ଏକାଧାରରେ ସାହିତ୍ୟିକ ଓ ଅନ୍ବେଷକ ଥିଲେ ଚନ୍ଦ୍ରଶେଖର

ଚତୁର୍ଥ ସ୍ମାରକୀ ଅଭିଭାଷଣ

ଭୁବନେଶ୍ବର: ସାହିତ୍ୟିକ ଚନ୍ଦ୍ରଶେଖର ରଥ ଏକାଧାରରେ ଜଣେ ସାହିତ୍ୟିକ ଓ ଅନ୍ବେଷକ ଥିଲେ। ତାଙ୍କ ପରି ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ସମସ୍ତଙ୍କ ପାଇଁ ଆଦର୍ଶ ଓ ଦିଗ୍‌ଦର୍ଶକ ହୋଇ ଚିରକାଳ ରହିବେ। ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ୍‌ ପକ୍ଷରୁ ସାହିତ୍ୟିକ ଚନ୍ଦ୍ରଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ‌ ପ୍ରଦାନ କରି ଏହା କହିଛନ୍ତି ବିଶିଷ୍ଟ ଗବେଷକ ତଥା ସମାଲୋଚକ ପ୍ରଫେସର୍‌ ଦେବେନ୍ଦ୍ର କୁମାର ଦାଶ।

ଆଜି ଅପରାହ୍‌ଣରେ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିତ୍ରକର ଲଲାଟେନ୍ଦୁ ରଥଙ୍କ ଦ୍ବାରା ଅଙ୍କିତ ସାହିତ୍ୟିକଙ୍କ ଚିତ୍ରପଟରେ ପ୍ର‌ଥମେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗାଳ୍ପିକା ଡ. ପ୍ରବୀଣା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ ଏବଂ ବିମୁଗ୍ଧ ପାଠକ ଓ ଶିଶୁ ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରା‌ଯାଇଥିଲା। ସାହିତ୍ୟିକ ରଥଙ୍କ ଧର୍ମପତ୍ନୀ ଚାରୁବାଳା ରଥ ଉଭୟଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରିଥିଲେ।

ପରେ ଦୁଇଟି ପୁସ୍ତକ ଲୋକାର୍ପଣ ହୋଇଥିଲା। ଚନ୍ଦ୍ରଶେଖର ରଥଙ୍କ ଓଡ଼ିଆରୁ ଇଂରାଜୀ ଅନୁବାଦ କରାଯାଇଥିବା ନିର୍ବାଚିତ ଗଳ୍ପ ପୁସ୍ତକ ଏବଂ ଶଶିଭୂଷଣ ରଥଙ୍କ ଇଂରାଜୀ କବିତା ସଂକଳନ ‘ଇରସ୍‌ ଓ ଥାନାଟସ୍‌’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ‘ଚନ୍ଦ୍ରଶେଖର ରଥଙ୍କ ନିର୍ବାଚିତ ଗଳ୍ପ’କୁ ଓଡ଼ିଆରୁ ଇଂରାଜୀ ଅନୁବାଦ କରିଥିବା ଅନୁବାଦକ ଦୁର୍ଗାପ୍ରସାଦ ମିଶ୍ର ଅନୁବାଦ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ। ପ୍ରକାଶ ଚନ୍ଦ୍ର ଦାଶ ମଧ୍ୟ ନିଜ ଅନୁଭବ ବଖାଣିଥିଲେ।

‌ପୌରୁଷର ସମ୍ପାଦକ ଅସିତ୍‌ ମହାନ୍ତି, ଡା. ବାନାମ୍ବର ରାୟ , ଡ. ପୀତବାସ ରାଉତରାୟ, ଦେବେନ୍ଦ୍ର ଦାଶ, ଲେଖକ ରାଜକିଶୋର ଦାଶ, ଚିତ୍ରକର ରାମହରି ଜେନା, ସୁରେନ୍ଦ୍ର ମହାନ୍ତି, ଡା. ରାମକୁମାର ମହାପାତ୍ର, ଯୁବ ଲେଖକ ଶଶାଙ୍କ ପ୍ରିୟସଖା, କବି ଦିଲ୍ଲୀପ ମିଶ୍ର(ଶତ୍ରୁଜିତ୍‌)ଙ୍କ ସମେତ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ଗବେଷକ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ। ଏହାବ୍ୟତୀତ ସାହିତ୍ୟିକଙ୍କ ପରିବାରରୁ ନୀହାରିକା ପାଣିଗ୍ରାହୀ, ନିବେଦିତା ଶତପଥୀ, ଉଷା ମିଶ୍ର, ଜ୍ଞାନେଶ ମିଶ୍ର, ସଂଘମିତ୍ରା ରଥ, ଅନୁଭା ଓ ଅରୁଣ ଦାଶ, ଶତରୂପା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ୍‌ର ଆବାହକ ଶଶିଭୂଷଣ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର