ଧୂଳି ଶିଶୁ ପକ୍ଷେ କ୍ଷତିକାରକ

ଶୀତଦିନେ ଧୂଳି-ମଳି ସମସ୍ୟା ଅଧିକ। ଶିଶୁର ସ୍ୱାସ୍ଥ୍ୟ ପାଇଁ ଧୂଳିକଣାଯୁକ୍ତ ପ୍ରଦୂଷିତ ବାୟୁମଣ୍ଡଳ ଅଧିକ କ୍ଷତିକାରକ। ନାକରେ ଧୂଳିକଣା ପଶି ଆଲର୍ଜି କରାଏ। ଏହା ଦ୍ୱାରା ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହୁଏ। ଛିଙ୍କ, କଫ, ନାକରୁ ପାଣି ଗଡ଼ିବା, ଆଖି କଣ୍ଡୁ, କାଶ, ଆଦି ଲକ୍ଷଣ ଦେଖାଯାଏ। ମୁହଁ ନାଲି ପଡ଼ିଯିବା ସହ ଯନ୍ତ୍ରଣା ହୁଏ। ଶିଶୁ ଭଲ ଭାବେ ଶୋଇପାରେନାହିଁ। ଜ୍ୱର ହୋଇପାରେ। ଗଳା ଓ ଶ୍ୱାସ ନଳି ସଂକ୍ରମଣ ଭଳି ଗୁରୁତର ସମସ୍ୟା ଦେଖାଦେଇପାରେ। ତ୍ୱଚା କଣ୍ଡୁ, ତ୍ୱଚାର ସ୍ଥାନେ ସ୍ଥାନେ ଖଣ୍ଡିଆ ହୋଇ ପାଣି ଗଡ଼ିବା, ଏଗ୍‌ଜିମା ଭଳି ସମସ୍ୟା ମଧ୍ୟ ଦେଖାଯାଏ। ଏହାକୁ ସାଧାରଣ ସମସ୍ୟା ଭାବି ଅବହେଳା କରିବା ଅନୁଚିତ। ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ନଚେତ୍‌ ଶିଶୁର ଖାଦ୍ୟ-ପାନୀୟ, ବିଶ୍ରାମ, ପଢ଼ା ଆଦି ପ୍ରଭାବିତ ହେବ। କେତେକ ସତର୍କତାମୂଳକ ପଦକ୍ଷେପ ଦ୍ୱାରା ଏ ପରି ସମସ୍ୟାରୁ ଶିଶୁ ସୁରକ୍ଷିତ ରହିପାରିବ। ଘର ଚାରି ପାଖ ସଫା ରଖନ୍ତୁ। ଶିଶୁକୁ ନେଇ ବାହାରକୁ ଯାଉଥିଲେ କିଂବା ଅଧିକ ଧୂଳି-ଧୂଆଁ ପରିବେଶରେ ରହୁଥିଲେ ମୁହଁରେ ମାସ୍‌କ, ରୁମାଲ ବାନ୍ଧିଦିଅନ୍ତୁ। ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର କରନ୍ତୁ। କୁଟା, କାଠି ଜାଳି, ନିଆଁ ପାଖରେ ଶିଶୁକୁ ଧରି ବସନ୍ତୁନାହିଁ। ଏହା ଖରାପ। ଶିଶୁଙ୍କ ଶୀତବସ୍ତ୍ର ନିୟମିତ ସଫା କରି ଖରାରେ ଶୁଖାନ୍ତୁ। ରାସ୍ତା କାମ, କାଠ କାମ, େଓ୍ଵଲ୍‌ଡିଂ ମେସିନ୍‌ କାମ, ରଙ୍ଗ କାମ, ଗାଡ଼ି-ମୋଟର୍‌ ସଫା ହେଉଥିବା ସ୍ଥାନଠାରୁ ଶିଶୁକୁ ଦୂରେଇ ରଖନ୍ତୁ। କୁହୁଡ଼ିମିଶା ଧୂଳିଠାରୁ ଶିଶୁକୁ ଯଥାସମ୍ଭବ ଦୂରେଇ ରଖାଯିବା ଉଚିତ।

-ଡା. ଜ୍ୟୋତିରଞ୍ଜନ ଚମ୍ପତ୍ତିରାୟ,
ଇଏନ୍‌ଟି ବିଶେଷଜ୍ଞ, ଫୋନ୍‌-୯୪୩୭୧୨୪୦୭୪

ସମ୍ବନ୍ଧିତ ଖବର