୪୧ ଗାଁ କାଳିଆ ଯୋଜନାରୁ ବଞ୍ଚିତ

ଭୁବନେଶ୍ବର: ରାଜ୍ୟ ସରକାର ଚାଷ ଓ ଚାଷୀଙ୍କର ବିକାଶ ପାଇଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଏପରିକି ରାଜ୍ୟ ସରକାର ୨୫ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଭୁବନେଶ୍ବରର ପ୍ରାୟ ୪୧ଟି ଗାଁର ୨୦ହଜାରରୁ ଅଧିକ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସହରାଞ୍ଚଳରେ ବାସ କରୁଥିବାରୁ ସେମାନଙ୍କୁ ଏହି ଯୋଜନାରେ ସହାୟତା ମିଳିବନି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ପଟିଆରୁ ଆରମ୍ଭ କରି ବରମୁଣ୍ଡା, ଲକ୍ଷ୍ମୀସାଗର, ବଡ଼ଗଡ଼, ଝାରପଡ଼ା, କପିଳେଶ୍ବର, ସୁନ୍ଦରପଦା, ଯଦୁପୁର ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଗାଁରେ ଚାଷୀ ଏବେ କାଳିଆ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏପରିକି ୪୧ଟି ଗାଁର ୨୦ହଜାର ଚାଷୀଙ୍କ ୫୦ହଜାର ଏକରରୁ ଅଧିକ ‌ଚାଷ ଜମି ଥିଲେ ହେଁ ସେମାନଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯାଉନି। ଏନେଇ ଭାରତୀୟ କ୍ଷେତ ମଜଦୁରୁ ୟୁନିଅନ ବା ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା କହିଛନ୍ତି ଯେ, ଯଦି ୧୫ଦିନ ମଧ୍ୟରେ ଭୁବନେଶ୍ବରର ଚାଷୀମାନଙ୍କୁ କାଳିଆ ଯୋଜନାରେ ସାମିଲ୍ କରା ନଯାଏ ତେବେ ସିପିଆଇ ଓ ବିକେଏମ୍‌ୟୁ ପକ୍ଷରୁ ନବୀନ ନିବାସ ଘେରାଉ ହେବ। ଅପର‌ପକ୍ଷେ ଭୁବନେଶ୍ବରର ଚାଷୀମାନଙ୍କୁ କାଳିଆ ଯୋଜନାରେ ସାମିଲ୍ କରିବାକୁ ଦୁଇ ଦିନ ତଳେ ବିଏମ୍‌ସିର ଶେଷ କର୍ପୋରେସନ୍‌ ବୈଠକରେ କର୍ପୋରେଟରମାନେ ଦାବି କରିଥିଲେ। ବୈଠକରେ ସମବାୟ ବିଭାଗ ସଚିବ କ୍ରିଷନ କୁମାର ଉପସ୍ଥିତ ଥିଲେ ହେଁ କିଛି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର