ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ

ଓଡ଼ିଶାର ପୁରପଲ୍ଲୀରେ ଏକ ଲୋକୋକ୍ତି ପ୍ରଚଳିତ ଅଛି, “ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ, ପୋତ ନ ପୋତ ହୁଅଇ ଠିଆ।” ଏହା ଅତି ସାଧାରଣ ମନେ ହେଲେ ମଧ୍ୟ ଏହାର ଅର୍ଥ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

ବୈଶାଖ ମାସ ପରେ ଆସେ ଜ୍ୟେଷ୍ଠ ମାସ। ଜ୍ୟେଷ୍ଠା ନକ୍ଷତ୍ର ଅନୁସାରେ ଏହା ଜ୍ୟେଷ୍ଠ ମାସ। ସୂର୍ଯ୍ୟଙ୍କୁ ମଧ୍ୟ ଜ୍ୟେଷ୍ଠ କୁହାଯାଏ। ଏହି ମାସରେ ବିଷ୍ଣୁ ‘ତ୍ରିବିକ୍ରମ’ ରୂପରେ ଓ ସୂର୍ଯ୍ୟ ‘ତପନେନ୍ଦ୍ର’ (ତପନ ଓ ଇନ୍ଦ୍ର) ନାମରେ ସଂସାରର ଅଧିପତି ହୋଇଥାନ୍ତି। ଏ ଦୁହିଁଙ୍କର ଏକ ଚମତ୍କାର ସମନ୍ୱୟ ଏହି ମାସରେ ଦେଖାଯାଏ। ଋଗ୍‌ବେଦର ଭାଷ୍ୟ ଅନୁଯାୟୀ ବିଷ୍ଣୁ ତିନିପାଦ ଗମନ କରୁଥିବାରୁ ସେ ତ୍ରିବିକ୍ରମ। ସେ ପୃଥିବୀରେ ଅଗ୍ନି ରୂପରେ, ଅନ୍ତରୀକ୍ଷରେ ବାୟୁ ରୂପରେ ଓ ଆକାଶରେ ସୂର୍ଯ୍ୟ ରୂପରେ ବିରାଜିତ। ସେହିପରି ସୂର୍ଯ୍ୟ ମଧ୍ୟ ତ୍ରିପାଦ ଗମନରେ ପ୍ରାତଃ, ମଧ୍ୟାହ୍ନ ଓ ସାୟାହ୍ନ ପରିକ୍ରମା କରନ୍ତି। ଭୂପତିଙ୍କର ପ୍ରତିଭୂ ଭାବରେ ସୂର୍ଯ୍ୟ ଭୂଦେବୀଙ୍କ ସଂସାରକୁ ଶକ୍ତି ପ୍ରଦାନ କରନ୍ତି ଏବଂ ଇନ୍ଦ୍ର ସାଜନ୍ତି ପାଳକପିତା। ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଅନୁସାରେ ତାଙ୍କ ତେଜର ହ୍ରାସ ବୃଦ୍ଧି ଘଟିଥାଏ। ଏହି ତେଜ ଆପାତତଃ ଜ୍ୟେଷ୍ଠ ମାସରେ ଯେତେବେଳେ ଚରମ ବିନ୍ଦୁରେ ପହଞ୍ଚେ, ସେତେବେଳେ ଆରମ୍ଭ ହୁଏ ଇନ୍ଦ୍ରଙ୍କର ପୃଥିବୀ ଆଗମନ ଯାତ୍ରା।

ଏହି ସନ୍ଧିକ୍ଷଣର ଭୋକ୍ତା ସ୍ୱୟଂ ଜ୍ୟେଷ୍ଠ କାଳ। ଏଣୁ ଏହି ମାସରେ ସର୍ବାଧିକ ଭୂମିପୂଜନ ପ୍ରକ୍ରିୟା ଦେଖାଯାଇଥାଏ। ଏହି ସମୟରେ ପ୍ରଜନନର କର୍ତ୍ତା ଭାବରେ ଯେପରି ପ୍ରତୀକାତ୍ମକ ଭାବରେ ଶିବ-ଶକ୍ତିଙ୍କର ମିଳନ ଉତ୍ସବ ହୁଏ, ଠିକ୍ ସେହିପରି କନ୍ୟାରୁ ଯୌବନରେ ପଦାର୍ପଣ କରିଥିବା ଭୂଦେବୀଙ୍କର ପର୍ଜନ୍ୟ (ଇନ୍ଦ୍ର ବା ମେଘ)ଙ୍କ ସହିତ ମିଳନ ହୁଏ। ବୀଜବପନର ଶୁଭ ଅନୁକୂଳ ଯଦିଓ ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷିତୃତୀୟା)ରୁ ହୋଇଥାଏ, ପ୍ରକୃତ ବୀଜବପନ ହୁଏ ଜ୍ୟେଷ୍ଠ ମାସରୁ। ଗାଁ ଗହଳରେ ଏକ ପ୍ରବଚନ ପ୍ରଚଳିତ ଯେ ‘ସାବିତ୍ରୀ’ ଅମାବାସ୍ୟା ବେଳକୁ ଘରେ ଶାଗ ମଞ୍ଜି ମଧ୍ୟ ରହେ ନାହିଁ। ଅର୍ଥାତ୍ ସବୁ ମଞ୍ଜି ବୁଣାବୁଣି ସରିଥାଏ। ଏଣୁ ବୀଜବପନ ନିମିତ୍ତ ଏହା ଉପଯୁକ୍ତ ସମୟ। କାରଣ ଭୂମି ଭିତରର ଉଷ୍ମତା ଓ ବାହାରର ଆର୍ଦ୍ରତା ବୀଜକୁ ଅଙ୍କୁରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅତଏବ କୃଷିକାରୀମାନଙ୍କ ନିମିତ୍ତ ଏହି ମାସଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।

ଏହି ମାସରେ ହନୁମାନ ପ୍ରଥମେ ଶ୍ରୀରାମଙ୍କୁ ଦର୍ଶନ କରିଥିବାରୁ, ଏହା ମଧ୍ୟ ହନୁମାନଙ୍କର ଅତ୍ୟନ୍ତ ପ୍ରିୟ ମାସ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର