ଏମ୍‌ସ ଭୁବନେଶ୍ବରରେ ୧୫୦୦ ପଦବି ଖାଲି

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ବରରେ ଶିକ୍ଷକ ଓ ଅଣ-ଶିକ୍ଷକଙ୍କୁ ମିଶାଇ ସମୁଦାୟ ୧୫ଶହ ପଦବି ଖାଲି ପଡ଼ିଛି। ଏଥିରେ ୨୫ ପ୍ରତିଶତ ଶିକ୍ଷକ ଓ ୩୬ ପ୍ରତିଶତ ଅଣ-ଶିକ୍ଷକ ପଦବିରେ କର୍ମଚାରୀ ନାହାନ୍ତି। ଗତ ୨ବର୍ଷ ଭିତରେ ଏମ୍‌ସରେ ବିଭିନ୍ନ ପଦପଦବିରେ ନିଯୁକ୍ତି ଦିଆଯାଇଥିଲେ ହେଁ ଏହା ମୋଟ୍ ପଦବି ତୁଳନାରେ ଯଥେଷ୍ଟ କମ୍। ଏମ୍‌ସ ଭୁବନେଶ୍ବର ଉପରେ ରାଜ୍ୟ ସମେତ ରାଜ୍ୟ ବାହାରର ରୋଗୀମାନେ ନିର୍ଭରଶୀଳ ଥିବା ବେଳେ ଶତାଧିକ ପଦବି ଖାଲି ପଡ଼ିବା ଯୋଗୁଁ ଏଠାରେ ସ୍ବାସ୍ଥ୍ୟସେବା ଓ ଶିକ୍ଷାଦାନ ବ୍ୟାଘାତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସା‌ରେ, ଏମ୍‌ସ ଭୁବନେଶ୍ବରରେ ସମୁଦାୟ ୩୦୫ ଶିକ୍ଷକ ପଦବି ଥିବା ବେଳେ ତହିଁରେ ୨୨୬ଜଣ କାର୍ଯ୍ୟରତ ଅଛନ୍ତି। ୭୯ଟି ପଦବି ଖାଲି ପଡ଼ିଛି। ସେହିପରି ଅଣ-ଶିକ୍ଷକରେ ୩୮୭୬ ପଦବି ଥିବା ବେଳେ ଏଥିରେ ୨୪୬୨ଜଣ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ସିନିଅର ରେସିଡେଣ୍ଟ, ଜୁନିଅର ରେସିଡେଣ୍ଟ, ନିୟମିତ, ଡେପୁଟେସନ୍, ଠିକା ଓ ଆଉଟ-ସୋର୍ସ କର୍ମଚାରୀ ରହିଛନ୍ତି। ତଥାପି ୧୪୧୪ ପଦବି ଖାଲି ପଡ଼ିଛି। ୨୦୨୦ ତୁଳନାରେ ୨୦୨୨ରେ ଅଣ-ଶିକ୍ଷକ ପଦବି ସଂଖ୍ୟାରେ ବୃଦ୍ଧି ହୋଇଛି। ୨୦୨୦ରେ ଏମ୍‌ସରେ ୩୭୭୬ ଅଣ-ଶିକ୍ଷକ ପଦବି ଥିବା ବେଳେ ଆଉ ୧୦୦ ପଦବି ବୃଦ୍ଧି ହୋଇଛି। ଏହାସହ ଶିକ୍ଷକ ପଦବିରେ ୧୯୧ ଜଣ ଥିବା ବେଳେ ୨୦୨୨ ବେଳକୁ ଆଉ ୩୫ଜଣ ଏଥିରେ ନିଯୁକ୍ତ ହୋଇଛନ୍ତି। ଦୁଇବର୍ଷ ଭିତରେ ଶିକ୍ଷକ ଓ ଅଣ-ଶିକ୍ଷକରେ ୪୭୮ ପଦବି ପୂରଣ ହୋଇଥିଲେ ହେଁ ଆହୁରି ୧୪୯୩ ପଦବି ଖାଲି ପଡ଼ିଛି।

ମାନବାଧିକାର କର୍ମୀ ଅଖଣ୍ଡ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ହାସଲ କରିଛନ୍ତି। ଖୁବଶୀଘ୍ର ଖାଲି ପଡ଼ିଥିବା ପଦବିରେ ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର