ଉତ୍ପାତ କଲେଣି ଜଉପୋକ: ବିନା ରିହାତିରେ କୀଟନାଶକ କିଣୁଛି ଚାଷୀ

Farmers buy pesticides without a discount

ବାଲିଅନ୍ତା: ପ୍ରଥମେ ନିଅଣ୍ଟିଆ ବର୍ଷା ଧାନ ଫସଲକୁ କ୍ଷତି ପହଞ୍ଚାଇଲା। ପରେ ପରେ ବନ୍ୟା ଦାଉ ସାଧିଲା। ବିଲରେ ଧାନ ଗଛ ପଚି ସଢ଼ି ନଷ୍ଟ ହେଲା। ବନ୍ୟାରୁ ଯେତିକି ଧାନ ଫସଲ ବଞ୍ଚିଲା, ତାକୁ କାଣ୍ଡବିନ୍ଧା ପୋକ ଖାଇ ନଷ୍ଟ କଲେ। ଏହି ପୋକ ଧାନ ଗଛର କଅଁଳ କାଣ୍ଡକୁ ଝୁଣି ପକାଇଲେ ଓ ଏକର ଏକର ଜମିରେ ଧାନ ଗଛ ହଳଦିଆ ପଡ଼ିଗଲା। ତଥାପି ଚାଷୀ ହାର୍‌ ମାନିଲା ନାହିଁ। ଧାରକରଜ କରି କୀଟନାଶକ ଔଷଧ କିଣିଲା ଓ କାଣ୍ଡବିନ୍ଧା ପୋକ ଦାଉରୁ ଧାନ ଫସଲକୁ ରକ୍ଷା କଲା। ମାତ୍ର ପ୍ରକୃତିର କୋପ ଏତିକିରେ ସରି ନାହିଁ, କାଣ୍ଡବିନ୍ଧା ପୋକ ସମ୍ପୂର୍ଣ୍ଣ ନଷ୍ଟ ନହେଉଣୁ ଏବେ ଗହୀରରେ ଜଉପୋକଙ୍କ ଉତ୍ପାତ ଦେଖିବାକୁ ମିଳିଲାଣି। ଶହଶହ ହେକ୍ଟର ଜମିରେ ଜଉପୋକ ଚରିଗଲେଣି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। କୀଟନାଶକ ଔଷଧ ପାଇଁ ଆଉ ପାଖରେ ପଇସା ନଥିବା ବେଳେ ସରକାରୀ ରିହାତି ନ ମିଳିବା ଚାଷୀଙ୍କୁ ବେଶି ବାଧୁଛି।

ସୂଚନା ମୁତାବକ, ସରକଣା, ରଣପୁର, ପୂରଣପଧାନ, ପୂରଣଶାସନ, ବ୍ରାହ୍ମଣସୁଆଁଲୋ, ପ୍ରତାପରୁଦ୍ରପୁର, କାକରୁଦ୍ରପୁର, ଝିଣ୍ଟିଶାସନ, ଭିଙ୍ଗାରପୁର, ବେଣ୍ଟପୁର ଓ ପୁରୋହିତପୁର ଆଦି ଅଞ୍ଚଳରେ ଧାନ ଫସଲରେ ଜଉପୋକ ଉପଦ୍ରବ ଦେଖାଦେଇଛି। ପୂରଣଶାସନ ଗ୍ରାମର ବାବୁଲି ବିଶ୍ବାଳ, ବାବୁଲି ସାମଲ ଓ ବିଜୟ କୁମାର ରାଉତଙ୍କ ଭଳି ବହୁ ଚାଷୀମାନଙ୍କ ସୂଚନାନୁଯାୟୀ, ଜଉପୋକ ପାଇଁ ଧାନ ଫସଲ ନଷ୍ଟ ହୋଇଗଲାଣି। ମାତ୍ର କୀଟନାଶକ ଔଷଧ କିଣିବା ପାଇଁ କୃଷି ବିଭାଗର ପରମିଟ୍‌ ମିଳୁନାହିଁ। ତେଣୁ କୀଟନାଶକ କିଣିବା ବେଳେ ଚାଷୀମାନେ ରିହାତି ପାଇବାରୁ ବଞ୍ଚିତ ହେଉଛନ୍ତି।
ବାଳକାଟିସ୍ଥିତ ସହକାରୀ କୃଷି କାର୍ଯ୍ୟାଳୟର ଜଣେ ବରିଷ୍ଠ କୃଷି ଅଧିକାରୀଙ୍କ ସୂଚନାନୁସାରେ, କେବଳ ପଞ୍ଜୀକୃତ ଚାଷୀ ଅର୍ଥାତ୍ ଫାର୍ମର ଆଇଡ଼ି ଥିବା ଚାଷୀମାନେ ହିଁ କୀଟନାଶକ ଉପରେ ରିହାତି ପାଇପାରିବ। ଏଥିପାଇଁ ଚାଷୀମାନଙ୍କୁ କୃଷି ବିଭାଗରୁ ପରମିଟ୍‌ ପ୍ରଦାନ କରାଯିବ। ଜଣେ ଚାଷୀ ଏକ ସପ୍ତାହ ମଧ୍ୟରେ ଅତି ବେଶିରେ ୧ ହେକ୍ଟର ଜମି ପାଇଁ ପରମିଟ୍‌ ନେଇପାରିବେ।

ଦରକାର ପଡ଼ି‌ଲେ, ପର ସପ୍ତାହରେ ଆଉ ଏକ ହେକ୍ଟର ଜମି ପାଇଁ ପରମିଟ୍‌ ନେଇପାରିବ। ହେକ୍ଟର ପିଛା ସର୍ବାଧିକ ୫୦ ପ୍ରତିଶତ ହିସାବରେ ଚାଷୀଙ୍କୁ କୀଟନାଶକ ଉପରେ ୫୦୦ ଟଙ୍କାର ସବସିଡି ଅର୍ଥ ମିଳିବ। କୀଟନାଶକ କିଣିବା ବେଳେ ଚାଷୀମାନେ ଔଷଧ ବିକ୍ରେତାଙ୍କୁ ଏହି ପରମିଟ୍‌ ଦେଖାଇ ୫୦୦ ଟଙ୍କା ରିହାତି ପାଇବେ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୃଷି ବିଭାଗର ଏହି ପରମିଟ୍‌ ବ୍ୟବସ୍ଥା ଓ କୀଟନାଶକ କିଣିବା ବେଳେ ରିହାତି ପାଇବା ନିୟମ ବାବଦରେ ଅଧିକାଂଶ ଚାଷୀ ଜାଣି ନାହାନ୍ତି। ବିଭାଗୀୟ ଅଧିକାରୀମାନେ ଚାଷୀମାନଙ୍କୁ ଏହି ନିୟମ ବାବଦରେ କୌଣସି ସୂଚନା ଦେଉନାହାନ୍ତି। ଫଳରେ ମଉକାର ଫାଇଦା ଉଠାଉଛନ୍ତି କୀଟନାଶକ ବିକ୍ରେତା। ସେମାନେ ଚାଷୀଙ୍କୁ ବିନା ରିହାତିରେ କୀଟନାଶକ ବିକ୍ରି କରୁଛନ୍ତି। ପଞ୍ଚାୟତର କ୍ଷେତ୍ର କୃଷି କର୍ମଚାରୀ ଓ କୃଷି ଅଧିକାରୀଙ୍କ ଅବହେଳାରୁ ଚାଷୀମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ମଧୁଚନ୍ଦ୍ରିକା ଓ ସଲାସୁତୁରା କଥା ରହିଛି ବୋଲି ଚର୍ଚ୍ଚା ହେଉଛି। ଏ ସଂପର୍କରେ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କ କହିବା କଥା, ଚାଷୀମାନଙ୍କୁ ପରମିଟ୍‌ ଦେବା ପାଇଁ ବ୍ୟବସ୍ଥା ରହିଛି ଓ ଯେଉଁମାନେ ଆବେଦନ କରୁଛନ୍ତି, ସେମାନଙ୍କୁ ପରମିଟ୍‌ ମିଳୁଛି।

ସମ୍ବନ୍ଧିତ ଖବର