କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ୨୦୦ ମିଲି ସାନିଟାଇଜରର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଆଉ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସାନିଟାଇଜର ଓ ଫେସ ମାସ୍କର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି ।
ଏକ ୨୦୦ ମିଲି ସାନିଟାଇଜର ବୋତଲର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ଥ୍ରୀପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ ଓ ଟୁ-ପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୮ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହୋଇଛି ।
ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଲୋକମାନଙ୍କୁ ହାତଧୋଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହାଫଳରେ ବଜାରରେ ହଠାତ ସାନିଟାଇଜର ଓ ଫେସ ମାସ୍କର ଚାହିଦା ଅସମ୍ଭବ ଭାବେ ବଢିଯାଇଛି । ଏପରିକି ବହାରରୁ ହାଣ୍ଡ ସାନିଟାଇଜର ଗୁଡ଼ିକ ଉଭାନ ହୋଇଯାଇଛି । ଅସାଧୁ ବ୍ୟବସାୟୀମାନେ ଲାଭ କରିବା ଉଦ୍ଦେଶ୍ୟରେ ଏସବୁକୁ ଜମା କରି ଚଢା ଦାମରେ ବିକ୍ରି କରୁଥିବା ସଂଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏସବୁ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧିତ ଖବର