‌କ୍ରେଡିଟ୍‌ କାର୍ଡ ବନ୍ଦ କରାଇବାକୁ କହି ନେଇଗଲା ୨୯ ହଜାର

ଭୁବନେଶ୍ବର: କ୍ରେଡିଟ୍‌ କାର୍ଡ ବନ୍ଦ କରାଇବାକୁ କହି ସାଇବର୍‌ ଠକ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୨୯ ହଜାର ଟଙ୍କା ଲୁଟି ନେଇଛି। ଠକେଇର ଶିକାର ବ୍ୟକ୍ତିଜଣଙ୍କ ହେଲେ, ରସୁଲଗଡ଼ ଜିଜିପି କଲୋନିର ଅଶୋକ କୁମାର ପଣ୍ଡା। ଏ ନେଇ ସେ ମଞ୍ଚେଶ୍ବର ଥାନା ଓ ସାଇବର୍‌ ସେଲ୍‌ରେ ଅଭିଯୋଗ କରିଛନ୍ତି।

ଅଶୋକଙ୍କ ଅଭିଯୋଗ ଅନୁଯାୟୀ, ସେ ବଜାଜ ଫିନସର୍ଭ ଆର୍‌ବିଏଲ୍‌ ସୁପର୍‌କାର୍ଡ ବ୍ୟବହାର କରୁଥିଲେ। ନିକଟ ଅତୀତରେ ଆର୍‌ବିଏଲ୍‌ କମ୍ପାନି ପକ୍ଷରୁ ତାଙ୍କୁ ଆଉ ଏକ କ୍ରେଡିଟ୍‌ କାର୍ଡ ପାଇଁ ଅଫର୍‌ ଦିଆଯାଇଥିଲା। ଏଥିରେ ଅଶୋକ ରାଜି ହୋଇଯାଇଥିଲେ। କିନ୍ତୁ ସର୍ତ୍ତ ଥିଲା ଯେ ନୂଆ କାର୍ଡ ମିଳିବା ପରେ ପୁରୁଣାଟି ଆପେ ଆପେ ବନ୍ଦ ହୋଇଯିବ। କିନ୍ତୁ କମ୍ପାନି ପକ୍ଷରୁ ତାହା କରା ନଯିବାରୁ ସେ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ। ଏହାର ଫାଇଦା ନେଇ ଆଜି ଜଣେ ସାଇବର୍‌ ଠକ ତାଙ୍କୁ ଫୋନ୍‌ କରିଥିଲା। କଥାଛଳରେ ସେ ନିଜକୁ ଆର୍‌ବିଏଲ୍‌ ବ୍ୟାଙ୍କ କର୍ମଚାରୀ କହିବା ସହ କାର୍ଡ ବନ୍ଦ କରାଇବା ପାଇଁ ତାଙ୍କୁ ଉପାୟ ବତାଇଥିଲା। ଅଶୋକ ଆଗପଛ ବିଚାର ନ କରି ମୋବାଇଲ୍‌କୁ ଆସିଥିବା ଓଟିପିକୁ ଠକକୁ ଦେଇଦେବା ପରେ ତାଙ୍କ କ୍ରେଡିଟ୍‌ କାର୍ଡ ଆକାଉଣ୍ଟରୁ ମୋଟ ୨୮ ହଜାର ୯୯୦ ଟଙ୍କା ଉଭାନ ହୋଇଯାଇଥିଲା।

ସମ୍ବନ୍ଧିତ ଖବର