ଭର୍ଚୁଆଲ୍‌ ର‍୍ୟାଲିରେ ବିଜେପିକୁ ମନ୍ତ୍ର ଦେଲେ ଶାହ : ଓଡ଼ିଶାକୁ ଅଭେଦ୍ୟ ଦୁର୍ଗ କର

ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାର ବିକାଶ ହେବ
ନବୀନଙ୍କ ନାଁ ନେଲେନି, କଂଗ୍ରେସକୁ ଗାଳି ଦେଲେ
ମୋଦୀଙ୍କ ପରି ଆଉ କେହି ଓଡ଼ିଶାର ବିକାଶ କରିନାହାନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ବର : ଓଡ଼ିଶାକୁ ବିଜେପିର ଅଭେଦ୍ୟ ଦୁର୍ଗ କର। ବୁଥ୍‌ ସ୍ତରରେ ଦଳର ସଂଗଠନକୁ ଦୃଢ଼ କର। ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ହିଁ ରାଜ୍ୟର ସର୍ବାଙ୍ଗୀନ ବିକାଶ ହୋଇପାରିବ। କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଆଜି ଏମିତି ଆହ୍ବାନ ଦେଇଛନ୍ତି ଦଳର ରାଜ୍ୟ କର୍ମକର୍ତ୍ତାମାନଙ୍କୁ। ଏକଥା ବି ଜଣାଇଛନ୍ତି ଯେ ଓଡ଼ିଶାବାସୀ ଦୀର୍ଘ ୨୦ ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ବିଜେପିକୁ ପ୍ରମୁଖ ବିରୋଧୀ ଦଳ ମାନ୍ୟତା ଦେଇଛନ୍ତି। ତାଙ୍କ ସଭାପତିତ୍ବ ସମୟରେ ଅଧା ବାଟ ଆଗେଇଛି ବିଜେପି। ତାଙ୍କର ଆଉ ଅଧା କାମକୁ ବର୍ତ୍ତମାନର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପୂରଣ କରିବେ ବୋଲି ସେ ଆ‌ଶା ଦେଖାଇଛନ୍ତି।

କେନ୍ଦ୍ରରେ ମୋଦୀ ସରକାରର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଭର୍ଚୁଆଲ୍‌ ରାଲିର ଆୟୋଜନ କରାଯାଉଛି। ଡିଜିଟାଲ୍‌ ପ୍ଲାଟ୍‌ଫର୍ମ‌େର ଆୟୋଜିତ ଏହି ରାଲିରେ ଆଜି ଓଡ଼ିଶାର ବିଜେପି କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ ଶ୍ରୀ ଶାହ। ଭାଷଣ ପ୍ରସଙ୍ଗରେ ଓଡ଼ିଶା ପ୍ରତି ମୋଦୀଙ୍କ ଅବଦାନର ଗୋଟି ଗୋଟି ହିସାବ ଦେଇ କର୍ମୀଙ୍କୁ ମନୋବଳକୁ ଦୃଢ଼ କରିବାକୁ ଉଦ୍ୟମ କରିଥି‌େଲ ଗୃହ ମନ୍ତ୍ରୀ। ଇଙ୍ଗିତ ଦେଇଥିଲେ ଯେ ଓଡ଼ିଶା ପାଇଁ ମୋଦୀ ଏତେ କାମ କରୁଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିଲେ ହିଁ ବିକାଶ ଆହୁରି ଦୌଡ଼ିବ। ବିଜେପିକୁ ରାଜ୍ୟରେ ଶାସନ ଗାଦିକୁ ଆଣିବା ପାଇଁ ଆହ୍ବାନ ଦେଇଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ କିମ୍ବା ରାଜ୍ୟ ସରକାରଙ୍କ କୌଣସି ଦୁର୍ବଳତା ଶ୍ରୀ ଶାହ କାଢ଼ି ନ ଥିଲେ। ପଦୁଟିଏ ବି ରାଜ୍ୟ ସରକାରଙ୍କ ବିଷୟରେ କହି ନ ଥିଲେ। କେବଳ କଂଗ୍ରେସ ଓ ରାହୁଲ ଗାନ୍ଧୀକୁ ସମାଲୋଚନା କରିଥିଲେ।

The Financial Express

ଓଡ଼ିଶାକୁ ମୋଦୀ ସରକାରର ୬ ବର୍ଷର ଅବଦାନର ହିସାବ ରଖି ଶ୍ରୀ ଶାହ କହିଲେ ଯେ ମୋଦୀ ସରକାର ଓଡିଶାର ବିକାଶ ପାଇଁ ସବୁବେଳେ ସମର୍ପିତ। ମୋଦୀ ଓଡିଶାବାସୀଙ୍କ ସହିତ ସବୁବେଳେ ସବୁସମୟରେ ଚଟାଣ ଭଳି ଠିଆ ହୋଇଛନ୍ତି। ଓଡିଶା ପାଇଁ ମୋଦୀ ସରକାର ଗତ ୬ ବର୍ଷରେ ଯାହା କରିଛନ୍ତି ତାହା କଂଗ୍ରେସ ସରକାର ୭୦ ବର୍ଷରେ କରିପାରି ନଥିଲା। ତ୍ରୟୋଦଶ ଅର୍ଥ ଆୟୋଗ ସୁପାରିସ୍‌ ଅନୁସାରେ କଂଗ୍ରେସ ସରକାର ଓଡିଶାକୁ ୭୯ ହଜାର ଟଙ୍କା ପ୍ରଦାନ କରିଥିଲେ। ମୋଦୀ ସରକାର ୨୦୧୪-୧୯ ବର୍ଷ ମଧ୍ୟରେ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିସ୍‌ ଅନୁସାରେ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଅନୁଦାନ ଦେଇଛନ୍ତି। ସେହିପରି କେନ୍ଦ୍ରୀୟ ଯୋଜନାରେ ୧ ଲକ୍ଷ ୩ ହଜାର କୋଟି, ପେଟ୍ରୋଲିୟମରେ ୧ ଲକ୍ଷ ୩୭ ହଜାର କୋଟି, ଖଣି ନିଲାମରେ ୭୧ ହଜାର କୋଟି, କାମ୍ପା ଫଣ୍ଡ ୫ ହଜାର ୯ ଶହ କୋଟି, ଡିଏମଏଫରେ ୧୦ ହଜାର କୋଟି, ଏସଡିଆରଏଫରେ ୪ ହଜାର ୭୮୩ କୋଟି, ଏମଜିନରେଗାରେ ୭୭୬୨ କୋଟିର କେନ୍ଦ୍ରୀୟ ପାଣ୍ଠି ସହାୟତା ଆଦିକୁ ମିଶାଇ ମୋଟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ ମାଧ୍ୟମରେ ମୋଦି ସରକାର ୧ଲକ୍ଷ ୭୦ ହଜାର କୋଟି ସାରା ଦେଶପାଇଁ ଅନୁଦାନ ବ୍ୟବସ୍ଥା କରିଛନ୍ତି। କରୋନା ଲକଡାଉନ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୪ କୋଟି ହିତାଧିକାରୀଙ୍କୁ ମିଳିଛି ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ। ଏ ବାବଦରେ ଖର୍ଚ୍ଚ କରିଛନ୍ତି ୧୪୬୧ କୋଟି ଟଙ୍କା। ୯୩ ଲକ୍ଷ ପରିବାରଙ୍କୁ ୩ ମାସ ପାଇଁ ଡାଲି ଦିଆଯାଇଛି। ଏ ବାବଦରେ ୨୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ୧୪ ଲକ୍ଷ ୬୬ ହଜାର ବୃଦ୍ଧା ବୃଦ୍ଧଙ୍କୁ ଅଗ୍ରୀମ ୧୦୦୦ ଟଙ୍କାର ପେନସନ ଦିଆଯାଇଛି। ଏ ବାବଦରେ ୧୪୬.୭ କୋଟି ଟଙ୍କା ବ୍ୟୟ ହୋଇଛି। ୫.୨୫ ଲକ୍ଷ ବିଧବା ମା’ ମାଉସୀଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ୫୨ କୋଟି ଟଙ୍କା, ୮୬, ୭୬୧ ଜଣ ଦିବ୍ୟାଙ୍କ ଭାଇ ଭଉଣୀ ମାନଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ୮.୭ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି। ୨୮ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ଏ ବାବଦରେ ଖର୍ଚ୍ଚ ହୋଇଛି ୪୧୮ କୋଟି ଟଙ୍କା। ୪୭.୪୭ ଲକ୍ଷ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି। ପ୍ରତି ଘରେ ଟ୍ୟାପ ଯୋଗେ ଶୁଦ୍ଧ ପିଇବା ପାଣି ପହଚାଂଇବା ପାଇଁ କେନ୍ଦ୍ରୀୟ ଜଳ ଜିବନ ମିସନ ଅଧୀନରେ ଓଡ଼ିଶା ପାଇଛି ୮୧୨ କୋଟି ଟଙ୍କା। ଫନି ମୁକାବିଲା ପାଇଁ ମିଳିଥିଲା ମୋଟ ୪୬୭୯ କୋଟି ଟଙ୍କା। ଅମ୍ଫାନ ବାତ୍ୟା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡ଼ିଶାକୁ ଦେଇଛନ୍ତି। ୨୪ ଲକ୍ଷ ପରିବାରଙ୍କୁ ମାଗଣା ବିଦ୍ୟୁତ ସଂଯୋଗ ମିଳିଛି। ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ମୋଦୀ ସରକାର ଅର୍ଥର ଅଭାବ କରିନାହାନ୍ତି।

କଂଗ୍ରେସକୁ ସମାଲୋଚନା କରି ଶ୍ରୀ ଶାହ କହିଲେ ଯେ କଂଗ୍ରେସ କେବଳ ବଂଶବାଦ, ପରିବାରବାଦ, ଜାତିବାଦ, ତୁଷ୍ଟୀକରଣ, ଭ୍ରଷ୍ଟାଚାରର ରାଜନୀତି କରିଚାଲିଛି। କଂଗ୍ରେସ ସମୟରେ ୧ ଟଙ୍କା ପଠାଇଲେ ୧୫ ପଇସା ଲୋକଙ୍କ ପାଖରେ ପହଞ୍ଚୁଥିଲା। କିନ୍ତୁ ଏବେ ସିଧାସଳଖ ଲୋକଙ୍କ ଆକାଉଣ୍ଟ୍‌କୁ ବିଭିନ୍ନ ଯୋଜନାର ଅର୍ଥ ଯାଉଛି। ଆଉ ବାଟମାରଣା ହେଉ ନାହିଁ।

କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ଗୃହ ମନ୍ତ୍ରୀ କହିଲେ ଯେ କରୋନା ସାରା ବିଶ୍ୱକୁ କବଳିତ କରିଛି। ମୋଦୀ ସରକାର ଦେଶର ଜନତାଙ୍କୁ ସାଙ୍ଗରେ ନେଇ କରୋନା ବିରୁଦ୍ଧରେ ଲଢେଇ କରି ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ୧୩୦ କୋଟି ଲୋକ ଘରେ ବନ୍ଦ ରହି ଜନତା କର୍ଫ୍ୟୁକୁ ପାଳନ କରିଛନ୍ତି। ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ଘରେ ପହଞ୍ଚାଇବା ପାଇଁ ମୋଦୀ ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା‌ କରି ଅନେକ ପଦକ୍ଷେପ ନେଇଛନ୍ତି। ଆମେ କୌଣସି ତ୍ରୁଟି କରିଥାଇପାରୁ। କିନ୍ତୁ ବିରୋଧୀମାନେ ଏହି ସମୟରେ କ’ଣ କରିଛନ୍ତି ଲୋକଙ୍କୁ ହିସାବ ଦିଅନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାମାରୀରୁ ଦୂରେଇ ରହିବା ପାଇଁ ୨ ଗଜ ଦୂରତା ଅବଲମ୍ବନ କରିବା ଦରକାର। ତେଣୁ ବିଜେପି ଭର୍ଚୁଆଲ ରାଲି ଆରମ୍ଭ କରିଛି। ଦେଶର ଲୋକତନ୍ତ୍ରକୁ ମଜବୁତ କରିବା ପାଇଁ ଏଭଳି ରାଲି ହେଉଛି ବୋଲି ସେ କହିଥିଲେ।

ରାଲିକୁ ସମ୍ବୋଧନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଦେଶର ସ୍ବାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୬ ବର୍ଷରେ ଯେପରି ଦାୟିତ୍ବ ନେଇଛନ୍ତି, ପୂର୍ବରୁ କୌଣସି ସରକାର ଏପରି ଦାୟିତ୍ବ ନେଇ ନ ଥିଲେ। ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ, ଉଜ୍ଜଳା ଓ ଜନଧନ ପରି ଯୋଜନାରେ ଓଡ଼ିଶା ସବୁଠାରୁ ବଡ଼ ଅଂଶ ଲାଭ ପାଇଛି। ଉପକୂଳ ଜାତୀୟ ରାଜପଥ, ଶିଳ୍ପାୟନ, କଳିଙ୍ଗ ନଗରକୁ ଷ୍ଟିଲ୍‌ ହବ୍‌ରେ ପରିଣତ କରିବା, ପାରାଦୀପ ରିଫାଇନାରି କାମ ମୋଦୀ ସରକାରରେ ହୋଇଛି। ଏହା ବାଦ୍ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ପ୍ରଧାନମନ୍ତ୍ରୀ ୫୦ କୋଟି ଟଙ୍କା ଦେଇଥିଲେ। ଲେଖକ ହଳଧର ନାଗଙ୍କ ପରି ବ୍ୟକ୍ତିତ୍ବଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡ଼ିଆ ଜାତିର ସମ୍ମାନ ବଢ଼ାଇଥିଲେ। ଅମ୍ଫାନ ସମୟରେ ଓଡ଼ିଶାକୁ ତତ୍‌କାଳ ୫୦୦ କୋଟି ଟଙ୍କା ଦେଲେ। ସ୍ବାଧୀନତା ପରେ ପଶ୍ଚିମ ଓ ଦକ୍ଷିଣ ଭାରତ ପରି ପୂର୍ବ ଭାରତ ବିକଶିତ ହୋଇ ନାହିଁ। ଏଥି ପାଇଁ ପୂର୍ବ ଭାରତର ବିକାଶକୁ ମୋଦୀ ଗୁରୁତ୍ବ ଦେଉଛନ୍ତି। ପରିବର୍ତ୍ତିତ ବିଶ୍ବରେ ଭାରତ ଏକ ନୂଆ ଆତ୍ମବିଶ୍ବାସ ନେଇ ଆଗକୁ ବଢ଼ୁଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଭର୍ଚୁଆଲ ରାଲିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ସଭାକୁ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପରିଚାଳନା କରିଥିଲା ବେଳେ ଭୃଗୁ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆତ୍ମନିର୍ଭର ଭାରତ ଅଭିଯାନ ସଂକଳ୍ପକୁ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପାଠ କରିଥିଲେ। ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଧାରଣ ସମ୍ପାଦକ ସୌଦାନ ସିଂହ ଉପସ୍ଥିତ ଥିଲା ବେଳେ ଭୁବନେଶ୍ବରରେ ବିରୋଧୀ ଦଳ ‌େନତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ ଓ ସାଂସଦ ଅପରାଜିତ‌ା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର