ଆଖି ଖୋଲିଲା ବିଜୟିନୀ

ମୟୂରଭଂଜ-କେନ୍ଦୁଝର ସୀମାରୁ ଉଦ୍ଧାର ନାବାଳିକା

କଟକ : ଆଜି ଆଖି ‌ଖୋଲିଛି ‘ବିଜୟିନୀ’। ହାତ ବି ହଲାଇଛି। କିନ୍ତୁ କଥା କହିପାରୁନି। ଆଜି ‘ବିଜୟିନୀ’ର ସ୍ବାସ୍ଥ୍ୟାବସ୍ଥାରେ ଏଭଳି ଉନ୍ନତି ପରେ ତା’ର ଦେଖାଶୁଣା କରୁଥିବା ସ୍ବେଚ୍ଛାସେବୀ ଓ ଡାକ୍ତରଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି। କିପରି ‘ବିଜୟିନୀ’ ଉଠିବ, କଥା କହିବ, ସେଥିପାଇଁ ମେଡିକାଲର କର୍ମଚାରୀ ତା’ର ସେବା କରୁଥିବା ସ୍ବେଚ୍ଛାସେବୀ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ଠାକୁରଙ୍କ ମୁଣ୍ଡରୁ ଖସିଥିବା ଫୁଲକୁ ତା ମୁଣ୍ଡ ପାଖରେ ରଖିଛନ୍ତି। ଜାଗରରେ ଆଖି ଖୋଲିଥିବା ଓ ଝାଡା ମଧ୍ୟ କରିଥିବାରୁ ସେ ଭଲ ହୋଇଯିବ, ପୁଣି ସ୍ବାଭାବିକ ଭାବେ ଚଳପ୍ରଚଳ କରିବ ବୋଲି ସ୍ବେଚ୍ଛାସେବୀମାନେ ଆଶା କରିଛନ୍ତି।

କଟକ ବଡ଼ ମେଡିକାଲ ସେଣ୍ଟ୍ରାଲ ଆଇସିୟୁ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ‘ବିଜୟିନୀ’କୁ ଜଗି ବସିଛନ୍ତି କେନ୍ଦୁଝର ପୁଲିସର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସମେତ ୩ଜଣ ପୁଲିସ। ଏପଟେ ଦିନକୁ ଦିନ ୭ବର୍ଷର ଝିଅର ଅବସ୍ଥାରେ ଉନ୍ନତି ଆସିବାରେ ଲାଗିଛି। ଗଠନ କରାଯାଇଥିବା ବିଶେଷଜ୍ଞ ଟିମ୍‌ର ଡାକ୍ତର ତା’ର ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଅନ୍ୟପଟେ କଣ ଥିଲା ସେଦିନର ଘଟଣା, କିଏ ଘଟାଇଥିଲା ତା’ ସହିତ ଏଭଳି ନାରକୀୟ କାଣ୍ଡ… ଏସବୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ କେବଳ ‘ବିଜୟିନୀ’ ହିଁ ଏକମାତ୍ର ପ୍ରମାଣ। ତା’ର ଚେହେରାରୁ ସେ ଏକ ସମ୍ଭ୍ରାନ୍ତ ପରିବାରର ଝିଅ ବୋଲି ଅନୁମାନ କରାଯାଉଛି। ତେବେ ଏମିତିଭାବେ ତାର ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରାଯାଇଛି ଯେ, ତାର ମେରୁଦଣ୍ଡରେ ଗୁରୁତର କ୍ଷତ ହୋଇଛି।

ସୂଚନା ଅନୁସାରେ, ଗଲା ୩ ତାରିଖ ଦିନ ଚେତାଶୂନ୍ୟ ଅବସ୍ଥା‌ରେ ଏସ୍‌ସିବି କାଜୁଆଲିଟିକୁ ଚିକିତ୍ସା ପାଇଁ ଆସିଥିଲା ଏହି ୭ ବର୍ଷର ନାବାଳିକା। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଝିଅଟିକୁ ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ମୟୁରଭଞ୍ଜ-କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ୪୯ନମ୍ବର ଜାତୀୟ ରାଜପଥ କଡରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଏହି ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତା’ର ବେକରେ ଦାଗ ରହିଥିବାବେଳେ କେହି ତାକୁ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିବା ସହ ରାସ୍ତାକଡରେ ଫୋପାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି। ତା’ ସଂପର୍କରେ କୌଣସି ତଥ୍ୟ ନ ଥିବାବେଳେ ଚିକିତ୍ସାରେ ଥିବା ସ୍ବେଚ୍ଛାସେବୀ ତା ନାମ ‌ରଖିଛନ୍ତି ‘ବିଜୟିନୀ’। ସେ କଥା କହିବାକୁ ଆସିଲେ ଯାଇ ସଂପୂର୍ଣ୍ଣ ଘଟଣାର ହୁଏତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର