୮ହଜାରରୁ ଅଧିକ ଲୋକଙ୍କ ଆବେଦନ ମଞ୍ଜୁର ଅପେକ୍ଷାରେ
ଟିପି ସ୍କିମ୍ ପଟ୍ଟା ଦିଆଯାଇପାରିଲାନି
ବରମୁଣ୍ଡା ବସଷ୍ଟାଣ୍ଡ କି ଭୁବନେଶ୍ବର ରେଳ ଷ୍ଟେସନ ଉନ୍ନତୀକରଣ କାମ ଆରମ୍ଭ ହେଲାନି
ସିଡିପି କାମ ବି ଅଧାରେ ପଡ଼ିଛି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : କରୋନା ପାଇଁ ଲକ୍ଡାଉନ୍ ଘୋଷଣା ହୋଇଥିଲେ ହେଁ ବିଏମ୍ସି ଏବେ ନିର୍ମାଣ କାମକୁ ଅନୁମତି ଦେଇଛି। ହେଲେ ବିଡିଏ ଓ ବିଏମ୍ସିରେ ଏବେ ଶତାଧିକ ଘର ନିର୍ମାଣ ପାଇଁ ପ୍ଲାନ୍ ଆବେଦନ ଫାଇଲ୍ ପଡ଼ିଛି। ପ୍ଲାନ୍ ମଞ୍ଜୁର ହେଲେ ଘର ନିର୍ମାଣ ଆରମ୍ଭ କରିବେ। କେବଳ ଏତିକି ନୁହେଁ ଯେଉଁମାନେ ଘର ନିର୍ମାଣ ଅଧା କରିଛନ୍ତି ବା ଯାହାର କାମ ସରିଛି ସେମାନେ ବି ସର୍ବକ୍ଷମା ଯୋଜନାରେ ଆବେଦନ କରିଛନ୍ତି। ଏଥିରେ ତ ପ୍ରାୟ ୭ ହଜାର ଆବେଦନ ଅଛି। ହେଲେ କରୋନା କଟକଣା ଏହା ଉପରେ ରୋକ୍ ଲଗାଇଦେଇଛି। ସବୁ କାମ ଧିମେଇ ଯାଇଛି। କ୍ଷେତ୍ର ପରିଦର୍ଶନ ହୋଇପାରିନଥିବାରୁ ପ୍ଲାନ୍ ମଞ୍ଜୁର ହୋଇପାରୁନି। କେବଳ ଅଫିସ୍ ଭିତରର କାମ ପ୍ରଭାବିତ ହୋଇନି।
ବିଡିଏର ସ୍ବପ୍ନର ଯୋଜନା ଟିପି ସ୍କିମ୍ (ଟାଉନ୍ ପ୍ଲାନିଂ ସ୍କିମ୍) ଚଳିତବର୍ଷ ରୂପ ନେଇଥାନ୍ତା। ମାର୍ଚ୍ଚ ଶେଷ ସପ୍ତାହରୁ ପ୍ରଥମ ପର୍ଯ୍ୟାୟରେ ଟିପି ସ୍କିମ୍-୧ (ପାଇକରାପୁର)ର ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥାନ୍ତା। ରାଜସ୍ବ ବିଭାଗ ସହ ବହୁ ଆଲୋଚନା ପରେ ବିଡିଏ ନକ୍ସା ଅନୁଯାୟୀ ଏହି ମ୍ୟାପ୍ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରାୟ୫୦୦ ହିତାଧିକାରୀଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଥାନ୍ତା। କିନ୍ତୁ ପଟ୍ଟା ଦେବାକୁ ଯେଉଁମାନେ ମ୍ୟାପ୍ ପ୍ରସ୍ତୁତ କରିଥିଲେ ଏବଂ ଟିପି ସ୍କିମ୍ କାମ ଯେଉଁ ଅଣଓଡ଼ିଆ ଅଧିକାରୀମାନେ ବୁଝୁଥିଲେ ସେମାନେ ନିଜ ରାଜ୍ୟକୁ ପଳାଇଛନ୍ତି। ଏବେ ବିମାନ ଓ ରେଳ ଚଳାଚଳ ବନ୍ଦ ଥିବାରୁ ସେମାନେ ଆସିପାରୁନାହାନ୍ତି। ଏହି ଅଧିକାରୀମାନେ ମୁଖ୍ୟତଃ ଅହମ୍ମଦାବାଦ ସହରର ହୋଇଥିବାବେଳେ ଗୁଜୁରାଟ ଓ ଓଡ଼ିଶା ମଧ୍ୟରେ ରେଳ କି ବିମାନ ଚଳାଚଳ ହେଲେ ହିଁ ଏହି ଅଧିକାରୀମାନେ ଆସିପାରିବେ। ଏହି ଅଧିକାରୀ ଆସିବା ପରେ ହିଁ ପଟ୍ଟା କେବେ ସୁଦ୍ଧା ମିଳିପାରିବ ସେନେଇ ନିଷ୍ପତ୍ତି ହେବ। ସେହିପରି ବରମୁଣ୍ଡା ବସଷ୍ଟାଣ୍ଡ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ବସ୍ ଷ୍ଟାଣ୍ଡ ସ୍ଥାନାନ୍ତର ହୋଇପାରିନଥିବାରୁ କାମ ଆରମ୍ଭ ହୋଇପାରୁନି। ଏପରିକି ଖଣ୍ଡଗିରିବାରିକୁ ବସଷ୍ଟାଣ୍ଡ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେବାକୁ ଥିବାବେଳେ ଏଠାରେ କିଛି ମଠ ସରକାରୀ ଜମି ଜବରଦଖଲ କରି ରଖିଛନ୍ତି। ଏନେଇ ହାଇକୋର୍ଟରେ ମାମଲା ଚାଲିଛି। ବିଡିଏ ହାଇକୋର୍ଟରୁ ଜମି ଖାଲି କରିବାକୁ ନିର୍ଦ୍ଦେଶ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ଉଦ୍ୟମ ଚଳାଇଥିଲା। କିନ୍ତୁ କରୋନା ସବୁ ଉପରେ ରୋକ୍ ଲଗାଇଦେଲା।
ଆଧୁନିକ ବରମୁଣ୍ଡା ବସଷ୍ଟାଣ୍ଡ ନିର୍ମାଣ ଭଳି ଭୁବନେଶ୍ବର ରେଳଷ୍ଟେସନ ଉନ୍ନତୀକରଣ କାମ ବି ଠପ୍ ହୋଇଯାଇଛି। ଏମ୍ଓୟୁ ହେବାର ୬ମାସ ବିତିଯାଇଥିଲେ ହେଁ କାମ ଆରମ୍ଭ ହୋଇପାରୁନି। ଏଠାରେ ବିଡିଏ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଛି ତାହାକୁ ଏଏଆଇ ଅନୁମୋଦନ କରୁନି। ଏଏଆଇ ଏନ୍ଓସି ଦେଉନଥିବାରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରୁନି। ଫଳରେ କାମ କେବେ ଆରମ୍ଭ ହେବ ସେନେଇ ବିଡିଏ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରୁନାହାନ୍ତି। ଏପରିକି ଲକ୍ଡାଉନ୍ର କିଛି ଦିନ ପୂର୍ବରୁ ଏଏଆଇର ସ୍ବତନ୍ତ୍ର ପ୍ରତିନିଧି ଦଳ ଭୁବନେଶ୍ବର ରେଳ ଷ୍ଟେସନ ଅଞ୍ଚଳ ବୁଲିବା ସହ ସର୍ଭେ କରି ଯାଇଥିଲେ। ଏହାପରେ ବିଡିଏ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ଯାଇ ସେଠାରେ ଏଏଆଇ କର୍ତ୍ତୃପକ୍ଷଙ୍କ ସହ ଚୂଡ଼ାନ୍ତ ଆଲୋଚନା କରିବାର ଥିଲା ଏବଂ ଅନୁମତି ଆଣି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାର ଥିଲା। କିନ୍ତୁ ମାସେ ହେଲା ରେଳ ଓ ବିମାନ ଚଳାଚଳ ବନ୍ଦ ଥିବାରୁ କେହି ଦିଲ୍ଲୀ ଯାଇପାରୁନାହାନ୍ତି କି ଆଲୋଚନା କରିପାରୁନାହାନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ପାର୍କର ଉନ୍ନତୀକରଣ କରିବା ସହ ବିଭିନ୍ନ ପ୍ରକାରର ଗଛ ଲଗାଇବାକୁ ଯୋଜନା ହୋଇଥିଲା। ତାହା ମଧ୍ୟ ବନ୍ଦ ହୋଇପଡ଼ିଛି। ଭୁବନେଶ୍ବର ବଢ଼ୁଥିବାରୁ ଏହାର ପରିବର୍ଦ୍ଧିତ ଅଞ୍ଚଳରେ ଯେପରି ଯୋଜନାବଦ୍ଧ ଭାବେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହେବ ଏବଂ ଭବିଷ୍ୟତରେ ରାସ୍ତା, ସରକାରୀ ଯୋଜନାରେ କିଛି ପ୍ରତିବନ୍ଧକ ରହିବନି ସେଥିପାଇଁ ସିଡିପି ପ୍ରସ୍ତୁତ ହେବାର ଥିଲା। ଏଥିପାଇଁ ଆରଏଫ୍ପି ଆହ୍ବାନ ହେବାର ଥିଲା। କେତେକ ନୂଆ ଅଞ୍ଚଳର ଉନ୍ନତୀକରଣ ହେବାର ଥିଲା ତାହା ବି ଠପ୍ ହୋଇଗଲା।