ପିଜୁଳି ପତ୍ର ଦ୍ୱାରା ଦୂର କରନ୍ତୁ ଅନେକ କେଶ ସମସ୍ୟା

ପିଜୁଳି ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏହା ସହ ପିଜୁଳି ପତ୍ର ଯେ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇପାରିବ, ତାହା ପରୀକ୍ଷଣରୁ ଜଣାପଡିଛି। ପିଜୁଳି ପତ୍ର ଏବେ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ବ୍ୟବହୃତ ହେଉଛି। କେଶ ବୃଦ୍ଧିରେ ସାହାଯ୍ୟ କରୁଥିବା ଦୁଇଟି ମୁଖ୍ୟ ଭିଟାମିନ୍‌ ‘ବି’ ଏବଂ ‘ସି’ ଏଥିରେ ରହିଛି। ଏହାଛଡ଼ା ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
କିପରି ବ୍ୟବହାର କରିବେ
ଲେମ୍ବୁରସ ସହ ପିଜୁଳି ପତ୍ର: ରୁପି ଦୂର ପାଇଁ ମୁଠାଏ ପିଜୁଳି ପତ୍ରକୁ ଗୁଣ୍ଡ କରନ୍ତୁ। ସେହି ଗୁଣ୍ଡରେ ୨-୩ ଚାମଚ ଲେମ୍ବୁରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରିବା ଦ୍ୱାରା ରୁପିକୁ ଦୂର କରାଯାଇପାରିବ।
ନଡ଼ିଆ ତେଲ ସହ ପିଜୁଳି ପତ୍ର: କେଶ କୁଞ୍ଚନରୁ ରକ୍ଷା ପାଇଁ ଦୁଇ ଟେବୁଲ ଚାମଚ ପିଜୁଳି ପତ୍ର ଗୁଣ୍ଡରେ ତିନି ଟେବୁଲ ଚାମଚ ନଡ଼ିଆ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ମିଶ୍ରଣକୁ କେଶରେ ଲଗାଇ ରଖନ୍ତୁ। ଅଧଘଣ୍ଟା ପରେ ସାବୁନବିହୀନ ସାମ୍ପୁରେ ଧୋଇ ଦିଅନ୍ତୁ। ଏହି ପଦ୍ଧତିରେ ସପ୍ତାହକୁ ଥରେ ନିଶ୍ଚୟ ସଫା କରନ୍ତୁ। ଫଳାଫଳ ଜାଣିପାରିବେ।


ଆଭୋକାଡୋ ସହ ପିଜୁଳି ପତ୍ର: ଖରା ଯୋଗୁଁ କେଶ ଶୁଷ୍କ ଦିଶୁଥିଲେ ମୁଠାଏ ପିଜୁଳି ପତ୍ରକୁ ଦୁଇ କପ୍‌ ପାଣିରେ ୧୦-୧୫ ମିନିଟ୍‌ ଫୁଟାନ୍ତୁ। ଥଣ୍ଡା ହେଲା ପରେ ସେଥିରେ ଏକ ପାଚିଲା ଆଭୋକାଡୋକୁ ଚକଟିି ମିଶାଇ ଦିଅନ୍ତୁ। ଏହାକୁ କେଶରେ ଲଗାଇ ୨୫-୩୦ ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦୁଇ ସପ୍ତାହରେ ଥରେ ଏହି ପ୍ରଣାଳୀରେ କେଶର ଉପଚାର କରିପାରିବେ।
ଅଣ୍ଡାର ଧଳା ଅଂଶ ସହ ପିଜୁଳି ପତ୍ର: ତେଲିଆ କେଶରୁ ମୁକ୍ତି ପାଇଁ ଦୁଇରୁ ତିନି ଚାମଚ ପିଜୁଳି ପତ୍ର ଗୁଣ୍ଡରେ ଗୋଟିଏ ଅଣ୍ଡାର ଧଳା ଅଂଶ ମିଶାନ୍ତୁ। ସେହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୪୦ ମିନିଟ୍‌ ରଖନ୍ତୁୁ। କିଛି ସମୟ ପରେ ନଖଉଷୁମ ପାଣି ଏବଂ ପ୍ରତିଦିନ ବ୍ୟବହାର କରୁଥିବା ସାମ୍ପୁରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରିବା ଦ୍ୱାରା ଆପଣଙ୍କ କେଶ ତେଲିଆ ଦେଖାଯିବ ନାହିଁ।
ଅଁଳା ତେଲ ସହ ପିଜୁଳି ପତ୍ର: କେଶ ନ ଝଡ଼ିବା ପାଇଁ ଦୁଇ ଟେବୁଲ ଚାମଚ ଅଁଳା ତେଲରେ ଏକ ଟେବୁଲ ଚାମଚ ପିଜୁଳି ପତ୍ର ଗୁଣ୍ଡ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଧୀରେ ଧୀରେ ମୁଣ୍ଡରେ ମାଲିସ୍‌ କରନ୍ତୁ। ଅଧଘଣ୍ଟା ପରେ ସାମ୍ପୁ କରି କଣ୍ଡିସନର ଲଗାନ୍ତୁ। ଏହା କେଶ ପାଇଁ ବେଶ୍‌ ଉପକାରୀ।
ଅଲିଭ୍‌ ତେଲ ସହ ପିଜୁଳି ପତ୍ର: ଶୁଷ୍କ କେଶ ପାଇଁ ୫-୬ଟି ପିଜୁଳି ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ୧୦ ମିନିଟ୍‌ ଫୁଟିଲା ପରେ ଏହାକୁ ଥଣ୍ଡା କରିଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ ୨ ଟେବୁଲ ଚାମଚ ଅଲିଭ୍‌ ତେଲ ମିଶାଇ କେଶକୁ ଧୁଅନ୍ତୁୁ। ପୁଣି ୩୦ ମିନିଟ୍‌ ପରେ ସାମ୍ପୁରେ ଧୋଇ ଦିଅନ୍ତୁ। କେଶର ଶୁଷ୍କତା କମ୍‌ କରିବା ପାଇଁ ପ୍ରତି ସପ୍ତାହରେ ଆପଣ ଏହାକୁ ବ୍ୟବହାର କରିପାରିବେ।


ସେଓରୁ ପ୍ରସ୍ତୁତ ଭିନେଗାର ସହ ପିଜୁଳି ପତ୍ର: କେଶର ଚମକ ଫେରି ପାଇବା ପାଇଁ ଏକ ଚା’ ଚାମଚ ପିଜୁଳି ପତ୍ର ଗୁଣ୍ଡରେ ଅଧା ଚା’ ଚାମଚ ଭିନେଗାର ଓ ତିନି ଟେବୁଲ ଚାମଚ ଗୋଲାପ ଜଳ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶମୂଳ ସହିତ ସମ୍ପୂର୍ଣ୍ଣ କେଶରେ ଲଗାଇ ଅଧଘଣ୍ଟା ରଖନ୍ତୁୁ। ନିୟମିତ ବ୍ୟବହାର କରୁଥିବା ସାମ୍ପୁରେ ଧୋଇ ଦିଅନ୍ତୁ। କେଶର ଚମକ ଫେରି ପାଇବା ପାଇଁ ଏହି ପଦ୍ଧତିକୁ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ। ସୁଫଳ ପାଇବେ।
ଭୁର୍ସୁଙ୍ଗ ପତ୍ର ସହ ପିଜୁଳି ପତ୍ର: କଳା କେଶ ପାଇଁ ମୁଠାଏ ଭୁର୍ସୁଙ୍ଗ ପତ୍ର ସହ ୪-୫ଟି ପିଜୁଳି ପତ୍ରକୁ ଏକ ପାତ୍ରରେ ପାଣିରେ ଫୁଟାନ୍ତୁ। ୧୦-୧୫ ମିନିଟ୍‌ ଫୁଟିଲା ପରେ ଥଣ୍ଡା ହେବାକୁ ଦିଅନ୍ତୁ। ନଖଉଷୁମ ପାଣିରେ କେଶକୁ ଧୋଇ ଏହି ମିଶ୍ରଣକୁ ଲଗାଇ ପୁଣିଥରେ ଧୋଇ ଦିଅନ୍ତୁ। ଧୋଇ ସାରିବା ପରେ ଆଉ ଥରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା କେଶ କଳା ହେବା ସହ ସେଥିରେ ଏକ ନୂଆ ଚମକ ଆସିଯିବ।

ସମ୍ବନ୍ଧିତ ଖବର