ନଈ ଏକ, ଘାଟ ଅନେକ

chennaimath.org

ରାମକୃଷ୍ଣ ପରମହଂସ ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ସନ୍ଥ। ତାଙ୍କର ଜନ୍ମ ୧୮ ମେ ୧୮୩୬ରେ, ପଶ୍ଚିମବଙ୍ଗର ହୁଗୁଳି ଜିଲା ଅନ୍ତର୍ଗତ କାମାରପୁକୁର ଗ୍ରାମରେ। ତିଥି ଅନୁସାରେ ସେ ଜନ୍ମ ହୋଇଥିଲେ ଫାଲଗୁନ ଶୁକ୍ଳ ଦ୍ୱିତୀୟାରେ। (ସେହି ଅନୁସାରେ ଏ ବର୍ଷ ତାଙ୍କର ୧୮୫ତମ ଜନ୍ମଦିନ ପାଳିତ ହେଉଛି ୧୫ ମାର୍ଚ୍ଚରେ)।

ନିଜ ଅନୁଭୂତି ଓ ଅଭିଜ୍ଞତାରୁ ଅନେକ ଅମୂଲ୍ୟ ଉପଦେଶ ରାମକୃଷ୍ଣ ପରମହଂସ ଆମକୁ ଦେଇଯାଇଛନ୍ତି। ତାଙ୍କ ଅନୁସାରେ, ଅନୁଭୂତି ଓ ଅଭିଜ୍ଞତା ଏକ କଠିନ ଶିକ୍ଷକ। ତାହା ଆଗ ପରୀକ୍ଷା ନିଏ ଏବଂ ପରେ ପାଠ ଶିଖାଏ। ସେ ଆମକୁ ଶିଖାଇଥିବା ଗୋଟିଏ ପାଠ ହେଉଛି- “ଘାଟ ଅନେକ ହୋଇଥାଏ, କିନ୍ତୁ ନଈ ଗୋଟିଏ।”

ସେ ଏହା କହିବା ପଛରେ ଗୋଟିଏ ଗୂଢ଼ାର୍ଥ ରହିଛି। ଆମକୁ ସେହି ଗୂଢ଼ାର୍ଥ ବୁଝାଇବାପାଇଁ ସେ କହିଛନ୍ତି, “ଆମେ ଭଗବାନଙ୍କୁ ବିଭିନ୍ନ ଭାବରେ ପୂଜାକରି ତାଙ୍କର ଦିବ୍ୟଦୃଷ୍ଟି ଓ କରୁଣା ଲାଭ କରିପାରୁ। ଗୋଟିଏ ନଈରେ କ’ଣ ଅନେକ ଗୁଡ଼ିଏ ଘାଟ ନଥାଏ? ପରମାତ୍ମା ସେହିପରି ଦିବ୍ୟାନନ୍ଦରେ ପରିପୂର୍ଣ୍ଣ ଏକ ନଦୀ। ତାହାର ଯେକୌଣସି ଘାଟର ଜଳରେ ଆମେ ସ୍ନାନ କରିପାରୁ। ସେହିପରି, ଆମେ ଯେଉଁ ଈଶ୍ୱରଙ୍କଠାରେ ବିଶ୍ୱାସ ପୋଷଣ କରୁ ନା କାହିଁକି, ତାଙ୍କୁ ପାଇବାକୁ ଯେଉଁ ଉପାୟ ଅବଲମ୍ବନ କରୁ ନା କାହିଁକି, ଯଦି ଆମେ ତାହା ଗଭୀର ଭକ୍ତି ଓ ଶୁଦ୍ଧ ହୃଦୟରେ କରୁ, ତା’ହେଲେ ଆମେ ଭଗବାନଙ୍କୁ ଲାଭ କରିପାରୁ।”

ଏହାର ଅଧିକ ବ୍ୟାଖା କରି ସେ କହିଛନ୍ତି, “ଜଣେ ଗୋଟିଏ କୋଠାର ସବା ଉପର ମହଲାରେ ପହଞ୍ଚିବା ପାଇଁ ଶିଡ଼ି ଚଢ଼ି ଯାଇପାରେ; ବାଉଁଶ ତିଆରି ନିଶୁଣି, ଦଉଡ଼ି ବା ଅନ୍ୟାନ୍ୟ ମାଧ୍ୟମ ବାଛିପାରେ। ସେହିପରି ଭଗବାନଙ୍କୁ ପାଇବା ପାଇଁ ଆମର ଧର୍ମ ଆମକୁ ବିଭିନ୍ନ ମାର୍ଗ ଦେଖାଇଛି।” ସେଥିପାଇଁ ସେ କହିଛନ୍ତି, “ଯତ ମତ ତତ ପଥ!” ଅର୍ଥାତ୍ ବିଭିନ୍ନ ଧର୍ମମତରେ ବିଭିନ୍ନ ପଥ ନିର୍ଦ୍ଦେଶ କରାଯାଇଥିଲେ ମଧ୍ୟ, ସେସବୁ ପଥ ପରମାତ୍ମାଙ୍କୁ ପାଇବାର ଏକ ଏକ ମାର୍ଗ। ପରମାତ୍ମା କିନ୍ତୁ ଦିବ୍ୟାନନ୍ଦରେ ପରିପୂର୍ଣ୍ଣ ନଈଟିଏ ପରି ଚିର ପ୍ରବହମାନ। ସେହି ନଦୀର ଯେକୌଣସି ଘାଟର ଜଳରେ ଆମେ ସ୍ନାନ କରି ପାରୁ।

ସମ୍ବନ୍ଧିତ ଖବର