୨ ବର୍ଷରେ ୮, ୧୫୮ଟି ମିଥ୍ୟା ବିବୃତି ଦେଇଛନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଆମେରିକୀୟ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ୮, ୧୫୮ଟି ମିଥ୍ୟା ବିବୃତି ଦେଇଛନ୍ତି ବୋଲି ଗଣମାଧ୍ୟମ ଖବରରୁ ଜଣାପଡ଼ିଛି। ଜାନୁଆରି ୨୦, ରବିବାର ଦିନ ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ପୂରଣ ହେବା ଦ୍ୱିତୀୟ ବାର୍ଷିକ ଅବସରରେ ଏ ଭଳି ଖବର ଆସିଛି।

ପ୍ରଥମ ବର୍ଷ ସେ ଦୈନିକ ୫. ୯ଟି ମିଥ୍ୟା ଅଥବା ବିଭ୍ରାନ୍ତିକର ବିବୃତି ଉତ୍ଥାପନ କରିଥିଲେ। କିନ୍ତୁ ଦ୍ୱିତୀୟ ବର୍ଷ ସେ ଦୈନିକ ୧୬. ୫ଟି ବା ପ୍ରଥମ ବର୍ଷର ପ୍ରାୟ ୩ଗୁଣ ଏ ଭଳି ବିବୃତି ଦେଇଛନ୍ତି ବୋଲି ‘ଦି ଫ୍ୟାକ୍ଟ୍‌ ଚେକର୍ସ ଡାଟାବେସ୍‌’ରୁ ତଥ୍ୟ ଉଦ୍ଧାର କରି ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’କହିଛି। ରାଷ୍ଟ୍ରପତି ଦେଉଥିବା ପ୍ରତ୍ୟେକ ସନ୍ଦେହଜନକ ବିବୃତିକୁ ‘ଦି ଫ୍ୟାକ୍ଟ୍‌ ଚେକର୍ସ’ ଅନୁଶୀଳନ, ବର୍ଗୀକରଣ କରିବା ସହ ସେଗୁଡ଼ିକ ଉପରେ ନଜର ରଖିଥାଏ।
ରାଷ୍ଟ୍ରପତିତ୍ୱର ଦ୍ୱିତୀୟ ବର୍ଷରେ ରାଷ୍ଟ୍ରପତି ୬୦୦୦ ରୁ ଊର୍ଦ୍ଧ୍ୱ ଏ ଭଳି ଚମକପ୍ରଦ ବିବୃତି ଦେଇଛନ୍ତି। ରାଷ୍ଟ୍ରପତିତ୍ୱର ପ୍ରଥମ ୧୦୦ ଦିନରେ ସେ ୪୯୨ଟି ଅସମର୍ଥିତ ବିବୃତି ଦେଇଥିଲେ।

୨୦୧୯ର ପ୍ରଥମ ତିନି ସପ୍ତାହରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଏ ଭଳି ବିବୃତି ସଂଖ୍ୟା ଶୀର୍ଷରେ ପହଞ୍ଚିଛି। ଏହି ତିନି ସପ୍ତାହରେ ସେ ୩୦୦ ଏ ଭଳି ବିଭ୍ରାନ୍ତିକର ବିବୃତି ଉଥ୍ଥାପନ କରିଛନ୍ତି।

ବୈଦେଶିକ ନୀତି ସଂକ୍ରାନ୍ତରେ ୯୦୦, ବାଣିଜ୍ୟରେ ୮୮୫, ଅର୍ଥନୀତିରେ ୭୯୦ ଏବଂ ଚାକିରି ସଂକ୍ରାନ୍ତରେ ୭୫୫ଟି ବିଭ୍ରାନ୍ତିକର ବିବୃତି ଦେଇଛନ୍ତି ଟ୍ରମ୍ପ୍‌। ଏହା ବ୍ୟତିରେକେ ବିବିଧ ବର୍ଗରେ ୮୯୯ଟି ମିଥ୍ୟା ବିବୃତି ମଧ୍ୟ ଦେଇଛନ୍ତି।

ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱର ଦୁଇ ବର୍ଷ ମଧ୍ୟରୁ କେବଳ ୮୨ ଦିନ ସେ କୌଣସି ବିବୃତି ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର