‘ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ, ଯାହା କହିବି ଓଡ଼ିଆରେ କହିବି’: ବିଜେଡ଼ି ଟିକେଟ୍ ପାଇବା ପରେ ଏମିତି କହିଲେ ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳାଦେବୀ
ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଇତି ମଧ୍ୟରେ ନିର୍ବାଚନ ପାଇଁ ବିଜୁ ଜନତା ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଦ୍ୱିତୀୟ ଥର ପାଇଁ ଘୋଷଣା ହୋଇଥିବା ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟାରେ ୩ ଜଣ ମହିଳା ରହିଛନ୍ତି। ଏହି ମହିଳାମାନଙ୍କ ମଧ୍ୟରୁ ଆସ୍କାର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମିଳା ବିଶୋଇଙ୍କୁ ଟିକେଟ୍ ଦେବା ଘଟଣା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ପାଲଟିଛି। ଲୋକସଭା ପ୍ରାର୍ଥୀଭାବେ ପ୍ରମିଳା ଟିକେଟ୍ ପାଇବା ପରେ କନକ ନ୍ୟୁଜ୍ ପକ୍ଷରୁ ତାଙ୍କର ଏକ ସାକ୍ଷାତ୍କାର ନିଆଯାଇଛି। ତେବେ, ଚାଲନ୍ତୁ ଜାଣିବା ଟିକେଟ୍ ପାଇବା ପରେ କ’ଣ କୁହନ୍ତି ପ୍ରମିଳା ଦେବୀ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶ୍ନ: ଆପଣଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ୍ ମିଳିଛି। ଏହି ନିଷ୍ପତ୍ତିକୁ ଆପଣ କିପରି ଦୃଷ୍ଟିରେ ଦେଖୁଛନ୍ତି?
ଉତ୍ତର: ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ। ମହିଳା ଶକ୍ତି ପାଇଁ ଅନେକ କାର୍ଯ୍ୟକ୍ରମ କରିଥିବାରୁ ନବୀନବାବୁଙ୍କୁ ଧନ୍ୟବାଦ। ସେ ଓଡ଼ିଶା ଲୋକଙ୍କ ପାଇଁ ବହୁତ କିଛି କରଛନ୍ତି। ତାଙ୍କୁ ପାଇଁ ମୁଁ ଆଜି ଏଠି ପହଞ୍ଚି ପାରିଛି।
ପ୍ରଶ୍ନ: ଆପଣଙ୍କ ବୟସ କେତେ?
ଉତ୍ତର: ମୋ ବୟସ ୭୦ ବର୍ଷ।
ପ୍ରଶ୍ନ: ୭୦ ବର୍ଷ ବର୍ୟସରେ ଅପଣ ନିର୍ବାଚନ ମୈଦାନକୁ ଓହ୍ଲାଇଲେ, ଆପଣଙ୍କୁ କଷ୍ଟ ହେବନି?
ଉତ୍ତର: ନାଇଁ ମୋତେ କିଛି କଷ୍ଟ ଲାଗୁନି। ଯେବେ ପର୍ଯ୍ୟନ୍ତ ଗୋଡ଼ ହାତ ଚଳିବ, ସେବେ ପର୍ଯ୍ୟନ୍ତ ସମାଜ ସେବା ଚାଲିବ।
ପ୍ରଶ୍ନ: ଯଦି ନିର୍ବାଚନ ଜିତନ୍ତି ତେବେ ଆପଣଙ୍କୁ ଓଡ଼ିଶାକୁ ନେଇ ଦିଲ୍ଲୀରେ ଉପସ୍ଥାପନା କରିବାକୁ ପଡ଼ିବ। ହିନ୍ଦୀ,ଇଂରାଜୀରେ କହିବାକୁ ପଡ଼ିବ। ଆପଣ ଏସବୁ କରିପାରିବେ?
ଉତ୍ତର: ମୁଁ ହିନ୍ଦୀ, ଇଂରାଜୀ ଜାଣେ ନାହିଁ। ଓଡ଼ିଆରେ ସବୁ କହିବି।
ପ୍ରଶ୍ନ: ଏସବୁ ଆପଣଙ୍କ ପାଇଁ କିଛି ଅସୁବିଧା ହେବ କି?
ଉତ୍ତର: ଯେପର୍ଯ୍ୟନ୍ତ ଈଶ୍ୱର ଅଛନ୍ତି, ନବୀନବାବୁ ଅଛନ୍ତି ମୋର କିଛି ଅସୁବିଧା ହେବ ନାହିଁ।
ପ୍ରଶ୍ନ: ଆସ୍କାରୁ ଅନେକ ପ୍ରାର୍ଥୀଙ୍କ ନାଁ ଚର୍ଚ୍ଚା ହେଉଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଆପଣଙ୍କୁ କାହିଁକି ଚୟନ କଲେ?
ଉତ୍ତର: ମୁଁ ସବୁବେଳେ ତାଙ୍କ ସେବାରେ ଥାଏ। ଭୋଟ ସମୟରେ ଗାଁ ଗାଁ ବୁଲି ମାଆମାନଙ୍କୁ ତାଙ୍କ ସପକ୍ଷରେ କହେ। ସେ ମୋତେ ଭଲ ଭାବେ ଜାଣନ୍ତି।
ପ୍ରଶ୍ନ: ମିସନ ଶକ୍ତିରେ ଆପଣ କରିଥିବା କେଉଁ କାମ ଦଳର ସୁପ୍ରିମୋ ନବୀନବାବୁଙ୍କୁ ପ୍ରଭାବ ପକାଇଲା?
ଉତ୍ତର: ମାଆମାନଙ୍କୁ ଏକତା କରାଇ ମୁଁ ଆଗକୁ ବଢ଼ିବାକୁ ସଦା ପ୍ରେରଣା ଦିଏ।
ପ୍ରଶ୍ନ: ମିସନ ଶକ୍ତି ପ୍ରଂସଗ ନେଇ ଆପଣ ସାଂସଦରେ ଉପସ୍ଥାପନ କରିପାରିବେ?
ଉତ୍ତର: ମୁଁ ସବୁକିଛି କରିପାରିବି।
ପ୍ରଶ୍ନ: ଆପଣଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ବାଛିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆପଣ କ’ଣ କହିବେ?
ଉତ୍ତର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। ଆମ ପାଇଁ ଲଢୁଥିବାରୁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
ପ୍ରଶ୍ନ: ନିର୍ବାଚନ ପ୍ରଚାରରେ କ’ଣ କହି ଓ କେମିତି ଭୋଟ ମାଗିବେ?
ଉତ୍ତର: ମୁଁ କହିବି ଦେଖନ୍ତୁ, ନବୀନବାବୁ ଆମର ସବୁ କଥା ବୁଝିଲେ। ଆମର ଓ ଆମ ପିଲାଛୁଆଙ୍କ ଯତ୍ନ ନେଲେ। ଏବେ ଆମର କାମ ହେଉଛି ନବୀନବାବୁଙ୍କୁ ଭୋଟ ଦେଇ ଆଗକୁ ନେବା।