କାହିଁକି ଖୋଲାଯିବ ମଦଦୋକାନ ?

ଚିତ୍ତରଞ୍ଜନ ଚିରଞ୍ଜିତ

ଏହା ଏମିତି ଏକ ସମୟରେ ଲେଖାଯାଉଛି, ଯେତେବେଳେ ସମାନ ପ୍ରସଙ୍ଗରେ ଦୁଇଟି ବିପରୀତ ଘଟଣା ଘଟୁଛି। ୨୦୧୯ ମସିହାର ଶେଷଦିନ କଥା ଇଏ। ବର୍ଷ ଶେଷକୁ ବିଦାୟ ସହିତ ୨୦୨୦କୁ ସ୍ବାଗତ୍‌ କରିବା ପାଇଁ ସମସ୍ତେ ମାନସିକ ସ୍ତରରେ ପ୍ରସ୍ତୁତ ପ୍ରାୟ। ଠିକ୍‌ ସେତିକି ବେଳେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରୁଛନ୍ତି, ‘ଜିରୋନାଇଟ୍‌’ ସେଲିବ୍ରେସନ୍‌ ପାଇଁ ରାତି ୧ଟା ପର୍ଯ୍ୟନ୍ତ ବାର୍‌ ଓ ଠିପିଖୋଲା ମଦଦୋକାନ ଖୋଲାରହିବ। ଠିକ୍‌ ସେହିଦିନ ଖୋର୍ଦ୍ଧା ଜିଲ୍ଲାର ସୋରଣବରଡ଼ି ଗାଁରେ ଆଉ ଏକ ବିପରୀତ ଘଟଣା ଘଟୁଛି। ଭୋଜି ସମୟରେ ବିଷାକ୍ତ ମଦ ପିଇ ଗୁରୁତର ଅସୁସ୍ଥ ହେବାବସ୍ଥାରେ ୫ ଜଣ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏହି ଦୁଇଟି ଘଟଣାକୁ ବିଶ୍ଲେଷଣ କଲାପରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ୍‌ ନା ମଦ ପିଇବା ଭୁଲ୍‌?

ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, ରାଜସ୍ୱ ଅଭାବ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଗତ ଜୁନ୍‌ ମାସ ୨୮ ତାରିଖରେ ଆଗତ ବଜେଟ୍‌ରୁ ଏକ ଚିତ୍ର ମିଳିଥିଲା। ଆକଳନ ହେଉଛି, ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ବେଳକୁ ରାଜ୍ୟର ମୋଟ୍ ଋଣ ପରିମାଣ ୧ଲକ୍ଷ ୬ ହଜାର କୋଟି ହୋଇପାରେ। ଆଉ ଏକ ଚିତ୍ର ହେଉଛି, ରାଜ୍ୟ ସରକାରଙ୍କ ବାର୍ଷିକ ଆୟ ୪୫ ହଜାର କୋଟି ଟଙ୍କା ହୋଇଥିବାବେଳେ ବଜେଟ୍‌ରେ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟବବରାଦ କରାଯାଇଛି। ନିଅଣ୍ଟିଆ ଅର୍ଥକୁ ବିଭିନ୍ନ କ୍ଷେତ୍ରରୁ ଭରଣା କରିବା ହିଁ ରାଜ୍ୟ ସରକାରଙ୍କ ନିକଟରେ ଗୋଟିଏ ବାଟ ରାଜସ୍ବ ଆୟ । ଏବଂ, ଏ କ୍ଷେତ୍ରରେ ଅବକାରୀ କ୍ଷେତ୍ରର କିଭଳି ଭୂମିକା ରହିଥାଏ, ବେଶ୍‌ ସମସ୍ତଙ୍କୁ ଜଣା। ରାଜ୍ୟ ସରକାରଙ୍କ ଅବକାରୀ ଲକ୍ଷ୍ୟଧାର୍ଯ୍ୟରୁ ବି ଏହା ସୁସ୍ପଷ୍ଟ। ୨୦୦୦ରୁ ଶାସନ ଭାର ଗ୍ରହଣ କରିଥିବା ଏହି ସରକାର ପାଇଁ ୨୦୦୦-୦୧ ଆର୍ଥିକବର୍ଷରେ ଅବକାରୀ ରାଜସ୍ବ ଆୟର ଲକ୍ଷ୍ୟ ଥିଲା ୧୭୦ କୋଟି। କିନ୍ତୁ, ୧୯୭.୩୫ କୋଟି ଟଙ୍କା ଆୟ ହୋଇଥିଲା। ଅର୍ଥାତ୍‌ ସେହି ବର୍ଷରେ ରାଜସ୍ବ ଆୟର ପରିମାଣରେ ୧୭.୮୮% ବୃଦ୍ଧି ହୋଇଥିଲା। କେବଳ ସେହିବର୍ଷ ନୁହେଁ ସରକାରଙ୍କ ଅବକାରୀ ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ତୁଳନାରେ ପ୍ରକୃତ ଆୟ ଯେ ଢେର୍‌ ଅଧିକ, ୧୯ ବର୍ଷର ଚିତ୍ରରୁ ଜଣାପଡ଼େ।

ଯେମିତିକି, ୨୦୦୧-୦୨ ଆର୍ଥିକବର୍ଷରେ ଅବକାରୀ ରାଜସ୍ବ ଆୟରେ ୪୫.୮୧% ବୃଦ୍ଧି ଘଟିଥିଲା। ସେହିଭଳି, ୨୦୦୨-୦୩ ଆର୍ଥିକବର୍ଷରେ ୨୪.୬୮%, ୨୦୦୩-୦୪ ଆର୍ଥିକବର୍ଷରେ ୪.୩୨%, ୨୦୦୪-୦୫ରେ ୧୯.୪୫%, ୨୦୦୫-୦୬ରେ ୨୬.୯୪%, ୨୦୦୬-୦୭ରେ ୧୦.୫୧%, ୨୦୦୭-୦୮ରେ ୨୨.୦୧%, ୨୦୦୮-୦୯ରେ ୨୫.୭୬%, ୨୦୦୯-୧୦ରେ ୨୮.୬୨%, ୨୦୧୦-୧୧ରେ ୨୮.୯୦%, ୨୦୧୧-୧୨ରେ ୨୬.୦୯%, ୨୦୧୨-୧୩ରେ ୮.୬୯%, ୨୦୧୩-୧୪ରେ ୧୮.୬୯%, ୨୦୧୪-୧୫ରେ ୧୪.୪୬%, ୨୦୧୫-୧୬ରେ ୨୫.୯୯%, ୨୦୧୬-୧୭ରେ ୮.୪୭%, ୧୯୧୭-୧୮ରେ ୧୫.୬୦%, ୨୦୧୮-୧୯ରେ ୨୧.୮୭% ରାଜସ୍ବ ଆୟ ବୃଦ୍ଧି ପାଇଥିଲା। ଏହି ପରିସଂଖ୍ୟାନକୁ ଦୃଷ୍ଟିକୁ ଆଣିଲେ ଏହା ସ୍ପଷ୍ଟ ଯେ, ସରକାରଙ୍କ ଅବକାରୀ ଲକ୍ଷ୍ୟ ତୁଳନାରେ ପ୍ର‌ାୟତଃ ପ୍ରତି ଆର୍ଥିକ ବର୍ଷରେ ରାଜସ୍ବ ଆୟ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ୪୬୦୦ କୋଟି ଟଙ୍କାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ଜୁନ୍‌ ମାସ ଶେଷ ସୁଦ୍ଧା ୯୭୦.୫୦ କୋଟି ଟଙ୍କା ଆଦାୟ କରାଯାଇଛି। ଫଳରେ, ଅବକାରୀ ରାଜସ୍ବ ଆୟକୁ ପୂରଣ କରିବା ପାଇଁ ଏବଂ ସବୁବର୍ଷ ଭଳି ଏଥିରେ ବୃଦ୍ଧି ଆଣିବା ପାଇଁ ସରକାରଙ୍କୁ କେତେ ତତ୍ପରତା ପ୍ରକାଶ କରିବାକୁ ପଡ଼ିବ ଏବଂ କେତେଦୂର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ତାହା ଏହିଥିରୁ ଅନୁମାନ କରାଯାଇପାରିବ।

ଅପରପକ୍ଷେ, ଓଡ଼ିଶାରେ ମଦ ବିରୋଧୀ ଆନ୍ଦୋଳନର ଗତି ଓ ପ୍ରଭାବ ମଧ୍ୟ କମ୍‌ ନୁହେଁ। ଏପରିକି, ସରକାରଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ବଢ଼ୁଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସହ ସମ୍ପୃକ୍ତ ମହିଳାମାନେ ବି ଅନେକ ଜାଗାରେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଛନ୍ତି। ମଦ ଦୋକାନ ଭଙ୍ଗାରୁଜା ସହିତ ଏପରିକି ନିଆଁ ଲଗାଇବା ଭଳି ଘଟଣା ଘଟିବାରେ ଲାଗିଛି। ଗୋଟିଏ ପଟେ ଅବକାରୀ ରାଜସ୍ବ ଆୟ ବୃଦ୍ଧିର ଲକ୍ଷ୍ୟଧାର୍ଯ୍ୟ କରାଯାଉଥିବ‌ ବେଳେ ଅନ୍ୟପଟେ ସରକାରଙ୍କ ପ୍ରୋତ୍ସାହିତ ମହିଳା ସଂଗଠନଗୁଡ଼ିକ ପରୋକ୍ଷରେ ଏଥିରେ ଅଙ୍କୁଶ ଲଗାଉଛନ୍ତି। ଏଥିରେ ମଧ୍ୟ ଏକ ସାମାଜିକ ସତ୍ୟତା ରହିଛି। ମହିଳାମାନେ ମଦ ପାଇଁ କିଭଳି ଉତ୍ପୀଡ଼ନର ଶିକାର ହେଉଛନ୍ତି, ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ମରଣମୁହଁକୁ ବି ଆସିଯାଉଛନ୍ତି। ସେ ସମ୍ପର୍କିତ ଘଟଣାର ସଂଖ୍ୟା ବି କମ୍‌ ନୁହେଁ। ତେଣୁ, ମହିଳାଙ୍କ ଆନ୍ଦୋଳନକୁ ସରକାର ଭୁଲ୍‌ ବୋଲି କହିପାରିବେ ନାହିଁ। କିମ୍ବା, ସିଧାସଳଖ ଅଙ୍କୁଶ ଲଗାଇପାରିବେ ନାହିଁ।

ଠିକ୍‌ ଏହି ସମୟରେ ବାଲେଶ୍ବରଠାରେ ଗୋଟିଏ ନିଆରା ଘଟଣା ସାମ୍‌ନାକୁ ଆସିଛି। ମଦ ବିରୋଧରେ ଜଣେ ମହିଳା ଆଜି ନିଆରା ଢଙ୍ଗ‌ରେ ପ୍ରତିବାଦ କରିଛନ୍ତି। ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚି ମଦ ବ୍ୟବସାୟ କରୁଥିବା ନିଜ ଦେଡ଼ଶୁରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଶିବିର ଅଧା ରଖି ଜିଲ୍ଲାପାଳ, ଏସ୍‌ପି ଚଢ଼ଉ କରିବା ପ‌ରେ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ବାଲେଶ୍ବରର ଔପଦାଠାରେ ଘଟିଥିବା ଏହି ଘଟଣାକୁ ନେଇ ଆଜି ଚର୍ଚ୍ଚା‌ ଜୋର୍‌ ଧରିଛି। ସମ୍ପୃକ୍ତ ମହିଳାଙ୍କ ସାହସକୁ ମଧ୍ୟ ବିଭିନ୍ନ ମହଲରେ ସାବାସୀ କରାଯାଇଛି। ବାଲେଶ୍ବର ଜିଲ୍ଲାପାଳ ଏବଂ ଏସ୍‌ପି ଜନଶୁଣାଣି କରୁଥିବାବେଳେ ଔପଦା ଅଞ୍ଚଳର ଜଣେ ମହିଳା ତନୁଜା କର ମଦ ବ୍ୟବସାୟ କରୁଥିବା ନିଜ ଦେଡ଼ଶୁରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣିଲେ। ଫଳରେ, ଜନଶୁଣାଣିକୁ ଅଧା ରଖି ଜିଲ୍ଲାପାଳ ଏବଂ ଏସ୍‌ପି ଚଢ଼ଉ କଲେ ଏବଂ ମଦ ବ୍ୟବସାୟୀ ଗିରଫ ‌ହେଲେ। ଏହି ଘଟଣା ନିଶ୍ଚୟ ମଦ ବିରୋଧୀ ଆନ୍ଦୋଳନକାରୀ ମହିଳାଙ୍କୁ ବଳ ଦେଇଥିବ।

ବାକି ରହିଲା, ସରକାରଙ୍କ ରାଜସ୍ବ ଆୟ କଥା। ଚଳିତ ଆର୍ଥିକବର୍ଷ ଶେଷ ହେବା ବେଳକୁ ଏବଂ ଆଗାମୀ ବଜେଟ୍‌ ଉପସ୍ଥାପନ ବେଳକୁ ତାହା ସ୍ପଷ୍ଟ ହୋଇଯିବ। କିନ୍ତୁ, ଏହା ସତ ‘ଜିରୋଆୱାର’ ସେଲିବ୍ରେସନ୍‌ ପାଇଁ ମଦ ଦୋକାନ ଖୋଲାଯିବା କିମ୍ବା ପୂର୍ବରୁ ବହୁ ସଂଖ୍ୟାରେ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତି ଭଳି ବହୁ ଘଟଣା ଘଟିସାରିଥିବ। ଏହି ଘଟଣାର ପ୍ରତ୍ୟକ୍ଷ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ।

ଶେଷ କଥା ହେଉଛି, ସାମାଜିକ ଅସ୍ଥିରତା ଦୃଷ୍ଟିରୁ ମଦ ଦୋକାନ ବନ୍ଦ ହେବା ଉଚିତ ନା ରାଜସ୍ବ ଦୃଷ୍ଟିକୋଣରୁ ଖୋଲାହେବା ଉଚିତ- ଯେମିତି ଏକ ଦ୍ବନ୍ଦ୍ବ; ମଦ‌ ପିଇଥିବା ବ୍ୟକ୍ତି କର୍ମଫଳ ପାଇବା ଉଚିତ ନା କୌଣସି ଶାରୀରିକ ଅସୁସ୍ଥତାର ଶିକାର ନ ହେବା ଠିକ୍‌ ସେମିତି ଏକ ଦ୍ବନ୍ଦ୍ବ। ତେବେ, ଦ୍ବନ୍ଦ୍ବର ବର୍ଷ ନ ହେଉ ୨୦୨୦!

(ଲେଖକ ‘ସମ୍ବାଦ’ର ସଂପାଦନା ବିଭାଗରେ କାର୍ଯ୍ୟରତ। ୦୯୪୩୭୪୪୯୬୪୪, ଇମେଲ୍‌: [email protected]/ କିମ୍ବା https://www.facebook.com/chittaranjan.chiranjit / https://twitter.com/chittachiranjitରେ ଯୋଗାଯୋଗ କରାଯାଇପାରିବ)

ସମ୍ବନ୍ଧିତ ଖବର