ପ୍ରତିବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୁଏ। ତେବେ ଏଥର ୨୦୨୦ ଶେଷ ହେବାକୁ ବସିଥିବା ବେଳେ ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇପାରି ନାହିଁ। ପ୍ରଥମେ ଜୁଲାଇରୁ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କୁହାଗଲା। ପରବର୍ତୀ ସମୟରେ ସେପ୍ଟେମ୍ବର, ଅକ୍ଟୋବର, ଡିସେମ୍ବର; ଏମିତି ଗୋଟିଏ ପରେ ଗୋଟିଏ ମାସ ଗଡ଼ି ଚାଲିଛି, ତଥାପି ଶିକ୍ଷାବର୍ଷ ସ୍ଥିର ହୋଇପାରୁ ନାହିଁ। ଦୋଦୁଲ୍ୟମାନ ଶିକ୍ଷାବର୍ଷ ଭିତରେ ସିଲାବସ୍ ୩୦ ପ୍ରତିଶତ ହ୍ରାସ, ଛାତ୍ରଛାତ୍ରୀଙ୍କ ପରୀକ୍ଷା, ନାମଲେଖା ଆଦି ଅନୁଷ୍ଠିତ ହେଉଛି। ମାର୍ଚ୍ଚରେ ପରୀକ୍ଷା ଚାଲିଥିବା ବେଳେ କରୋନା କାୟା ମେଲାଇବାରୁ ସିବିଏସ୍ଇ, ସିଆଇଏସ୍ସିଇ ବୋର୍ଡ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଘୁଞ୍ଚାଇଲେ। ଓଡ଼ିଶା ବୋର୍ଡ ବି ଯୁକ୍ତ୨ ପରୀକ୍ଷା ଘୁଞ୍ଚାଇଲା। ପରିସ୍ଥିତି ସ୍ବାଭାବିକ ନ ହେବାରୁ ଶେଷରେ ବାକି ବିଷୟଗୁଡ଼ିକର ପରୀକ୍ଷା ବାତିଲ୍ କରାଗଲା। ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଲା। ସ୍ନାତକ, ସ୍ନାତକୋତ୍ତର ସେମିଷ୍ଟର୍ ପରୀକ୍ଷା, ଜେଇଇ ମେନ୍, ଜେଇଇ ଆଡଭାନ୍ସ, ନିଟ୍, ଓଜେଇଇ ପରି ପ୍ରବେଶିକା ପରୀକ୍ଷା ବାରମ୍ବାର ବାତିଲ୍ କରିବାକୁ ପଡ଼ିଛି।
କାଠଗଡ଼ାରେ ବିଶ୍ବବିଦ୍ୟାଳୟ ଆଇନ
ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନରେ ସଂସ୍କାର କରିଛନ୍ତି। ସିଣ୍ଡିକେଟ୍କୁ ପୁନର୍ଗଠନ କରିବା ସହ ସିନେଟ୍ ବ୍ୟବସ୍ଥା ଉଚ୍ଛେଦ, ରେଭେନ୍ସା ବିଶ୍ବବିଦ୍ୟାଳୟ ଆଇନ ଉଚ୍ଛେଦ, ବିଶ୍ବବିଦ୍ୟାଳୟ ଶିକ୍ଷକ ପଦବିରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓ ଅଣଶିକ୍ଷକ ନିଯୁକ୍ତି ଲାଗି ରାଜ୍ୟ ସିଲେକ୍ସନ ବୋର୍ଡକୁ ଦାୟିତ୍ବ ଦିଆଯାଇଛି। ଏହାବ୍ୟତୀତ ସିଣ୍ଡିକେଟ୍ରେ ଉଚ୍ଚଶିକ୍ଷା ସଚିବ କିମ୍ବା ତାଙ୍କ ପ୍ରତିନିଧି ଏକ୍ସ ଅଫିସିଓ ସଦସ୍ୟ ହେବେ। ଶିକ୍ଷା, ବିଶ୍ବବିଦ୍ୟାଳୟ ସମ୍ବନ୍ଧିତ, ଗବେଷଣା, କର୍ପୋରେଟ୍ ଶିଳ୍ପ କିମ୍ବା ସାଧାରଣ ପ୍ରଶାସନ କ୍ଷେତ୍ରରେ ୬ଜଣ ଖ୍ୟାତନାମା ବ୍ୟକ୍ତିଙ୍କୁ ସିଣ୍ଡିକେଟ୍କୁ ମନୋନୀତ କରାଯିବ। କୁଳାଧିପତି ଓ ରାଜ୍ୟ ସରକାରଙ୍କ ଦ୍ବାରା ୩ ଜଣ ଲେଖାଏଁ ସିଣ୍ଡିକେଟ୍କୁ ମନୋନୀତ ହେବେ। କୁଳପତି ସିଣ୍ଡିକେଟ୍ ଅଧ୍ୟକ୍ଷ ରହିବେ ଓ ଏକତୃତୀୟାଂଶ ସଦସ୍ୟଙ୍କ ଉପସ୍ଥିତିରେ କୋରମ୍ ହେବ। ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ରେ ୨୫ ଓ ଏକକ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଏହି ସଂଖ୍ୟା ୧୮ ରହିବ। କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ଏବଂ ଅବସର ବୟସ ସୀମା ୬୭ବର୍ଷକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି। ଏହି ନିଷ୍ପତ୍ତିକୁ ରାଜନୈତିକ ଦଳ ସମେତ ପୂର୍ବତନ କୁଳପତି, ପ୍ରଫେସରମାନେ ପ୍ରବଳ ବିରୋଧ କରିଛନ୍ତି। ଇତିମଧ୍ୟରେ ସଂଶୋଧିତ ଆଇନ ବିରୋଧରେ ହାଇକୋର୍ଟରେ ମାମଲା ହୋଇସାରିଲାଣି।
ବିବାଦରେ ସ୍କୁଲ ବନ୍ଦ
୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ରାଜ୍ୟର ୧୪ ହଜାର ୩୭୯ ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା ତା’ଠାରୁ କମ୍ ପିଲା ଥିବା ବିଦ୍ୟାଳୟ, କେବଳ ୬ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିବା ବିଦ୍ୟାଳୟ, କେବଳ ୯ ଓ ୧୦ ଶ୍ରେଣୀ ଥିବା ବିଦ୍ୟାଳୟ, ପ୍ରଥମରୁ ୩ୟ, ୬ଷ୍ଠ-୭ମ ଶ୍ରେଣୀ, ୪ର୍ଥରୁ ଦଶମ, ୮ମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯିବାକୁ ମାର୍ଚ୍ଚ ୧୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା। ଯାହାକୁ ନେଇ ବର୍ଷ ସାରା ବିରୋଧ ଲାଗି ରହିଥିଲା। କନ୍ଧମାଳରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ। ନିଷ୍ପତ୍ତି ବିରୋଧରେ ବିଧାନସଭା ଉଠିଥିଲା ପଡ଼ିଥିଲା। ଶେଷରେ ସରକାର ସ୍ପଷ୍ଟୀକରଣ ଦେଇଥିଲେ ଯେ ୪୦ ନୁହେଁ, ବରଂ ୨୦ରୁ କମ୍ ପିଲା ଥିବା ୭୭୦୦ ସ୍କୁଲ ବନ୍ଦ ହେବ। ତଫସିଲ୍ଭୁକ୍ତ ଓ କେବିକେ ଅଞ୍ଚଳରେ ଏହି ସଂଖ୍ୟାକୁ କୋହଳ କରାଯାଇ ୧୫ କରାଯାଇଛି।
ଶିକ୍ଷା ନୀତିକୁ ମୋହର
ଜାତୀୟ ଶିକ୍ଷା ନୀତି-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍ ଅନୁମତି ଦେଇଛି। ଏହାଦ୍ବାରା ବିଦ୍ୟାଳୟ ଶିକ୍ଷାର ସାମ୍ପ୍ରତିକ ୧୦+୨ ବ୍ୟବସ୍ଥାରେ ପରିବର୍ତନ କରାଯାଇ ‘୫+୩+୩+୪’ ଢାଞ୍ଚା ପ୍ରସ୍ତୁତ ହୋଇଛି। ୧୨ବର୍ଷର ବିଦ୍ୟାଳୟ ଶିକ୍ଷାରେ ୩ବର୍ଷର ଅଙ୍ଗନୱାଡି/ପ୍ରି-ସ୍କୁଲ୍ ସାମିଲ ହୋଇଛି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ ଶିକ୍ଷା ଦେବା, ଜାତୀୟ ପାଠ୍ୟକ୍ରମ ଫ୍ରେମୱାର୍କ ପ୍ରସ୍ତୁତ, ୟୁଜି, ପିଜି ଓ ପିଏଚ୍ଡିସ୍ତରୀୟ ପାଠ୍ୟକ୍ରମ ଆନ୍ତଃ ବିଭାଗୀୟ ହେବ, ଏମ୍.ଫିଲ୍ ପାଠ୍ୟକ୍ରମ ବନ୍ଦ, ୪ ବର୍ଷିଆ ବିଏଡ୍, ଆଇଆଇଟି ଓ ଆଇଆଇଏମ୍ ସହ ସମ୍ମାନ, ମଲ୍ଟିଡିସିପ୍ଲିନାରୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟିସ୍କୁ ସର୍ବୋତ୍ତମ ବହୁ-ଆୟାମ ଶିକ୍ଷା ପାଇଁ ବିଶ୍ବସ୍ତରୀୟ ମଡେଲ ଭାବରେ ଉପସ୍ଥାପିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଡିପିର ୬% ଅର୍ଥ ଖର୍ଚ୍ଚ କରିବା, ମଧ୍ୟାହ୍ନଭୋଜନ ସହ ଜଳଖିଆ ବ୍ୟବସ୍ଥା, ଷଷ୍ଠରୁ ଧନ୍ଦାମୂଳକ ଶିକ୍ଷା, ରାଜ୍ୟରେ ସ୍କୁଲ ରେଗୁଲେଟୋରି ଅଥରିଟି ଗଠନ, ବିଦେଶ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ଖୋଲିବାକୁ ଅନୁମତି ପରି ସଂସ୍କାରଧର୍ମୀ ପଦକ୍ଷେପ ଏହି ଶିକ୍ଷା ନୀତିରେ ରହିଛି।
ଦୋହଲି ଯାଇଛି ଶିକ୍ଷା। ପ୍ରାଥମିକରୁ ମାଧ୍ୟମିକ ହେଉ ଅଥବା କଲେଜରୁ ବିଶ୍ବବିଦ୍ୟାଳୟ; ୯ ମାସ ହେଲା ସବୁଠି ପଡ଼ିଛି ତାଲା। ଅନ୍ଲାଇନ୍ ଶିକ୍ଷା ବିଷୟରେ ଅଜ୍ଞ ଥିବା ସାଧାରଣ ଲୋକେ ୨୦୨୦ରେ ଏହି ବ୍ୟବସ୍ଥା ସହ ଅଳ୍ପବହୁତେ ଯୋଡ଼ି ହୋଇଛନ୍ତି। ପରୀକ୍ଷା ପରିଚାଳନା, ଫଳ ପ୍ରକାଶ, ନାମଲେଖାକୁ ନେଇ ଦୋଦୁଲ୍ୟମାନ ସ୍ଥିତି ସୃଷ୍ଟି ହୋଇଛି। ତା’ ଭିତରେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ମୋହର ଲାଗିଛି। ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ କରି ରାଜ୍ୟ ସରକାର କାଠଗଡ଼ାକୁ ଟଣା ହୋଇଛନ୍ତି। ୧୪ ହଜାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ବିବାଦ ସୃଷ୍ଟି କରିଛି। କରୋନା ଯୋଦ୍ଧା ମାନ୍ୟତା ମିଳି ନ ଥିଲେ ମଧ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଜୀବନକୁ ବାଜି ଲଗାଇଛନ୍ତି। ଏ ସବୁ ଭିତରେ ଓଡ଼ିଆ ଛାତ୍ରଛାତ୍ରୀ ଜାତୀୟସ୍ତରରେ ଚମକିଛନ୍ତି। ଏମିତି ଘଟଣା ବହୁଳ ୨୦୨୦ ସରିବାକୁ ବସିଥିଲେ ମଧ୍ୟ ଆଜି ବି ପାଠଘରେ ତାଲା ଝୁଲୁଛି।
ଉପସ୍ଥାପନା: କେଶବ ପାଣି, ଅଳଙ୍କରଣ: ରବିନାରାୟଣ ସାହୁ, କାର୍ଟୁନ: ଦେବାଶିଷ