ସଟ୍‌ଡାଉନ୍‌ ପରେ ସାହାଣମେଲା: ୧୩୫୪ ଜଣଙ୍କୁ ଜରିମାନା, ମାସ୍କ ପାଇଁ ୪୦୨, ସାମାଜିକ ଦୂରତା ପାଇଁ ୯୫୨

ଭୁବନେଶ୍ବର: ଶନିବାର ଓ ରବିବା‌ର ଦୁଇଦିନର ସଟ୍‌ଡାଉନ୍‌ରେ ରାଜଧାନୀ ଶୂନ୍‌ଶାନ୍‌ ଥିଲା। ଲାଗୁଥିଲା ଲୋକ ସୁଧୁରିଗଲେଣି। ହେଲେ ଆଜି ପରିସ୍ଥିତି ଅସମ୍ଭାଳ ହୋଇଥିଲା। ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ତାକୁ ସମସ୍ତେ ପ୍ରାୟ ଭୁଲି ଯାଇଥିଲେ। ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଆଚାର୍ଯ୍ୟବିହାର, ଜୟଦେବ ବିହାର ଓ ରସୁଲଗଡ଼ରେ ସାହାଣମେଲା ଭଳି ପରିସ୍ଥିତି ଉପୁଜିଥିଲା। କର୍ଫ୍ୟୁ ଜାରି ହେବା ପରେ ଅର୍ଥାତ୍‌ ସନ୍ଧ୍ୟା ୭ଟା ପରେ ଶହ ଶହ ଗାଡ଼ି ହଠାତ୍‌ ଭିଡ଼ ଜମାଇଥିଲେ। ଏଭଳି ପରିସ୍ଥିତି ଦେଖି ପୁଲିସ ବି ହଡବଡ଼େଇ ଯାଇଥିଲା। ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରାଯିବା ସହ ନିୟମ ମାନିନଥିବା ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା। କେବଳ ଆଚାର୍ଯ୍ୟ ବିହାରରେ ୧୧୩ ଜଣ ଉଲ୍ଲଂଘନକାରୀଙ୍କୁ ଜରିମାନା କରା ଯାଇଥିବା ବେଳେ ଜୟଦେବବିହାର ଓ ରସୁଲଗଡ଼ ଛକରେ ଶତାଧିକ ଚାଲାଣ କଟା ଯାଇଥିଲା। ଆଜି ଦିନରେ ମୋଟ୍‌ ୧୩୫୪ ଚାଲାଣ କଟାଯାଇଛି। ମାସ୍କ ପାଇଁ ୪୦୨ ଚାଲାଣ କଟା ଯାଇଥିବା ବେଳେ ୯୫୨ ଜଣଙ୍କ ଠାରୁ ସାମାଜିକ ଦୂରତା ରକ୍ଷା ନ କରିବା ଉଲ୍ଲଂଘନରେ ଚାଲାଣ କଟାଯାଇଛି। ତେବେ ଆଜି ଦିନରେ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ଭିଡ଼ ରହିଥିଲା। ପ୍ରତ୍ୟେକ ଟ୍ରାଫିକ୍‌ ପୋଷ୍ଟରେ ଭିଡ଼ ଜମିବା ସହ ଦୋକାନ ବଜାର ମଧ୍ୟ ଗହଳି ରହିଥିଲା। ଦୁଇଦିନ ଧରି ଗ୍ରୋସରି ଓ ପରିବା ଦୋକାନ ମଧ୍ୟ ବନ୍ଦ ରହିଥିବାରୁ ଏହି ସବୁ ଦୋକାନାରେ ଭିଡ଼ ଜମିଥିଲା। ସେହିଭଳି ମଦ ଦୋକାନ ନିକଟରେ ମଧ୍ୟ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର