ଇଟିକିଲି ମିଟିମିଲିର ବିବାହ ବର୍ଣ୍ଣା, ଆସିବ ବର ତୋର…

ଭୁବନେଶ୍ବର: ‘ଆସିବ ବର ତୋର…, ‘ଅଦିନେ ମଲ୍ଲୀ ମହକ…’, ‘ତୋ’ ପାଇଁ ସାଥିରେ…, ‘ମୋତେ ମିଳିଗଲା ମୋ ଜୀବନ ସାଥୀ…’, ‘ମଥାରେ ଦେଇ ପାଟ ଓଢ଼ଣି…’, ‘ମେହେ‌ନ୍ଦି ଲଗାକେ ରଖ୍‌ନା…’, ‘ଜନମ ଜନମ କା ସାଥ୍‌ ହୈ…’ ଭଳି ଲୋକପ୍ରିୟ ବିବାହ ସମ୍ପର୍କିତ ଗୀତର ଆସର ଜମିଥିଲା। କୁନି କୁନି କଣ୍ଠର ମୂର୍ଚ୍ଛନାରେ ଝଙ୍କୃତ ହୋଇଥିଲା ଜୟଦେବ ଭବନ। ଛୋଟ ଛୋଟ ଗରିବ ସ୍କୁଲ ପିଲାଙ୍କୁ ଜୋତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ କରିବା ପାଇଁ ଇଟିକିଲି ମିଟିକିଲି କେବଳ ବିବାହ ସମ୍ପର୍କିତ ଗୀତକୁ ନେଇ ଆୟୋଜନ କରିଥିଲା ‘ବିବାହ ବର୍ଣ୍ଣା। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏମ୍‌ସିଏଲ୍‌ର ମୁନ୍‌ୱାର ଖୁର୍ସିଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବରୁ ‘ଦୁର୍ନୀତିକୁ ନାଁ’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ୧୨ ଟି ଚିତ୍ରକୁ ନେଇ ପ୍ରସ୍ତୁତ କ୍ୟାଲେଣ୍ଡର ଲୋକାର୍ପିତ ହାଇଥିଲା। ‘ହକିକୁ ନେଇ ଚିତ୍ର’ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଦାଶ ବେନହୁର ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜକ ଚିତ୍ତ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଚିବ ଶରତ ନାୟକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିଶୁ ଅଭିନେତ୍ରୀ ଆୟୁଷା ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଅନୁଷ୍କା ନାୟକ ଉପସ୍ଥାପନା କରିଥିଲେ। ସହ ସଚିବ ଜୟପ୍ରକାଶ ମିଶ୍ର, ତପତୀ ପାଣିଗ୍ରାହୀ, ପ୍ରବୀଣା ପରିଡ଼ା, ପ୍ରତିମା ମିଶ୍ର, ପ୍ରିୟଦର୍ଶୀ ଶୁଭକାନ୍ତ ଓ ସାଂସ୍କୃତିକ ସମ୍ପାଦିକା ଅନିତା ରଥ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର