ପିକ୍‌ଅପ୍‌ ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ: ଥାନା ଆଗରେ ଶବ ରଖି ଧାରଣା

ଚାଳକକୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି

ଟିଟିଲାଗଡ଼: ଟିଟିଲାଗଡ଼ ସହର ନିକଟ ତୁଲାଙ୍ଗଠାରେ ରବିବାର ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଆହତ ହୋଇଥିବା ‌କୈଳାସ ବାଗ (୩୨ବର୍ଷ)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ମୃତକଙ୍କ ଗାଁ ପୁଡ଼ାପଦରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ କୈଳାସଙ୍କ ଶବକୁ ଟିଟିଲାଗଡ଼ ଥାନା ସମ୍ମୁଖରେ ରଖି ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହା ସହିତ ଗାଡ଼ି ମାଲିକ ରଂଜିତ ସାହୁ ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଚାଳକକୁ ଗିରଫ କରିବାକୁ ମଧ୍ୟ ଦାବି କରିଥିଲେ। ବହୁ ସମୟ ଧରି ଥାନା ଆଗରେ ଧାରଣା ଦେବା ପରେ ପ୍ରଶାସନ ପକ୍ଷରୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଦିଆଯିବା ସହ ଗାଡ଼ି ମାଲିକ ଓ ଚାଳକଙ୍କୁ ଗିରଫ କରାଯିବ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ସେମାନେ ଧାରଣାରୁ ଉଠିଥିଲେ।
ସୂଚନାଯୋଗ୍ୟ ଯେ, ରବିବାର କୈଳାସ ତାଙ୍କ ଦୁଇ ପୁଅ ଅମନ ଓ ଉଦୟଙ୍କୁ ବାଇକ୍‌ରେ ବସାଇ ପ୍ରହରୀ ନାଚିବାକୁ ଶିକେର ଗ୍ରାମକୁ ଯାଉଥିଲେ। ତୁଲାଙ୍ଗ ରଳ ଅଣ୍ଡରବ୍ରିଜ୍‌ଠାରେ ପିକ୍‌ଅପ୍ ଭ୍ୟାନ (ଓଡି ୦୩ ପି ୨୨୧୭) ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ତିନିଜଣ ଯାକ ଆହତ ହୋଇଥିଲେ। ସଂକଟାପନ୍ନ ଥିବା କୈଳାସଙ୍କ ଡାକ୍ତରଖାନା‌ରେ ମୃତ୍ୟୁ ଘଟିଥିଲା। ମୃତ କୈଳାସ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ପରିବାରରେ ଏବେ ଦୁଇ ଶିଶୁ, ବୃଦ୍ଧା ବିଧବା ମା’, ସ୍ତ୍ରୀ  ଓ ଦିବ୍ୟାଙ୍ଗ ବଡ଼ଭାଇ ଅଛନ୍ତି। କୈଳାସଙ୍କ ମୃତ୍ୟୁ ପରେ ସମସ୍ତେ ବେସାହାରା ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର