ଦକ୍ଷିଣପନ୍ଥୀଙ୍କ ଦ୍ବାରା ଘଟୁଥିବା ଅପରାଧକୁ ଦେଖାଇଲା ‘ମି. ରାଇଟ୍’

୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ବିତୀୟ ସଂଧ୍ୟା

ଭୁବନେଶ୍ବର: ରଜତ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାହାଣ ହାତ ଉପରୁ ନିୟନ୍ତ୍ରଣ ହରାଇ ବସେ। ଦିନେ ଘନିଷ୍ଠ ବନ୍ଧୁ ରଣେନ୍ ସହିତ କାର୍‌ରେ ଯାଉଥିବା ବେଳେ ହଠାତ ଦୁର୍ଘଟଣା ଘଟାଏ। ଯେଉଁଥିରେ ରଣେନ୍‌ର ମୃତ୍ୟୁ ହୁଏ। କିନ୍ତୁ ରଣେନ୍‌ର ପ୍ରେମିକା ତନ୍ଦ୍ରା ଜାଣି ମଧ୍ୟ ରଜତ ରଣେନ୍‌ଙ୍କୁ ହତ୍ୟା କରିଛି ବୋଲି ଦୋଷାରୋପ କରେ। ଏଭଳି ଏକ ବିଚିତ୍ର ରୋଗରୁ ମୁକ୍ତି ପାଇବା ଆଶାରେ ରଜତ ଜଣେ ଜ୍ୟୋତିଷଙ୍କ ପରାମର୍ଶରେ ଏକ ତାବିଜ ଧାରଣ କରିବାକୁ ଯାଏ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଜତର ଡାହାଣ ହାତ ଜ୍ୟୋତିଷଙ୍କୁ ହତ୍ୟା କରିବାକୁ ଉଦ୍ୟତ ହୁଏ।

ଆତଙ୍କିତ ଜ୍ୟୋତିଷ ରଜତଠାରୁ ରକ୍ଷା ପାଇବା ପାଇଁ ପଳାୟନ କରେ। ହତାଶ ଓ ମ୍ରିୟମାଣ ରଜତକୁ ତା’ର ଡାକ୍ତର ବନ୍ଧୁ ସିଦ୍ଧୁ ଏହା ‘ଆଲିଅନ୍ ହ୍ୟାଣ୍ଡ ସିଣ୍ତ୍ରୋମ ରୋଗ’ ଏବଂ ଚିକିତ୍ସା ଦ୍ବାରା ରୋଗର ଉପଶମ ନହେଲେ ହାତଟିକୁ କାଟିବାକୁ ପଡ଼ିବ ବୋଲି କୁହନ୍ତି। ଏହାଶୁଣି ରଜତ ହାତକୁ ବାନ୍ଧି ପକାଏ। ଏଭଳି ଏକ ବିଷୟ ବସ୍ତୁକୁ ନେଇ ରବୀନ୍ଦ୍ର ମଣ୍ଡପ ପ୍ରୋକ୍ଷାଳୟରେ ପରିବେଷିତ ହୋଇଥିଲା ବଙ୍ଗଳା ନାଟକ ‘ମି. ରାଇଟ’। ଏହି ନାଟକରେ ରଜତର ଡାହାଣ ହାତକୁ ସମାଜର ଦକ୍ଷିଣପନ୍ଥୀଙ୍କ ଦ୍ବାରା ଘଟୁଥିବା ଅପରାଧ ସହ ତୁଳନା କରାଯାଇଛି।

ଆଜି ମଞ୍ଚସ୍ଥ ହେବ ‘ଫୁଲନୋଳ’: ମଙ୍ଗଳବାର ଇଣ୍ଟରଫେସ୍‌, ଭୁବନେଶ୍ବର ଦ୍ବାରା ପରିବେଷିତ ହେବ ନାଟକ ‘ଫୁଲନୋଳ’। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଲିଖିତ, ଗୌରାଙ୍ଗ ରାଉତଙ୍କ ନାଟ୍ୟ ରୂପାନ୍ତରିତ ଓ ନିର୍ଦ୍ଦେଶିତ ଏହି ନାଟକ ୧୯୯୯ର ମହାବାତ୍ୟା ଉପରେ ଅଧାରିତ।

ଶତାବ୍ଦୀର କଳାକାର ନାଟ୍ୟସଂସ୍ଥା ପକ୍ଷରୁ ଚାଲିଥିବା ୨୪ତମ କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କୋଲକାତାର ଅଶୋକନଗର ନାଟ୍ୟମୁଖ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ନାଟକ ‘ମି. ରାଇଟ୍‌’। ମୋହିତ ଚକ୍ରବର୍ତ୍ତୀଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଅଭି ଚକ୍ରବର୍ତ୍ତୀ। ଏଥିରେ ସୁମିତ୍ କୁମାର ରାୟ, ଅରୂପ ଗୋସ୍ବାମୀ, ଜୟ ଚକ୍ରବର୍ତ୍ତୀ, ଅଂଜନ ହୋରେ, ସୌମେନ୍ଦୁ ହାଲ୍‌ଦାର, ସଂଗୀତା ଚକ୍ରବର୍ତ୍ତୀ, ସୁକାନ୍ତ ପାଲ, ଦେବବ୍ରତ ଭଟ୍ଟାଚାର୍ଯ୍ୟ, ସ୍ମୃତିଲତା ମଣ୍ଡଳ, ତନୁଶ୍ରୀ ତିଓ୍ବାରୀ, ଅଭି ଚକ୍ରବର୍ତ୍ତୀ, ଦୀପ୍ତଶ ଶାହା, ଅସୀମ ଦାସ, ଝୁମୁର ଘୋଷ, ଶ୍ରେୟା ସରକାର, ଆର୍ଦିଶ କୁମାର ରାୟ ପ୍ରମୁଖ ଅଭିନୟ କରିଥିଲେ। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି, ସମ୍ମାନିତ ଅତିଥି ଭାବେ ଡ. ଉପେନ୍ଦ୍ରନାଥ ନାୟକ, ଇଂ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ ନାଟ୍ୟକାର ଧୀର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର