୪ହଜାର ଷ୍ଟାମ୍ପ ଭେଣ୍ଡରଙ୍କ ପରିବାର ଅସହାୟ, ସହାୟତା ‌ଯୋଗାଇ ଦେବାକୁ ଦାବି

ପୁରୁଣା ଭୁବନେଶ୍ୱର: ଲକ୍‌ଡାଉନ୍ ଯୋଗୁଁ ରୋଜଗାର ହରାଇଛନ୍ତି ଷ୍ଟାମ୍ପ ଭେଣ୍ଡର୍‌। ରାଜ୍ୟରେ ଥିବା ପ୍ରାୟ ୪ ହଜାରରୁ ଊର୍ଧ୍ବ ଷ୍ଟାମ୍ପ ଭେଣ୍ଡର ଏବେ ଦୁର୍ଦ୍ଦିନରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ଦାବି କରାଯାଇଛି।

ପ୍ରକାଶ ଥାଉକି, ଜମି କିଣାବିକା, ଆଫିଡେଭିଟ୍ ଓ ବିଭିନ୍ନ ଚୁକ୍ତି ପାଇଁ ବ୍ୟବହାରରେ ଲାଗୁଥିବା ଷ୍ଟାମ୍ପ ପେପର୍‌କୁ ଷ୍ଟାମ୍ପ ଭେଣ୍ଡର୍‌ ବିକ୍ରି କରନ୍ତି। ଏହି ଭେଣ୍ଡର୍‌ମାନେ ରାଜ୍ୟ ସରକାରଙ୍କର ରାଜସ୍ୱ ଆଦାୟ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। କରୋନା କଟକଣା ଯୋଗୁଁ ଗତ ମାର୍ଚ ୨୩ ତାରିଖରୁ ଷ୍ଟାମ୍ପ ଭେଣ୍ଡର୍‌ ସଂଘ ପକ୍ଷରୁ ଷ୍ଟାମ୍ପ ପେପର୍‌ ବିକ୍ରି ବନ୍ଦ କରାଯାଇଥିଲା। ପ୍ରଥମେ ସଂଘ ପକ୍ଷରୁ ମାର୍ଚ ୩୧ ପର୍ଯ୍ୟନ୍ତ ଷ୍ଟାମ୍ପ ବିକ୍ରି ବନ୍ଦ ପାଇଁ ଘୋଷଣା କରାଯାଇଥିଲା। ତେବେ ଲକ୍‌ଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି ଯୋଗୁଁ ଏବେ ହାତ ବାନ୍ଧି ବସିଛନ୍ତି ଷ୍ଟାମ୍ପ ଭେଣ୍ଡର। ଫଳରେ ରାଜ୍ୟରେ ୪ହଜାର ଷ୍ଟାମ୍ପ୍‌ ବିକ୍ରେତାଙ୍କ ପରିବାରର ପ୍ରାୟ ୨୦ ହଜାରରୁ ଊର୍ଧ୍ବ ସଦସ୍ୟ ଏବେ ଦୁର୍ଦିନରେ ଦିନ କାଟୁଛନ୍ତି। ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ସେମାନଙ୍କ ପାଇଁ ସହାୟତା ଘୋଷଣା କରିବାକୁ ରାଜ୍ୟ ଷ୍ଟାମ୍ପ ଭେଣ୍ଡର ମହାସଂଘର ସମ୍ପାଦକ ରମକୃଷ୍ଣ ପରିଡ଼ା, ପୂର୍ବତନ ସହ ସମ୍ପାଦକ ବେଣୁଧର ମିଶ୍ର, ଭୁବନେଶ୍ବର ସଂଘର ସଭାପତି ବିଜୟ କୁମାର ପଣ୍ଡା, ପୂର୍ବତନ ସମ୍ପାଦକ ବିନୋଦ କୁମାର ରାଉତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର