ବିଶ୍ୱରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୨ଲକ୍ଷ ଛୁଇଁଲା

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନାଭାଇରସ (କୋଭିଟ୍‌) ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ବୁଧବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ୮୪୧୯ରେ ପହଞ୍ଚିଛି । ତେବେ ସକାରାତ୍ମକ ବିଷୟ ହେଉଛି ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ୮୦ ହଜାର ଲୋକ କରୋନା ଭାଇରସ ସଂକ୍ରମଣରୁ ଆରୋଗ୍ୟ ହାସଲ କରିଛନ୍ତି ।

ଚୀନରେ କରୋନା ଭାଇରସର ପ୍ରକୋପ ହ୍ରାସ ପାଉଥିବାବେଳେ ସଂକ୍ରମଣର କେନ୍ଦ୍ରସ୍ଥଳୀ ୟୁରୋପକୁ ଚାଲିଆସିଛି । ୟୁରୋପୀୟ ଦେଶ ଇଟାଲୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୧ ହଜାର ଟପିଯାଇଥିବାବେଳେ ଓ ମୃତ୍ୟୁସଂଖ୍ୟା ୨୫୦୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୪୫ ଜଣ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ୟୁରୋପୀୟ ଦେଶ ଏବେ ନିଜ ନିଜର ସୀମାକୁ ସିଲ କରିଦେଇଛନ୍ତି ।
ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୧୩୫ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୧୧୨ ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୭,୩୬୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୧୩୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଇରାନରେ ୧୦୫୩ଟି ନୂଆ ମାମଲା ଜଣାପଡ଼ିଛି । ଭାରତରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୭ରେ ପହଞ୍ଚିଯାଇଛି ବୋଲି ଡନ ଖବରକାଗଜ ସୁତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର