କାଗଜ କଣ୍ଢେଇର ଶେଷ ଶିଳ୍ପୀ ବିଷ୍ଣୁପ୍ରିୟା : ‘ମୁଁ ମରିଗଲା ପରେ ଜାଗରରେ ଆଉ କାଗଜ କଣ୍ଢେଇ ଦେଖିବନି’

ପୁରୀ : ରୂପକାର ପରିବାରର ବୋହୂ ହୋଇ ଆସିବା ଦିନଠୁ ମୁଁ କାଗଜ କଣ୍ଢେଇ ତିଆରି କରୁଛି। ଏ କଣ୍ଢେଇରେ ପିଲାଙ୍କର ଭାରି ଶ୍ରଦ୍ଧା। ବଡ଼ମାନେ ବି ଘର ସଜେଇବାକୁ କିଣି ନିଅନ୍ତି। ହେଲେ ମୋ ପରପିଢ଼ି ଆଉ ଏ କାମକୁ ଆଦରିଲେ ନାହିଁ। ଏ ଖଣ୍ଡମଣ୍ଡଳରେ ଏବେ ଏକୁଟିଆ ମୁଁ ଏହି କାମ କରୁଛି। ମୁଁ ମରିଗଲେ ଜାଗରରେ ଏ କାଗଜ କଣ୍ଢେଇ ଆଉ ଦେଖିବନି। ମୋ ଅନ୍ତେ ଏ କଳାଟା ମରିଯିବ ବୋଲି ଭାବିଲା ବେଳକୁ ଭାରି କଷ୍ଟ ହେଉଛି। ହେଲେ କ’ଣ ବା କରିବି। ଏ ଉକ୍ତି ଦୀର୍ଘ ବର୍ଷ ଧରି କାଗଜ କଣ୍ଢେଇ ତିଆରି କରି ଆସୁଥିବା ୬୫ ବର୍ଷିୟା ବିଷ୍ଣୁପ୍ରିୟା ମହାପାତ୍ରଙ୍କର।

ବଳଦେବ ସାହିର ବାସିନ୍ଦା ବିଷ୍ଣୁପ୍ରିୟାଙ୍କ କହିବା ମୁତାବକ, ବର୍ଷ ତମାମ ସେ ଅଦରକାରୀ କାଗଜରେ ଏହି କାଗଜ କଣ୍ଢେଇ ପ୍ରସ୍ତୁତ କରନ୍ତି। ଦିନ ଥିଲା, ଏହି କାଗଜ କଣ୍ଢେଇ ଥିଲା ତାଙ୍କ ଭଳି ୮-୧୦ ପରିବାରର ମୁଖ୍ୟ ବେଉସା। ମାତ୍ର ଏଥିରେ ପରିଶ୍ରମ ଅନୁଯାୟୀ ମୂଲ୍ୟ ମିଳୁନଥିବାରୁ ସମୟାନୁକ୍ରମେ ମରିଯିବାକୁ ବସିଛି। ଏପରିକି ପାଳ ସାହି ଓ ବାସେଳି ସାହିରେ କିଛି ବ୍ୟକ୍ତି ମଧ୍ୟ ଏହି କାଗଜ କଣ୍ଢେଇ ପ୍ରସ୍ତୁତ କରୁଥିଲେ ହେଁ ଏବେ ସେମାନେ ଏଥିରୁ ମୁହଁ ଫେରାଇ ନେଲେଣି। ଅନ୍ୟ କାମରେ ଯେତିକି ପାରିଶ୍ରମିକ ମିଳେ, ଏ କଳାରେ ସେତିକି ଦେବାକୁ ଲୋକେ ଅମଙ୍ଗ ହୁଅନ୍ତି। ଏବେ ଏହି କଣ୍ଢେଇ ୨୦ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାହାରୁ ବ୍ୟବସାୟୀମାନେ ଆସି କିଣି ନିଅନ୍ତି। ଜାଗର ସମେତ ଦୋଳ ପୂର୍ଣ୍ଣିମା, ଚନ୍ଦନଯାତ୍ରା ସମେତ ବିଭିନ୍ନ ଯାନିଯାତ୍ରାରେ ହିଁ ଏହି ‌କଣ୍ଢେଇର ବିକ୍ରିବଟା ହୁଏ। ଯଦିଓ କଳାର ଆଦର ଅଛି, କିନ୍ତୁ ଏ କଳା ପାଇଁ ଆଉ ଲୋକ ନାହାନ୍ତି ବୋଲି ବିଷ୍ଣୁପ୍ରିୟା କହିଛନ୍ତି।

ବିଷ୍ଣୁପ୍ରିୟାଙ୍କ ଖୋର୍ଦ୍ଧାରେ ଏକ କାରିଗର ପରିବାରରେ ଜନ୍ମ। ତେଣୁ ଯେତେବେଳେ ଶ୍ରୀକ୍ଷେତ୍ରକୁ ସେ ରୂପକାର ସେବାୟତ ପରିବାର ଘରକୁ ବୋହୂ ହୋଇ ଆସିଲେ, ସେତେବେଳେ ଏହି କାଗଜ କଣ୍ଢେଇ କଳାକୁ ଆପଣାଇବାରେ ତାଙ୍କୁ କଷ୍ଟ ହୋଇନଥିଲା। ଏ କଳାକୁ ଶୀଘ୍ର ଆୟତ୍ତ କରି ସେ ପୋଖତ କାରିଗର ପାଲଟିଗଲେ। ଏପରି କି ଦିନଟିଏ ବସିଲେ ସେ ୨୦ରୁ ୨୫ଟି କଣ୍ଢେଇ ତିଆରି କରି ଦେଉଥିଲେ। କିନ୍ତୁ ଏବେ ଆଉ ତାଙ୍କ ଅଣ୍ଟାରେ ବଳ ନାହିଁ କି କାମ କରିବାକୁ ଉତ୍ସାହ ନାହିଁ। କେବଳ ଜାଗର ଆସିଲେ ସେ ଅଢ଼େଇ ମାସ ଆଗରୁ ଏହି କାଗଜ କଣ୍ଢେଇ କାମ କରୁଛନ୍ତି। ଏଥିରୁ ସେ ନିଜର ଖର୍ଚ୍ଚ ଓ ନାତି ନାତୁଣୀଙ୍କୁ ଖର୍ଚ୍ଚ ଦେଉଛନ୍ତି। ତାଙ୍କ କାରିଗରୀର ବିଶେଷତ୍ବ ହେଉଛି, ସୂକ୍ଷ୍ମ କାରିଗରୀ। କାଗଜ, ଅଠା, ମାଟି, କରତ ଗୁଣ୍ଡ, ଖଡ଼ି, ରଙ୍ଗ, ବାନିସୀ ଓ ଶାଗୁରେ ସେ ଅଭଙ୍ଗା କଣ୍ଢେଇମାନ ପ୍ରସ୍ତୁତ କରନ୍ତି। ତାଙ୍କ ହାତ ତିଆରି ବାଘ, ହାତୀ, ହରିଣ, ଷଣ୍ଢ ପ୍ରତିକୃତିର କାଗଜ କଣ୍ଢେଇ ବାଟରେ ଚାଲି ଯାଉଥିବା ଲୋକଙ୍କୁ ଅଟକି ଯିବାକୁ ବାଧ୍ୟ କରେ। ମୁଣ୍ଡ ହଲାଉଥିବା ବାଘ ହାତୀଙ୍କୁ ଦେଖିଲେ କିଣି ନେବାକୁ ମନ ଲୋଡ଼େ। ମାତ୍ର ସମୟ ସ୍ରୋତରେ ଏ କଳା ତା’ର ଅସ୍ତିତ୍ବ ହରାଇବାକୁ ଯାଉଛି। ଜାଗର ପିଲି ନାଗବାଜା ଭଳି କାଗଜ କଣ୍ଢେଇ କଳା ମଧ୍ୟ ବିଷ୍ଣୁପ୍ରିୟାଙ୍କ ଅନ୍ତେ ଲୋପ ପାଇଯିବା ନେଇ ଜଳ ଜଳ ବାରି ହେଲାଣି।

ସମ୍ବନ୍ଧିତ ଖବର