ରାଜଧାନୀରୁ ୨ କୋଟି ଟଙ୍କାର କୋକେନ୍‌ ଜବତ ମାମଲା: ଟାର୍ଗେଟ୍‌ରେ ଥିଲା ହକି ବିଶ୍ବକପ୍‌

୨୦୧୮ରେ ଆସିଥିବା ସନ୍ଦେହ, ଆଜି ହେବ ରିମାଣ୍ଡ ଆବେଦନ

ଭୁବନେଶ୍ୱର: ରାଜଧାନୀରୁ ପାଖାପାଖି ୨ କୋଟି ଟଙ୍କାର କୋକେନ୍‌ ଜବତ ହେବା ଘଟଣାରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଧରାପଡ଼ିଥିବା ଦୁଇ କୋକେନ୍‌ ମାଫିଆ ରବି ସିଂ ଓ ସନ୍ନି କୁମାର ରାଜଧାନୀରେ ହେବାକୁ ଥିବା ହକି ବିଶ୍ବକପ୍‌କୁ ଟାର୍ଗେଟ୍‌ କରିଥିଲେ। ରାଜଧାନୀକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସିବାର ଥିବାରୁ ଦୁହେଁ ଏହି ପ୍ରସ୍ତୁତି ଚଳାଇଥିଲେ।

୨୦୧୦ ମସିହାରେ ଦିଲ୍ଲୀରେ କମନୱେଲ୍‌ଥ ଗେମ୍‌ ଚାଲିଥିବା ବେଳେ ରବି ଟ୍ରାଭେଲ୍‌ ବ୍ୟବସାୟ କରୁଥିଲା। ବିଦେଶୀ ପର୍ଯ୍ୟଟକଙ୍କୁ କାର୍‌ରେ ନେବା ଆଣିବା ବେଳେ ସେମାନେ ହେରୋଇନ୍‌ ଓ କୋକେନ୍‌ ଖୋଜିଥିଲେ। ସେବେଠାରୁ ରବି ମୁଣ୍ଡକୁ ଏ ଦୁର୍ବୁଦ୍ଧି ଜୁଟିଥିଲା। ଟ୍ରାଭେଲ୍‌ ବ୍ୟବସାୟ ସହ ଏହି ନିଶା କାରବାର କରି କୋଟିପତି ହେବ‌ାର ନିଶା ତାକୁ ଘାରିଥିଲା। ଓଡ଼ିଶାରେ ବର୍ଷତମାମ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବାରୁ ଏଠାରେ ବେପାର କରିବାକୁ ମନ ବଳାଇଥିଲା।

କିନ୍ତୁ ଏକୁଟିଆ ବ୍ୟବସାୟ କରିବା ଅସମ୍ଭବ ଥିବାରୁ ସେ ସନ୍ନିକୁ ସାଥିରେ ଧରି ଓଡ଼ିଶା ଆସିଥିଲା। ପ୍ରଥମେ ଦୁହେଁ ଏଠାକାର ବଜାର ଚାହିଦା ସଂପର୍କରେ ଜାଣିବା ପରେ ଅତି ସତର୍କତାର ସହ ବ୍ୟବସାୟ ଆରମ୍ଭ କରିଥିଲେ। ଏପରିକି ୨୦୧୮ ହକି ବିଶ୍ବକପ୍‌ ସମୟରେ ବି ସେମାନେ ଓଡ଼ିଶାରେ କୋକେନ୍‌ ଓ ହେରୋଇନ୍‌ ବିକିଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି। ତେଣୁ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବାକୁ ଏସ୍‌ଟିଏଫ୍‌ ଯୋଜନା କରିଛି। ଆସନ୍ତାକାଲି (ଶନିବାର) ଉଭୟଙ୍କ ରିମାଣ୍ଡ ଆବେଦନ କରାଯିବ।

ଖୋଲିବ ବିଦେଶୀ ଲିଙ୍କ

ରବିର ମୋବାଇଲ୍‌ରେ ଅନେକ ବିଦେଶୀଙ୍କ ନମ୍ବର ରହିଛି। ସେ ବାରମ୍ବାର ବିଦେଶୀଙ୍କ ସହ କଥା ହେଉଥିବା ସିଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରବି କୋକେନ୍‌ ପାଇଁ ସିଧାସଳଖ ବିଦେଶୀଙ୍କ ସହ କଥାବାର୍ତ୍ତା ହେଉଥିଲା। ବିଦେଶୀ ପର୍ଯ୍ୟଟକଙ୍କୁ କୋ‌କେନ୍‌ ଯୋଗାଇବା ହେଉ କି ବିଦେଶରୁ କୋକେନ୍‌ ଆଣିବା; ଉଭୟ କାମ ପାଇଁ ସେ ବିଦେଶୀଙ୍କ ଲିଙ୍କ୍‌ରେ ଥିଲା। ବିଶେଷକରି ଆଫ୍ରିକୀୟ ଦେଶ, ୟୁଏସ୍‌ଏ, ରୁଷିଆ, କାନାଡା, ୟୁରୋପ, ଶ୍ରୀଲଙ୍କା ଭଳି ଦେଶର ଲୋକଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ଏନେଇ ଏସ୍‌ଟିଏଫ୍‌ ଅଧିକ ଖୋଳତାଡ଼ କରୁଛି।

ମାର୍କେଟ୍‌ ବିଲ୍ଡିଂରୁ ହେଉଥିଲା ପ୍ଲାନ୍‌

ରବିର ମୁଖ୍ୟ ସହଯୋଗୀ କୁହାଯାଉଥିବା ସନ୍ନି ରାଜଧାନୀର ମାର୍କେଟ୍‌ ବିଲ୍ଡିଂରେ ଚୁଡ଼ି ବ୍ୟବସାୟ କରୁଥିଲା। ରବି ସହ ଯୋଡ଼ିହେବା ପରେ ସେ କୋକେନ୍‌ ବ୍ୟବସାୟରେ ମାତି ଯାଇଥିଲା। ସେଠାରେ ଚୁଡ଼ି ବ୍ୟବସାୟ ସହ ଗ୍ରାହକଙ୍କୁ ଟାର୍ଗେଟ୍‌ କରୁଥିଲା। ବିଶେଷକରି ସେଠାକୁ ଆସୁଥିବା ଯୁବତୀଙ୍କୁ ଟଙ୍କାର ଲୋଭ ଦେଖାଇ ଏଥିରେ ସାମିଲ୍‌ ହେବା ପାଇଁ ପ୍ରବର୍ତ୍ତାଉଥିଲା। ଯୁବତୀମାନେ ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପାଠପଢ଼ା ଯୁବକ, ଯୁବତୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସଂସ୍ଥାର କର୍ମଚାରୀଙ୍କୁ ସେମାନଙ୍କ ପାଲରେ ପକାଇ କୋକେନ୍‌ କାରବାର କରୁଥିଲେ। ତେବେ ସନ୍ନି ଗିରଫ ହେବା ପରେ ତା’ ପରିବାର ହଠାତ୍‌ ଉଭାନ୍‌ ହୋଇଯାଇଛି। ଖାଲି ଏତିକି ନୁହେଁ, ରାଜସ୍ଥାନର ବ୍ୟବସାୟୀମାନେ ବି ଆଉ ଆସୁନାହାନ୍ତି। ସେମାନେ ଏଥିରେ ସାମିଲ୍‌ ନଥିଲେ ତ? ଯାହାକୁ ନେଇ ସନ୍ଦେହ ସୃଷ୍ଟି ‌ହୋଇଛି।

ସମ୍ବନ୍ଧିତ ଖବର