ଧଉଳି କଳିଙ୍ଗଘାଟରେ ବୋଇତ ବନ୍ଦାଣ ଉତ୍ସବ ବଦଳରେ ହେବ କୋଭିଡ଼ ସଚେତନତା

ଧଉଳି :ଏବର୍ଷ ମହାମାରୀ କରୋନା କଟକଣା ଯୋଗୁ ଦୟାନଦୀର ଶାନ୍ତିସ୍ତୂପ ନିକଟ କଳିଙ୍ଗଘାଟରେ ବୋଇତବନ୍ଦାଣ ଉତ୍ସବ ନିରାଡମ୍ବର ଭାବେ ପାଳନ ହେବ ବୋଲି ଆୟୋଜକ ଅନୁଷ୍ଠାନ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ କୁହାଯାଇଛି । ଏବର୍ଷ ଆକର୍ଷଣୀୟ ବୋଇତବନ୍ଦାଣ ଉତ୍ସବ ପରିବର୍ତ୍ତେ ଜନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ସାମାଜିକ ଦୂରତା ରକ୍ଷା କରି ପରମ୍ପରା ଅନୁଯାୟୀ ବିଧି ରକ୍ଷା କରିବା ଲାଗି କମ ଲୋକରେ ଯଥାସମ୍ଭବ ବୋଇତବନ୍ଦାଣ କରାଯିବ ବୋଲି ପରିଷଦର ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ସଭାପତି ବିଷ୍ଣୁକାଳିଆ କହିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତବର୍ଷ କଳିଙ୍ଗ ଘାଟ ବୋଇତବନ୍ଦାଣ ଉତ୍ସବ ଖୁବ ଆକର୍ଷଣୀୟ ଭାବରେ କରାଯାଇଥାଏ । ଭଜନ ସମାରୋହ କରାଯିବା ସହ କଳା ଓ ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥାଏ । ଏବର୍ଷ କିନ୍ତୁ ଏସବୁ କାର୍ଯ୍ୟକ୍ରମ ବନ୍ଦ ରହିବ । ହେଲେ ମନୋରଂଜନ ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ କୋଭିଡ଼ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମବେତ ଲୋକମାନଙ୍କୁ ମାସ୍କ , ସାନିଟାଇଜର , ସାବୁନ ଆଦି ସାମଗ୍ରୀ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ନିର୍ଦ୍ଧାରିତ ସମୟରେ ବୋଇତ ଭସାଯିବ ବୋଲି ସୂଚନା ମିଳିଛି । ଅନୁରୂପ ଭାବେ ଦୟାବ୍ରିଜ ନିକଟ ଲିଙ୍ଗିପୁର ନିକଟରେ ଅନ୍ୟ ଏକ ଅନୁଷ୍ଠାନ ପକ୍ଷରୁ ବୋଇତବନ୍ଦାଣ କରାଯାଇଥାଏ ।

ସମ୍ବନ୍ଧିତ ଖବର