ବିଡିଏର ୪୦ ତମ ପ୍ରତିଷ୍ଠା ଦିବସ, ‘ଲୋକଙ୍କ ଭରସା ଅତୁଟ ରହୁ’

ଭୁବନେଶ୍ବର: ଦୀର୍ଘ ୪୦ ବର୍ଷ ଧରି ଲୋକମାନଙ୍କ ଜୀବନଯାପନ ଶୈଳୀକୁ ସରସ ସୁନ୍ଦର କରି ଆସିଥିବା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଲୋକଙ୍କ ଭରସା ଜିତିପାରିଛି। ସମସ୍ତ ବ୍ୟବସ୍ଥା ଅନ୍‌ଲାଇନ୍‌ରେ କରିବା ପରେ ସରକାରଙ୍କ ‘୫-ଟି’ ମନ୍ତ୍ରକୁ ମଧ୍ୟ ପ୍ରତିପାଦିତ କରିପାରିଛି। ତଥାପି ଆମର ଯେତିକି ଦକ୍ଷତା ଅଛି ତାହାର ଆମେ ୨୦ ପ୍ରତିଶତ ବ୍ୟବହାର କରୁଛେ। ଏହା ଯେଭଳି ଶତପ୍ରତିଶତ ବ୍ୟବହାର ହେବ, ଲୋକଙ୍କ ଭରସା ତୁଟିବ ନାହିଁ, ଆଜିର ଦିନରେ ଏହା ହିଁ ସଂକଳ୍ପ ହେଉ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂହ। ଆଜି ବିଡିଏର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ତା’ ସହ ପରିବେଶ ପ୍ରଦୂଷଣ, ବର୍ଷା ଜଳ ଅମଳ ପ୍ରକଳ୍ପ ଉପରେ ସେ ଗୁରୁତ୍ବ ଦେଇଥିଲେ।

ଏହି ଅବସରରେ ମାଟ୍ରିକ୍‌ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବିଡିଏ କର୍ମଚାରୀଙ୍କ ୨ଜଣ ସନ୍ତାନଙ୍କୁ ନଗଦ ଅର୍ଥରାଶି ସହ ସମ୍ବର୍ଦ୍ଧନା ଦେଇଥିଲେ। ରେବତୀକାନ୍ତ କାନୁନ୍‌ଗୋଙ୍କ ଝିଅ ହର୍ଷିତା କାନୁନ୍‌ଗୋ ଓ ଧନଞ୍ଜୟ ପରିଡ଼ାଙ୍କ ଝିଅ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନଗଦ ୫ ହଜାର ଟଙ୍କା ପୁରସ୍କାର ରାଶି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ବିଡିଏର ବାର୍ଷିକ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ବିରିଷ୍ଠ ସହାୟକ ସୁରେନ୍ଦ୍ର ଦାସ ସମସ୍ତଙ୍କୁ ସ୍ବାଗତ କରିଥିଲେ। ସବିତାରାଣୀ ମହାପାତ୍ର ବିଡିଏ କର୍ମଚାରୀ ୟୁନିଅନ୍‌ ଫୋରମ୍‌ ପକ୍ଷରୁ ଧନ୍ୟବାଦ ଅର୍ପଣ କରିବା ଅବସରରେ ପେନ୍‌ସନ୍‌କୁ ନେଇ କର୍ମଚାରୀଙ୍କର ରହିଥିବା ବହୁଦିନର ଦାବି ଉପସ୍ଥାପନ କରିଥିଲେ।

ସ୍ବାଗତ ଭାଷଣ ଦେବା ଅବସର‌ରେ ସଚିବ କବୀନ୍ଦ୍ର କୁମାର ସାହୁ ବିଭିନ୍ନ ସଫଳ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ। ବର୍ଷବର୍ଷ ଧରି ଲିଙ୍ଗରାଜ ବିହାର, ଜାଗମରା ବାରଭୁଜା ମାର୍କେଟ୍ ଓ ରାମଚନ୍ଦ୍ରପୁରରେ ଲାଗି ରହିଥିବା ଜମି ସମସ୍ୟା ଅତି କମ୍‌ ସମୟରେ ସମାଧାନ ହୋଇପାରିଥିବା ସେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଇନାନ୍‌ସ୍‌ ମେମ୍ବର ରୁଦ୍ରନାରାୟଣ ଆଚାର୍ଯ୍ୟ, ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ, ଇଞ୍ଜିନିୟରିଂ ମେମ୍ବର ଅକ୍ଷୟ କୁମାର ବଡ଼ୁ, ଅତିରିକ୍ତ କମିସନର(ଏନ୍‌ଫୋର୍ସମେଣ୍ଟ)ହରିଶ୍ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର