ ଡେଲିଭରୀ ବଏ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ନାକକୁ ଫଟାଇଦେଇଥିଲେ। ଘଟଣା ପରେ ମହିଳାଜଣକ ‌ପୂରା ଘଟଣା ବିଷୟରେ ଜଣାଇ ଏକ ଭିଡିଓ ଟୁଇଟ କରିବା ପରେ ଜୋ‌ମାଟୋ କ୍ଷମା ମାଗିବା ସହ ଘଟଣାର ପୁଲିସ ତଦନ୍ତ କରାଯିବ ବୋଲି କହିଥିବା ଜଣାପଡ଼ିଛି। ମହିଳାଙ୍କ ନାଁ ହିତେଶା ଚନ୍ଦ୍ରାଣି ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ରହୁଛନ୍ତି।

ହିତେଶା ସେୟାର କରିଥିବା ଭିଡିଓ ମୁତାବକ, ସେ ଦିନ ୩ଟା ୩୦ରେ ଜୋମାଟୋରୁ ଖାଇବା ଅର୍ଡର କରିଥିଲେ। କିନ୍ତୁ ୪ଟା ୩୦ପରେ ହୋଇଯାଇଥିଲେ ମଧ୍ୟ ଖାଦ୍ୟ ଡେଲିଭର ନହେବାରୁ ହିତେଶା ଜୋମାଟୋ କଷ୍ଟମର କେୟାରକୁ ଫୋନ କରି ନିଜ ସମସ୍ୟା ବିଷୟରେ ଜଣାଇଥିଲେ। ଅର୍ଡର ବାତିଲ କର ନହେଲେ ଡେଲିଭରୀ ଫି’ ଛାଡ଼ କର ବୋଲି ହିତେଶା ଜୋମାଟୋ କଷ୍ଟମର କେୟାରକୁ କହୁଥିବା ବେଳେ ଖାଦ୍ୟ ଡେଲିଭର କରିବାକୁ ଆସିଥିବା ଡେଲିଭରୀ ବଏ ଆସି ହିତେଶାଙ୍କ ଘର ଆଗରେ ପହଞ୍ଚିଥିଲା। ଫୋନରେ କଥା ହେଉଥିବାରୁ ହିତେଶା ଡେଲିଭରୀ ବଏକୁ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ଅପେକ୍ଷା କରିବା ପରିବର୍ତ୍ତେ ଡେଲିଭରୀ ବଏ ‘ମୁଁ କ’ଣ ତୁମ ଚାକର ଯେ ମୁଁ ଅପେକ୍ଷା କରିବି’ ବୋଲି କହିଥିଲା। ଏହା ପରେ ସେ ହିତେଶାଙ୍କ ଘର ଭିତରକୁ ପଶିଆସିବା ସହ ଟେବୁଲ ଉପରେ ଖାଇବା ରଖି ତାଙ୍କୁ ମାଡ଼ ମାରି ନାକ ଫଟାଇଦେଇଥିଲେ। ଏଭଳି କାଣ୍ଡ କରିବା ପରେ ଡେଲିଭରୀ ବଏ ‌ସଙ୍ଗେ ସଙ୍ଗେ ସେଠାରୁ ଚାଲିଯାଇଥିଲା।

ସମ୍ବନ୍ଧିତ ଖବର