ପିଜିଆଇ ପାଇଁ ବଳି ପଡ଼ିଲା ୪ ଶହ ଗଛ, ବୁଢ଼ା ବରଗଛକୁ ବଞ୍ଚା‌ଇବାକୁ ଦାବି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ସଂପ୍ରସାରଣ ଓ ନୂତନ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ବିଲ୍ଡିଂ ନିର୍ମାଣ ପାଇଁ ବହୁ ପୁରୁଣା ଗଛ କଟାଯାଉଛି। ଏବେ ପ୍ରାୟ ୫୦ବର୍ଷରୁ ଅଧିକ କାଳ ଧରି ଛିଡ଼ା ହୋଇଥିବା ଏକ ବିଶାଳ ବର ଗଛ କଟାଯିବ। ଏହି ଗଛର ପ୍ରାୟ ସମସ୍ତ ବଡ଼ ବଡ଼ ଡାଳ କଟା ସରିଥିବା ବେଳେ ଆଉ କିଛି ଦିନ ପରେ ଏହାର ମୂଳକୁ କଟାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଦୁଃଖର ସହ କହିଛନ୍ତି। ମାତ୍ର ଏହି ବୁଢ଼ା ବରଗଛଟି ବଞ୍ଚୁ ବୋଲି ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ଯେତିକି କଷ୍ଟ ଦେଉନାହିଁ, ବୁଢ଼ା ବରଗଛର ମୃତ୍ୟୁ ସେମାନଙ୍କୁ ସେତିକି ବାଧିବ ବୋଲି ସେମାନେ କହିଛନ୍ତି।

ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲର ପିଜିଆଇ ବିଲ୍ଡିଂ ନିର୍ମାଣ ଓ ହସ୍ପିଟାଲର ସଂପ୍ରସାରଣ କାର୍ଯ୍ୟ ପାଇଁ ଅକ୍ଷୟ କେନ୍ଦ୍ର ବସ୍ତି ଉଚ୍ଛେଦ କରାଯାଉଛି। ଏହି ବସ୍ତିବାସିନ୍ଦାମାନଙ୍କୁ ଏବେ ଶ୍ୟାମପୁର ଅଞ୍ଚଳର ପଣ୍ଡାକୁଦିଆରେ ଛାଡ଼ି ଦିଆଯାଇଛି। ଥଇଥାନ ବ୍ୟବସ୍ଥାରେ ବହୁ ଅବ୍ୟବସ୍ଥା ରହିଛି। ତଥାପି ସେମାନେ ବରଗଛର ଜୀବନ ବଞ୍ଚାଇବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ସେମାନଙ୍କ କହିବା କଥା, ବସ୍ତି ଗଢ଼ି ଉଠିବା ସମୟରୁ ଏହି ଗଛ ରହିଛି। ସେମାନଙ୍କ ଭାବାବେଗ ସହ ଗଛଟିର ସମ୍ପର୍କ ରହିଛି।

ଏହି ଗଛରେ ବସ୍ତିର ଝିଅମାନେ ରଜ ଦୋଳି ଖେଳୁଥିଲେ। ଗଛ ମୂଳେ ଶନି ପୂଜା ହେଉଥିଲା। ଏମିତିକି ଏଠାରେ ସେମାନେ ବିଭିନ୍ନ ପର୍ବପର୍ବାଣୀ ଏକାଠି ପାଳନ କରୁଥିଲେ। ବଡ଼ କଥା ହେଉଛି, କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗ ଓ ହୃଦ୍‌ରୋଗ ବିଭାଗକୁ ଆସୁଥିବା ରୋଗୀମାନେ ଏହି ଗଛ ମୂଳେ ଅପେକ୍ଷା କରୁଥିଲେ। ବର୍ଷା ଖରାରୁ ଏହି ଗଛ ସେମାନଙ୍କୁ ସୁରକ୍ଷା ଦେଉଥିଲା। ମାତ୍ର ଏବେ ଗଛଟି ଅକାଳ ମୃତ୍ୟୁକୁ ଅପେକ୍ଷା କରିଛି। ଗଛଟି ନ କାଟିଲେ ବି ହସ୍ପିଟାଲର ସମ୍ପ୍ରସାରଣରେ କିଛି ସମସ୍ୟା ରହିବ ନାହିଁ। ତେଣୁ ତାକୁ ବଞ୍ଚାଇ ରଖିବାକୁ ବସ୍ତିବାସିନ୍ଦାମାନେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର