ପିଲାଙ୍କ କ୍ରୋଧକୁ ଆୟତ୍ତ କରିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

ପିଲାମାନେ ସ୍ୱଭାବତଃ ବେଶ୍‌ ସରଳ ଆଉ ଶାନ୍ତ। ତେବେ ପିଲାଟିଠାରେ ଯଦି କ୍ରୋଧର ଲକ୍ଷଣ ପ୍ରକାଶ ପାଉଥାଏ, ତେବେ ଏହା ବେଶ୍‌ ଚିନ୍ତାର ବିଷୟ। ବିନା କାରଣରେ କ୍ରୋଧ କରିବା, ଚିଲ୍ଲେଇବା, ହାତ ଉଠାଇ ମାରିବାର ଲକ୍ଷଣ ପ୍ରକାଶ କରୁଥିଲେ ଜାଣିନେବା ଦରକାର ଯେ ଏହା ପଛରେ କାରଣ କ’ଣ। ସତରେ, କ’ଣ ହେଇପାରେ ଏହାର କାରଣ। ଏବେ ଜାଣନ୍ତୁ ଏହାର କିଛି ପ୍ରମୁଖ କାରଣ।

-ପିଲାମାନେ ଅନୁକରଣ ପ୍ରିୟ। ତାଙ୍କ ସାମ୍ନାରେ କେହି କ୍ରୋଧ କରୁଥିଲେ ସେମାନେ ତାହା ଅନୁକରଣ କରନ୍ତି। ବିଶେଷକରି ବାପା ମାଆଙ୍କୁ ପିଲାମାନେ ନିଜର ଆଦର୍ଶ ମନେ କରୁଥିବାରୁ ସେମାନଙ୍କର କ୍ରୋଧ ତା’ଠାରେ ପ୍ରତିଫଳିତ ହୋଇଥାଏ। ପୁଣି ପିଲାଙ୍କ ଉପରେ ଯଦି ଆପଣ କ୍ରୋଧ କରୁଥା’ନ୍ତି ତେବେ ଏହା ତା’ର କୋମଳ ମନ ଉପରେ କୁପ୍ରଭାବ ପକାଇଥାଏ, ଏହା ଧୀରେଧୀରେ ତା’ର ସ୍ୱଭାବକୁ ଉଗ୍ର କରିଦିଏ।

-ପିଲାମାନଙ୍କର ସବୁ ଜିଦ୍‌କୁ ମାନି ନିଅନ୍ତୁ ନାହିଁ। ତା’ର ଆବଶ୍ୟକ ଜିଦ୍‌ ଆଉ ଅନାବଶ୍ୟକ ଜିଦ୍‌ ଭିତରେ ଫରକ ଜାଣନ୍ତୁ। କେବେ କେବେ ତାକୁ ‘ନା’ ବି କୁହନ୍ତୁ। ପିଲାର ସବୁ ଜିଦ୍‌କୁ ପୂରଣ କଲେ ସେମାନେ ‘ନା’ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଠିକ୍‌ ଭୁଲ୍‌ର ବିଚାର କରିପାରନ୍ତି ନାହିଁ। ତେଣୁ ପରସ୍ଥିତି ସହ ଖାପ ଖୁଆଇବାର ଅଭ୍ୟାସ ଭୁଲି ଯାଇଥିବାରୁ ଅଯଥା କ୍ରୋଧ ପ୍ରକାଶ କରିଥା’ନ୍ତି।

-ପିଲାଙ୍କୁ ମାରଧର କରନ୍ତୁ ନାହିଁ। ଏହା ସେମାନଙ୍କୁ ଉଗ୍ର କରିଦେଇଥାଏ। ସବଳମାନେ ଦୁର୍ବଳକୁ ମାରନ୍ତି ବୋଲି ତା’ ଭିତରେ ଏକ ଧାରଣା ଜନ୍ମ ନେଇଥାଏ। ଏହା ସେ ତା’ଠାରୁ ଦୁର୍ବଳ ପିଲା ଉପରେ ପ୍ରୟୋଗ କରିଥାଏ। ପିଲାଙ୍କୁ ସେଭଳି ବ୍ୟବହାର କରନ୍ତୁ ଯେଭଳି ବ୍ୟବହାର ଆପଣ ତା’ଠାରୁ ଆଶା କରନ୍ତି।

-ଆପଣ ମାନେ ଯଦି ଟିଭିରେ ଅଧିକ ସମୟ ହିଂସାତ୍ମକ ସିନେମା ଦେଖୁଥା’ନ୍ତି, ତେବେ ପିଲାମମାନେ ଏଭଳି ସିନେମା ପ୍ରତି ଆକର୍ଷିତ ହୋଇଯାଆନ୍ତି। ଆଉ ଏହା ତାଙ୍କର ବ୍ୟବହାରରେ ମଧ୍ୟ ପ୍ରତିଫଳିତ ହୋଇଥାଏ।

-କୌଣସି ବି ପିଲାଙ୍କୁ ଅନ୍ୟ କୌଣସି ପିଲା ସହ ତୁଳନା କରନ୍ତୁ ନାହିଁ। ଅନ୍ୟ ପିଲାଠାରୁ ସେ ଦୁର୍ବଳ ବୋଲି ବାରମ୍ବାର କହିବା ଦ୍ୱାରା ଏହା ତା’ ଭିତରେ ହୀନଭାବନା ସୃଷ୍ଟି କରିଥାଏ। ଏଭଳି ଭାବନା ତାକୁ ନିରାଶାର ଅନ୍ଧକାର ଭିତରକୁ ଠେଲିଦିଏ, ଏପରିକି ଆକ୍ରମଣାତ୍ମକ ଏବଂ କ୍ରୋଧୀ ସ୍ୱଭାବର କରି ଦେଇଥାଏ।

-ଯେତେ ବ୍ୟସ୍ତ ରହିଲେ ବି ପିଲାମାନଙ୍କ ପାଇଁ କିଛି ସମୟ ବାହାର କରନ୍ତୁ। ସେମାନଙ୍କ ସହ ଟିକେ ଗପନ୍ତୁ, ଖେଳନ୍ତୁ ଆଉ ସେଦିନର କଥା ବି ଟିକେ ସେମାନଙ୍କ ମୁହଁରୁ ଶୁଣନ୍ତୁ। ଏହା ସେମାନଙ୍କୁ ଶାନ୍ତ ଆଉ ସରଳ କରି ଗଢ଼ି ତୋଳିଥାଏ। ଆହୁରିମଧ୍ୟ ପିଲାମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ, ଯେମିତିକି ସେ ନିଜର ମନର କଥା କହିବାରେ ଦ୍ୱିଧା କରିବ ନାହିଁ। ଖୋଲାଖୋଲି କଥା ହେବା ଦ୍ୱାରା ପିଲାର କ୍ରୋଧର କାରଣ ଜାଣି ତା’ର ନିରାକରଣ କରିବା ସମ୍ଭବ ହେବ।

-ପିଲାଟି ସାରାଦିନ ଯଦି ଏକା ଏକା ରହୁଥାଏ ତେବେ ଏହା ତା’ର କ୍ରୋଧର କାରଣ ପାଲଟି ଯାଇଥାଏ। କାରଣ ଯାହା ହେଉନା କାହିଁକି ପିଲାର ଏକାକୀତ୍ୱକୁ ଦୂର କରିବା ଆଉ ତାକୁ ଖୁସିରେ ରଖିବା ଅଭିଭାବକମାନଙ୍କର ତ ଏକ ମୁଖ୍ୟ କର୍ତ୍ତବ୍ୟ।
ଏସବୁ ପରେ ଆଉକିଛି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ। ପିଲାଟି କିଭଳି ପରିବେଶ ବା ପରିସରରେ ରହୁଛି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଯେମିତିକି ପିଲାଟି ସ୍କୁଲ୍‌ ଯାଉଥିଲେ ତା’ର ସ୍କୁଲ୍‌ର ସାଙ୍ଗସାଥୀ ଆଉ ପରିସର ସଂପର୍କରେ ଜାଣନ୍ତୁ। ପରିସର ଭଲ ନ ଥିଲେ, ପିଲାଟି ସେଠି ଅପମାନିତବୋଧ କରୁଥିଲେ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ ତାହାକୁ ବୁଝି ଦୂର କରିବାକୁ ଚେଷ୍ଟା କରନ୍ତୁ। ପିଲାର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ତେବେ ତା’ର ସମସ୍ୟା ସମୟରେ ତାକୁ ଆପଣ ଠିକ୍‌ ସମୟରେ ସାହାଯ୍ୟ କରି ପାରିବେ। ଆହୁରି ମଧ୍ୟ ପିଲାମାନଙ୍କଠାରେ ଥିବା ଉତ୍ସାହ ଓ ଶକ୍ତିକୁ ଠିକ୍‌ ଭାବରେ ବିନିଯୋଗ କରାଯିବା ଦରକାର। ନଚେତ୍‌ ତାହା ହିଂସା, କ୍ରୋଧ, ଆକ୍ରୋଶ ଆଦି ରୂପ ନେଇ ପ୍ରକଟ ହୁଏ। ତେଣୁ ତା’ର ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ତାକୁ ପ୍ରୋତ୍ସାହିତ କରନ୍ତୁ।

ଏଥିରୁ ସ୍ପଷ୍ଟ ଯେ ପିଲାଟି ଭିତରେ କ୍ରୋଧ ଜନ୍ମ ନେଉଥିଲେ ଏଥିପାଇଁ ସେ ଏକା ଦାୟୀ ନୁହେଁ, ପରିବେଶ, ପରିସର ଏବଂ ଆପଣଙ୍କ ବ୍ୟବହାରର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏସବୁ ପ୍ରତି ଦୃଷ୍ଟିଦେଇ ତା’ର କ୍ରୋଧକୁ ଦୂର କରିବାରେ ସହାୟକ ହୁଅନ୍ତୁ।

ସମ୍ବନ୍ଧିତ ଖବର