ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପାଚେର‌‌ରେ ଚାଲିଛି ସୌନ୍ଦର୍ଯ୍ୟୀକରଣ

ପୁରୁଣା ଭୁବନେଶ୍ୱର : ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ପାଚେରି ସୌନ୍ଦର୍ଯ୍ୟୀକରଣ କରାଯାଉଛି। ମନ୍ଦିର ପାଚେରିରେ ଥିବା ଫାଟକୁ ମରାମତି କରାଯାଉଛି। ଲାଖ, ଗୁଡ଼, ଚୂନ, ଇଟା ଗୁଣ୍ଡ ଆଦିର ମିଶ୍ରଣରେ ପ୍ରସ୍ତୁତ ଏକ ପେଷ୍ଟ ଫାଟ ସନ୍ଧିରେ ଦିଆଯାଉଛି। ଏହାସହ ମନ୍ଦିର ପରିସରରେ ଉଠିଥିବା ଅନାବନା ଗଛକୁ ଉପାଡ଼ି ମୂଳରେ ଏକପ୍ରକାର କେମିକାଲ ଦିଆଯାଉଛି। ଫଳରେ ସେଠାରେ ମଞ୍ଜି କିମ୍ବା ଚେର ରହିଯାଇଥିଲେ, ତାହା ନଷ୍ଟ ହୋଇଯିବ। ଆଉ ଗଛ ଉଠିବ ନାହିଁ ବୋଲି ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି। ସେହିପରି ମୁଖ୍ୟ ମନ୍ଦିରର ଗର୍ଭଗୃହରେ ଥିବା ଚଟାଣକୁ ମଧ୍ୟ ମରାମତି କରାଯାଉଛି। ପାର୍ବତୀ ମନ୍ଦିର, ଲକ୍ଷ୍ମୀନାରାୟଣ ଆଦି ମନ୍ଦିରର ପ୍ରବେଶ ପଥ ପାହାଚ ଓ ଚଟାଣରେ ଖାଲ ଥିବା ପଥରକୁ କାଟି ନୂଆ ପଥର ଲଗାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ଚଟାଣ ସମାନ ହେବ। ଏହି ମରାମତି ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ଅନୁମୋଦନ ହୋଇଛି।

ସମ୍ବନ୍ଧିତ ଖବର