ପାକିସ୍ତାନ ସେନା ଜାଣିଶୁଣି ବେଲୁଚିସ୍ତାନର ସୁସ୍ଥ ଲୋକଙ୍କୁ କରୋନା ସଂକ୍ରମିତ କରୁଛି : ବେଲୋଚ ନେତାଙ୍କ ସାଂଘାତିକ ଅଭିଯୋଗ

କେ୍ୱଟା : ପାକିସ୍ତାନରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା ଭାଇରସ । ଏବେ ସୁଦ୍ଧା ଏହି ଦେଶରେ ପ୍ରାୟ ୧୪ଶହ ଜଣ ସଂକ୍ରମିତ ହୋଇସାରିଲେଣି ଓ ୧୧ ଜଣ ମୃତ୍ୟୁବରଣ କରିସାରିଲେଣି । ତେବେ ପାକିସ୍ତାନର ଅଶାନ୍ତ କ୍ଷେତ୍ର ବେଲୁଚିସ୍ତାନର ବିଦ୍ରୋହୀମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଅନୁସାରେ ପାକିସ୍ତାନ ସେନା ଜାଣିଶୁଣି ବେଲୁଚିସ୍ତାନ ଲୋକମାନଙ୍କୁ ସଂକ୍ରମିତ କରୁଛି ।

ବେଲୁଚିସ୍ତାନ ମୁକ୍ତି ସଂଗଠନର ଜଣେ ନେତା ଆଲ୍ଲା ନିଜାର ବେଲୋଚ୍ କହିଛନ୍ତି ଯେ ବେଲୁଚିସ୍ତାନ ଉପରେ ନିଜର ନିୟନ୍ତ୍ରଣକୁ ସୁଦୃଢ କରିବାକୁ ପାକିସ୍ତାନ ସେନା କରୋନା ଭାଇରସକୁ ବ୍ୟବହାର କରୁଛି । ସେ କହିଛନ୍ତି ଯେ ଏହି ଭାଇରସ ସଂକ୍ରମଣ ପାଇଁ ପାକିସ୍ତାନ ସେନା ସୁସ୍ଥ ଲୋକଙ୍କ ସହିତ ସଂକ୍ରମିତ ଲୋକଙ୍କୁ ରଖାଯାଉଛି । ଏହାଫଳରେ ସୁସ୍ଥ ଲୋକମାନେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମଣ କରୁଛନ୍ତି । ଇରାନ ସୀମାରେ ଥିବା ତାଫତାନ ସହରରେ ପାକିସ୍ତାନ ସେନା ପକ୍ଷରୁ କ୍ୟାମ୍ପ ନିର୍ମାଣ କରି ୪ ହଜାର ବେଲୁଚ ଲୋକଙ୍କୁ କ୍ୱାରାଣ୍ଟାଇନ କରି ରଖାଯାଇଛି । ଏମାନଙ୍କ ମଧ୍ୟରେ ୧୦୦ ଜଣ ସଂକ୍ରମିତ ଲୋକଙ୍କୁ ରଖାଯାଇଛି । ଏହା ଦ୍ୱାରା ସବୁ ଲୋକ ସଂକ୍ରମିତ ହୋଇଯାଇଛନ୍ତି । ବେଲୁଚିସ୍ତାନରେ ଜାଣିଣୁଣି ଲୋକଙ୍କୁ ସଂକ୍ରମିତ କରି ପାକିସ୍ତାନ ସେନା ଅତ୍ୟାଚାର ଚଳାଇଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ସତର୍କ କରାଇଦେଇଛନ୍ତି ଯେ ଯଦି ବେଲୁଚିସ୍ତାନରେ ଏହି ଭାଇରସ ବ୍ୟାପିଯାଏ, ତେବେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ । ବେଲୁଚିସ୍ତାନରେ ମୌଳିକ ସ୍ୱାସ୍ଥ୍ୟସେବାର ଅଭାବ ଥିବାରୁ ଭାଇରସ ବ୍ୟାପିଲେ ଅନେକ ଲୋକ ମୃତ୍ୟୁବରଣ କରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର