ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଥିବା ବେଳେ ଆଜିଠାରୁ ଦଳର ପ୍ରଚାର ପାଇଁ ର୍ନିବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ଦଳର ମୁଖିଆ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ପୁରୀ ଲୋକସଭା ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ତେବେ ପ୍ରଚାର ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ସୁପ୍ରିମୋ କହିଛନ୍ତି କି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଆମେ ଲଢେଇ ଜାରି ରଖିଛୁ। ବିଜେପି ଇସ୍ତାହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେନ୍ଦ୍ରରେ ସରକାର ଗଢିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ। ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ନବୀନ କହିଛନ୍ତି, ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ। କାହିଁକି ନା ରାଜ୍ୟ ବିଜେପିର ରିମୋଟ୍ ରହିଛି କେନ୍ଦ୍ର ପାଖରେ। କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ। ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି। ଏହା ସହ ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି।
ନବୀନ ଆହୁରୀ ମଧ୍ୟ କହିଛନ୍ତି, ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ। ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ନବୀନ। ସେହିପରି କାଳିଆ ଯୋଜନା କଥା ଉଠାଇ କେନ୍ଦ୍ରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର ୨୦୧୯ ଲୋକସଭା ନିର୍ବାଚନରେ ବିଜେଡ଼ି ରାଜ୍ୟରେ ‘କ୍ଲିନ୍ ସୁଇପ୍’ କରିବା ସହ ୨୧ରୁ ୨୧ ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ବିଜୟ ଲାଭ କରିବେ ବୋଲି ପ୍ରଚାର ମୈଦାନରେ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ।