ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍; ୧୦ ବନ୍ଧୁକ, ୮ ଗୁଳି, ବାଇକ୍ ଜବତ

କୋଡ୍‌ଓ୍ୱାର୍ଡ ଥିଲା ‘ବଟିକା’, ବ୍ରାଉନ୍‌ସୁଗାର ବେପାରୀରୁ ଗନ୍ ଡିଲର୍‌

ଭୁବନେଶ୍ବର : ରାଜ୍ୟରେ ଚୋରା ବନ୍ଧୁକ କାରବାର ବଢ଼ି ଚାଲିଥିବା ବେଳେ ରବିବାର ଦୁଇ ଜଣ କୁଖ୍ୟାତ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ(ଏସ୍‌ଟିଏଫ୍‌)। ସେମାନେ ହେଲେ, ନୟାଗଡ଼ ରଣପୁର ଅଞ୍ଚଳର ବସନ୍ତ କୁମାର ମହାରଣା ଓରଫ୍ ବୁଟୁ ଓ ଖୋର୍ଦ୍ଧା ଟାଉନର କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ୍ ଜଗା ଓରଫ୍‌ ଜଗନ। ଉଭୟଙ୍କଠାରୁ ୫ଟି ପିସ୍ତଲ, ୫ଟି ଏସ୍‌ବିଏମ୍‌ଏଲ୍(ସିଙ୍ଗଲ୍‌ ବ୍ୟାରେଲ୍‌ ମଜଲ୍ ଲୋଡିଂ), ୮ଟି ଗୁଳି, ବାଇକ୍, ମୋବାଇଲ ଫୋନ୍ ଜବତ କରାଯାଇଛି। ପୂର୍ବରୁ ଏହି ଦୁଇଜଣଙ୍କୁ ବ୍ରାଉନ୍‌ସୁଗାର କାରବାର କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଜେଲ୍‌ରୁ ମୁକୁଳିବା ପରେ ସେମାନେ ଚୋରା ବନ୍ଧୁକ କାରବାରରେ ପାଦ ଥାପିଥିବା ଜଣାପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ରଣପୁର, ଖୋର୍ଦ୍ଧା, ଜଙ୍କିଆ, ନିରାକାରପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ବନ୍ଧୁକ ବେପାରୀ ଗିରଫ ହେବା ପରେ ଏହି ସବୁ ଅଞ୍ଚଳର ଅପରାଧୀମାନଙ୍କ ନିକଟରେ ବିପୁଳ ଚୋରା ବନ୍ଧୁକ ଥିବା ସନ୍ଦେହ କରାଯାଉଛି। ଏହି ସବୁ ଅଞ୍ଚଳରେ କାଠ ମାଫିଆ ଓ ଖଣିମାଫିଆଙ୍କ ରାଜ୍‌ ଚାଲୁଥିବାରୁ ସେମାନଙ୍କ ନିକଟରେ ଏହି ସବୁ ଆଗ୍ନେୟାସ୍ତ୍ର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସା‌ରେ, କୋଡ୍‌ଓ୍ଵାର୍ଡରେ ଏମାନେ ଚଲାଇଥିଲେ ବନ୍ଧୁକ ବେପାର। ବନ୍ଧୁକକୁ ‘ବଟିକା’ ବୋଲି କହୁଥିଲେ। ପୁଲିସ ଓ ସାଧାରଣ ଲୋକଙ୍କ ନଜରରୁ ବର୍ତ୍ତିବା ପାଇଁ ‘ବଟିକା’ ଉଚ୍ଚାରଣ କରୁଥିଲେ। ଏପରିକି ଫୋନ୍‌ରେ କଥାବାର୍ତ୍ତା ସମୟରେ ଏହି ଶବ୍ଦକୁ ବ୍ୟବହାର କରୁଥିଲେ। ଏସ୍‌ଟିଏଫ୍ ସୂଚନା ଅନୁସାରେ, ଗତକାଲି ଅପରାହ୍‌ଣରେ ଏମାନେ ଜଙ୍କିଆ ଥାନା ସିକୋ ଅଞ୍ଚଳରେ ବନ୍ଧୁକ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଏହି ଖବର ଏସ୍‌ଟିଏଫ୍ ନିକଟରେ ପହଞ୍ଚିଥିଲା। ଏସ୍‌ଟିଏଫ୍ ଦୁଇ ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ମିଳିଥିଲା। ପଚରାଉଚରା ପରେ ଘରୁ ଓ ଅନ୍ୟ ସ୍ଥାନରୁ ବାକି ୯ଟି ବନ୍ଧୁକ, ଗୁଳି ଜବତ କରାଯାଇଥିଲା। ଏମାନେ ଡ୍ରଗ୍ସ ବେପାରୀ, ବାଲି ମାଫିଆ, ଠିକାଦାରଙ୍କୁ ବନ୍ଧୁକ ବିକ୍ରି କରିଥିବା ଜଣାପଡ଼ିଛି। ପୂର୍ବରୁ କେତେ ବନ୍ଧୁକ ବିକ୍ରି କରିଛନ୍ତି, କେଉଁମାନଙ୍କୁ ବିକ୍ରି କରିଛନ୍ତି, କେଉଁଠୁ ଆଣୁଛନ୍ତି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି। ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଖୋର୍ଦ୍ଧା, ନୟାଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ମାମଲା ରହିଥିବା ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।

ଦିନରେ ଅଟୋ ଚାଳକ, ରାତିରେ ଅପରାଧୀ
ଏମାନେ ଦିନରେ ଅଟୋ ଚଲାନ୍ତି, ରାତିରେ କିନ୍ତୁ ପାଲଟି ଯାଆନ୍ତି ଅପରାଧୀ। ଏମିତି କିଛି ତଥ୍ୟ ଏସ୍‌ଟିଏଫ୍‌ ହାତରେ ଲାଗିଛି। ଅଟୋରେ ବିଭିନ୍ନ ଅଞ୍ଚଳ ବୁଲନ୍ତି। ଗ୍ରାହକଙ୍କ ସହ ଡିଲ୍ ଫାଇନାଲ୍‌ କରନ୍ତି। ରାତିରେ ଡିଲ୍‌ ଚୂଡ଼ାନ୍ତ ରୂପ ନିଏ। ଯେଉଁଠି କାରବାର ହୁଏ, ସେହି ସ୍ଥାନ ଦିନବେଳା ଚିହ୍ନଟ ହୋଇଥାଏ। ରାତିରେ ପହଞ୍ଚି ସେଠାରେ ବନ୍ଧୁକ ବିକ୍ରି କରନ୍ତି। କେବଳ ବନ୍ଧୁକ ନୁହେଁ, ବ୍ରାଉନ୍‌ସୁଗାର କାରବାର କରୁଥିବା ମଧ୍ୟ ଚାଲିଥିଲା ବୋଲି ଜଣାପଡ଼ିଛି। କିଛି ଦିନ ହେଲା ଏମାନଙ୍କ ସମ୍ପର୍କରେ ଏସ୍‌ଟିଏଫ୍ ପାଖରେ ଖବର ପହଞ୍ଚିଥିଲା। ଗତ କିଛି ଦିନ ହେଲା ପିଛା କରୁଥିବା ଏସ୍‌ଟିଏଫ୍ ଗତକାଲି ବୁଟୁ ଓ ଜଗାକୁ ଧରିବା ପରେ ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା।

ସମ୍ବନ୍ଧିତ ଖବର