ପ୍ରଥମ ପର୍ଯ୍ୟାୟ ଟିକେଟ୍ ପାଇଁ ଚାଲିଛି ମାନସ ମନ୍ଥନ: ନବୀନ ନିବାସରେ ଜାରି ରହିଛି ନେତାଙ୍କ ଭିଡ, ବଢ଼ିଛି ମହିଳା ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ବର: ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ବିଜୁ ଜନତା ଦଳର ଟିକେଟ ବଣ୍ଟା ପର୍ବ । ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ୪ଟି ଲୋକସଭା କ୍ଷେତ୍ର ଏବଂ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ କାହାକୁ ଟିକେଟ୍ ମିଳିବ ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଜାରି ରହିଛି ଟିକେଟ୍ କସରତ ।  ନବୀନ ନିବାସରେ ପହଞ୍ଚିଛନ୍ତି ଗଞ୍ଜାମର ହେଭିୱେଟ୍ ବିଜେଡି ନେତା । ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ବିକ୍ରମ ପଣ୍ଡା । ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଚନ୍ଦ୍ରଶେଖର ସାହୁ ମଧ୍ୟ ବର୍ତ୍ତମାନ ନବୀନ ନିବାସରେ ଉପସ୍ଥିତ ଅଛନ୍ତି । ନବୀନ ପଟ୍ଟନାୟକଙ୍କ ସହ ପ୍ରଥମ ପର୍ଯ୍ୟାୟ ଟିକେଟ୍ ପାଇଁ ଆଲୋଚନା ଚାଲିଥିବା ଜଣାପଡ଼ିଛି । ତେବେ କିଏ ପାଇବ ଟିକେଟ୍, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

File Photo

ଗତ  ଟିକେଟ୍ ପାଇଁ ତିନି ଦିନ ହେଲା ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ । ସୁପ୍ରିମୋଙ୍କ ପାଖରେ ନେତା କରୁଛନ୍ତି ଲବି । ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିବା ପରେ ମହିଳା ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶହ ଶହ ମହିଳା ପ୍ରାର୍ଥୀ ପହଞ୍ଚୁଛନ୍ତି  ଟିକେଟ୍ ଆଶା ନେଇ । କିଏ ହେବେ ବିଜେଡିର ୭ଜଣ ମହିଳା ପ୍ରାର୍ଥୀ, ଏନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବା ବେଳେ , ବଢି ଚାଲିଛି ଆଶାୟୀଙ୍କ ତାଲିକା ।

ନିର୍ବାଚନ ଯେତିକି ପାଖଉଛି, ଉତ୍କଣ୍ଠା ସେତେ ବଢି ବଢି ଚାଲିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରୁ ଆରମ୍ଭ ହୋଇଯିବ ପ୍ରାର୍ଥିପତ୍ର ଦାଖଲ ।  ଖୁବ ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର