ପୋଡ଼ା ଭାଗ୍ୟର ଗାଁ ‘ପୋଡ଼ା ଉଆସ’

କେନ୍ଦୁଝର( ସୁବ୍ରତ ସ୍ବାଇଁ): ପୋଡ଼ା ଭାଗ୍ୟର ଗାଁ ହେଉଛି ପୋଡ଼ା ଉଆସ। କେନ୍ଦୁଝରଗଡ଼ ପୌର ପରିଷଦ ଅଧୀନସ୍ଥ ୧ ନମ୍ବର ୱାର୍ଡରେ ଆସୁଥିବ‌ା ଏହି ଗାଁର କାହାରି ମୁଣ୍ଡ ଉପରେ ନାହିଁ ଛାତ ଘର। ଛୁଆଙ୍କ ପଢ଼ିବା ପାଇଁ ବିଦ୍ୟାଳୟ ନାହିଁ କି ଅଙ୍ଗନୱାଡି ବି ନାହିଁ। କେବଳ ଭାଗ୍ୟକୁ ଆଦରି ରହିଛନ୍ତି ଏହି ଗାଁର ବାସିନ୍ଦା।

କେନ୍ଦୁଝର ସହର ମଧ୍ୟସ୍ଥଳୀରୁ ମାତ୍ର ୧୫ ମିନିଟ୍‌ ରାସ୍ତା ଅତିକ୍ରମ କଲେ ପଡେ ସିଦ୍ଧମଠ। ଏହି ସିଦ୍ଧମଠ ଜଙ୍ଗଲ ମଧ୍ୟରେ ରହିଛି ‌ଛୋଟିଆ ଗାଁ ପୋଡ଼ା ଉଆସ। ଏହି ଗାଁର ସ୍ଥିତି ପରଖିବା ପାଇଁ ‘ସମ୍ବାଦ’ ଟିମ୍‌ ଗତକାଲି ଅପରାହ୍ଣରେ ସେଠାରେ ପହଞ୍ଚିଥିଲା। ପୁରୁଣ ବଜାର ଦେଇ ସିଦ୍ଧମଠର ଜଗନ୍ନାଥ ମନ୍ଦିର ଅତିକ୍ରମ କରିବା ପରେ ପଡେ ସିଦ୍ଧମଠ ଜଙ୍ଗଲ। ଏହି ଜଙ୍ଗଲ ମଝିରେ ପଡିଲା ପୋଡା ଉଆସ ଗାଁ। ଏହି ପୋଡା ଉଆସ ଗାଁରେ ପହଞ୍ଚିବା ବେଳକୁ ସମୟ ଅପରାହ୍‌ଣ ୩ଟା। ଏହି ସମୟରେ ଗାଁର କିଛି ପୁରୁଷ ମହିଳା ଗାଁ ମୁଣ୍ଡ ଅମ୍ବଗଛ ମୂଳେ ମଧ୍ୟାହ୍ନ ଭୋଜନ ସାରି ବିଶ୍ରାମ ନେଉଥିଲେ। ‘ସମ୍ବାଦ’ ଟିମ୍‌କୁ ଦେଖି କିଛି ନୂଆ ସମ୍ଭାବନା ଥିବା ଅନୁମାନ କରି ଏହି ଗାଁର ପୁରୁଷ ମହିଳାଙ୍କ ଆଖି ଝଲସି ଉଠିଲା। ଆମେ ମଧ୍ୟ ସେହି ଆମ୍ବଗଛ ମୂଳେ କିଛି ସମୟ ବସିଗଲୁ। ସେଠାରେ ପ୍ରଥମ ଆଲୋଚନା ଥିଲା ବାସଗୃହ ସଂପର୍କରେ।

ପ୍ରାୟ ୧୫ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ଏହି ଗାଁରେ କାହାରିକୁ ଆବାସ ଯୋଜନାରେ ବାସଗୃହ ମିଳିନାହିଁ। ଏହି ଗାଁର ଗୋପ ନାଏକ, ସନାତନ ନାଏକ, କନକ ନାଏକ, ସମ୍ବାରୁ ନାଏକ, ଧନେଶ୍ବର ନାଏକ, ବିନୋଦ ନାଏକ, ଡାକ୍ତର ନାଏକ, ମାଳତୀ ନାଏକ, କୁନା ନାଏକ, ପ୍ରାଣ ବଲ୍ଲଭ ପାତ୍ର, କ୍ଷୀର ନାଏକ, ବାବନ ନାଏକ, ମଧୁ ନାଏକ, ଗୁର ନାଏକ, ବୁଲୁ ନାଏକଙ୍କ ଭଳି ପରିବାର ମୁଣ୍ଡରେ ଆଜି ଯାଏ ଖଣ୍ଡେ ଛାତ ନାହିଁ। ଏମାନେ ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିବାରୁ ସେମାନେ ଜଙ୍ଗଲ ଜମିରେ ରହି ଆସୁଛନ୍ତି। ସରକାର ପରେ ସରକାର ବଦଳୁଛି, ବାରମ୍ବାର ଭୋଟ ବେଳେ ଭୋଟ ପାଇଁ ନେତା ଯାଉଛନ୍ତି, ମାତ୍ର ସେମାନଙ୍କୁ ଘରବାଡି ପଟ୍ଟା ଖଣ୍ଡେ ଆଜିଯାଏ ମିଳି ପାରୁନହିଁ। ଯେଉଁଥି ପାଇଁ ଆବାସ ଯୋଜନା ମଧ୍ୟ ଏହି ଲୋକଙ୍କ ପାଖରେ ବାଟ ହୁଡ଼ିଛି।

ତେବେ ଏହି ବାସଗୃହ ସଂପର୍କରେ କଥା ‌ହେଉ ‌ହେଉ ଗାଁର ଗୋପ ନାଏକ ଆମକୁ ପୌର ପରିଷଦ ପକ୍ଷରୁ ହୋଇଥିବା ଗୋଷ୍ଠୀ ଶୌଚାଳୟ ପର୍ଯ୍ୟନ୍ତ ବାଟକଢ଼େଇ ନେଇଗଲେ। ଏହି ଗୋଷ୍ଠୀ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ତେବେ ଗୋପ ନାଏକଙ୍କ କହିବା କଥା ହେଉଛି, ଏହି ଶୌଚାଳୟ ଛାତ ଉପରେ ଯେଉଁ ପାଣି ଟାଙ୍କିଟି ଅଛି, ସେଠାକୁ ପାଣି ଉଠୁ ନାହିଁ। ଯେଉଁଥି ପାଇଁ ଏଠାକୁ ଲୋକେ ନିତ୍ୟକର୍ମ କରିବାକୁ ଆସୁ ନାହାନ୍ତି।

ତେବେ ଏହି ଶୌଚାଳୟର ବିଜୁଳି ବ୍ୟବସ୍ଥା ଥିବା ସତ୍ତ୍ବେ ବଲବ୍‌ ନାହିଁ। ଯେଉଁଥିପାଇଁ ରାତି ହେଲେ ଶୌଚାଳୟ ଅନ୍ଧାର ହୋଇ ପଡ଼ୁଛି। କେହି ଚାହିଁଲେ ବି ଯାଇ ପାରୁନାହାନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ଗୋପ ନାଏକ। ଶୌଚାଳୟ ପାଖରୁ ଆସିବା ବେଳେ ଆମର ବାଟ ଓଗାଳିଲେ ଗାଁର ଆଉ ଜଣେ ମହିଳା କନକ ନାଏକ। ତାଙ୍କ ପାଖରେ ଏକ ସଂଗିନ ଅଭିଯୋଗ ଥିଲା। ଗାଁର କୌଣସି ଛୋଟ ପିଲା କିଭଳି ବିଦ୍ୟାଳୟକୁ ଯାଇ ପାରୁ ନାହାନ୍ତି ସେ ସଂପର୍କରେ ବଖାଣି ବସିଲେ କନକ।

କନକ ନାଏକଙ୍କ କହିବା ଅନୁସାରେ, ଆମେ ଆମ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଚାହୁଁଛୁ। ମାତ୍ର ସୁବିଧା ନାହିଁ। ଛୋଟ ‌ଛୋଟ ପିଲାମାନଙ୍କ ପାଇଁ ଗାଁ ଠାରୁ ଦୁଇ କିଲୋମିଟର ଦୂର ପୁରୁଣା ବଜାର ସମାଧି ସାହିରେ ରହିଛି ଅଙ୍ଗନବାଡି । ମାତ୍ର ଛୋଟ ପିଲାମାନେ ଜଙ୍ଗଲ ରାସ୍ତା ଅତିକ୍ରମ କରିବା ସହିତ ଜାତୀୟ ରାଜପଥ ଅତିକ୍ରମ କରି ଏହି ଅଙ୍ଗନବାଡିକୁ ଯିବା ସମ୍ଭବ ନୁହେଁ। ସେମିତି ଗାଁରେ ଯଦି ଏକ ବିଦ୍ୟାଳୟ ହୋଇ ପାରନ୍ତା, ତେବେ ପିଲାମା‌ନେ ପାଠ ପଢ଼ି ପାରନ୍ତେ। ମାତ୍ର ତାହା ହେଉ ନ ଥିବାରୁ ପିଲାମାନଙ୍କ ପାଠପଢ଼ା ସଂପୂର୍ଣ୍ଣ ଠପ୍‌। ଯେଉଁଥି ପାଇଁ ଆଜିଯାଏ ଏହି ଗାଁର କେହି ଜଣେ ବି ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିପାରି ନାହାନ୍ତି।

ଏହି ଆଲୋଚନା ମଧ୍ୟରେ ଭେଟ ହେଲେ ଗାଁର ଧନେଶ୍ବର ନାଏକ। ଗାଁର ପ୍ରଥମ ଘର ହେଉଛି ଧନେଶ୍ବରଙ୍କର। ସେ ତାଙ୍କ ଘର ପାଖକୁ ନେଇଗଲେ । ସେଠାରେ ସେ ଯାହା ଦେଖାଇଲେ ତାହା ବିସ୍ମିତ କଲା ଭଳି ଥିଲା। କେବଳ ଖଣ୍ଡିଆ ପାଲରେ ତାଙ୍କର ଘର ତିଆର କରିଛନ୍ତି। ଦିନ ତମାମ ଜଙ୍ଗଲରୁ କାଠ ସଂଗ୍ରହ କରି ବଜାରରେ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ଧ‌ନେଶ୍ବର କିଭଳି ଘରଟିଏ ପାଇବେ, ସରକାରଙ୍କୁ ଜଣାଇବାକୁ ଆମକୁ ଅନୁରୋଧ କଲେ। କହିଲେ, କାଟି କୁଠା ବିକ୍ରି କରି ଯାହା ରୋଜଗାର ହେଉଛି, ତାହା କେବଳ ପେଟ ଚାଖଣ୍ଡେ ପାଇଁ ଚଳିବ। ମାତ୍ର ଘର ତିଆରି ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେରୁ ଘର ଖଣ୍ଡେ ମିଳିଗଲେ, ଜଙ୍ଗଲ ଭିତରେ ବର୍ଷା, ପବନରୁ ରକ୍ଷା ପାଇପାରନ୍ତେ ବୋଲି କହିଥିଲେ ଧନେଶ୍ବର।

ଏହି ପୋଡା ଉଆସ ଗାଁ ବୁଲୁ ବୁଲୁ ସନ୍ଧ୍ୟା ପ୍ରାୟ ୫ଟା ହୋଇ ଯାଇଥିଲା। ପୁଳାପୁଳା ଅଭିଯୋଗ ଧରି ଫେରିବା ବେଳେ ମନେ ହେଉଥିଲା ପ୍ରଶାସନର ଫନ୍ଦିଫିକର ମଧ୍ୟରେ ଏହି ପୋଡା ଉଆସର ଭାଗ୍ୟ ସତେ ଯେମିତି ପୋଡ଼ି ଯାଇଛି।

ସମ୍ବନ୍ଧିତ ଖବର