ଭୁବନେଶ୍ୱରରେ ୬୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି: ବିଏମ୍‌ସି କମିସନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୩୭୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩୬୦ ସୁସ୍ଥ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୬୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି ବସ୍ତି ଅଂଚଳରେ ଏପର୍ଯ୍ୟନ୍ତ ୧୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଏବେ ୨୦୭ ଜଣ ସକ୍ରିୟ ଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ୱ ୧୧୩ ଜଣ ବରିଷ୍ଠ ନାଗରିକ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଶେଷ ୧୦ ଦିନରେ ୧୨୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୧୨୬ ଜଣ ସକ୍ରିୟ ଅଛନ୍ତି। ଟେଷ୍ଟିଂ, କଣ୍ଟ୍ରାକ୍ଟ ଟ୍ରେସିଂ ଓ ଚିକିତ୍ସାକୁ ବିଏମ୍‌ସି ଗୁରୁତ୍ୱ ଦେଉଛି। ଆମେ ଟେଷ୍ଟିଂକୁ ଗୁରୁତ୍ୱ ଦେଉଛୁ। ଗତ ସପ୍ତାହରେ ଦିନକୁ ୧୪୦୦ ନମୁନା ଟେଷ୍ଟ ହେଉଥିଲା। ଏବେ ଏହା ପାଖାପାଖି ୧୮୦୦ ନମୁନା ପରୀକ୍ଷା ହେଉଛି।

ଶ୍ରୀ ଚୌଧୁରୀ କହିଛନ୍ତି, ଆମେ ବିଏମ୍‌ସି ଅଧିନରେ ଶୀଘ୍ର ଟେଷ୍ଟିଂ କେନ୍ଦ୍ର କରିବାକୁ ଯାଉଛୁ। ସିଏଚସି ଏବଂ ପିଏସସି ତାଲିକା ଦେବୁ। କେତେକ ସ୍ଥାନରେ ଟେଷ୍ଟିଂ ପାଇଁ ଲୋକେ ଆସୁନାହାନ୍ତି। ଏହା ଆମ ପାଇ ଭଲ ନୁହେଁ। ସରକାରଙ୍କ ଗାଇଡଲାଇନ ଅନୁସାରେ ଆମେ ହୋମ ଆଇସୋଲେସନ ଅନୁମତି ଦେଉଛୁ। ବହୁରୋଗରେ ପୀଡ଼ିତ ଥିଲେ ସରକାରୀ ଆଇସୋଲେସନରେ ଭର୍ତ୍ତି କରୁଛୁ। ଏକ ଭଲ ଟିମ କାମ କରୁଛନ୍ତି। ସୁସ୍ଥ ହେଲେ ଆମେ ଶୀଘ୍ର ରୋଗୀଙ୍କୁ ସ୍ଥାନାନ୍ତର କରୁଛୁ।

ଆଜିର ଦିନରେ ଆମ ପାଖରେ ୩୪୬୧ ଶଯ୍ୟା, ୨୧୮ଟି ଆଇସିୟ ୟୁନିଟ ଏବଂ ୧୧୫ ଭେଣ୍ଟିଲେଟର ଅଛି। ଆମ ପାଖରେ ହସ୍‌ପିଟାଲ ଓ ଶଯ୍ୟା ଭଲ ଅଛି। ଆମକୁ ବିଭିନ୍ନ ଗୋଷ୍ଠୀ ସହଯୋଗ କରୁଛନ୍ତି। ସ୍ୱେଚ୍ଛାସେବୀଙ୍କର ମଧ୍ୟ ସହଯୋଗ ମିଳୁଛି। କୋଭିଡ କେୟାର ହୋମ କରିବା ପାଇଁ ବିଧାୟକ ପାଣ୍ଠିରୁ ସହଯୋଗ ମିଳୁଛି। ୧୯୨ରୁ ଆମେ ରୋଗୀଙ୍କ ସହିତ ଯୋଗାଯୋଗ କରୁଥିଲୁ। ଡାକ୍ତରମାନେ ସକାଳୁ ଓ ସନ୍ଧ୍ୟାରେ ରୋଗୀଙ୍କୁ ଦେଖୁଛନ୍ତି। ଡାକ୍ତରମାନେ ଆମକୁ ରିପୋର୍ଟ ମଧ୍ୟ ଦେଉଛନ୍ତି।

ଭୁବନେଶ୍ୱରରେ କିମ୍ସ, ଆଦିତ୍ୟ, ଅଶ୍ୱିନୀ କୋଭିଡ ହସ୍‌ପିଟାଲ ଅଛି। ଏତଦ୍‌ ବ୍ୟତୀତ କରୋନା ରୋଗୀଙ୍କ ପାଇଁ କୋଭିଡ କେୟାର କେନ୍ଦ୍ରର ବ୍ୟବସ୍ଥା ହୋଇଛି। ହୋମ ଆଇସୋଲେସନରେ ୫୧୫ ଜଣ ଅଛନ୍ତି। ହୋମ ଆଇସୋଲେସନରେ ଥାଇ ୩୨୭ ଜଣ ସୁସ୍ଥ ହୋଇଛନ୍ତି। ହୋମ ଆଇସୋଲେସନରେ ଅସୁବିଧା ହେଲେ ଆମକୁ ଯୋଗାଯୋଗ କରନ୍ତୁ। ଭୁବନେଶ୍ୱରରେ ସଚେତକ ଟିମ ବହୁତ ଭଲ ସହଯୋଗ କରୁଛନ୍ତି। ହୋମ କ୍ୱାରେଣ୍ଟାଇନ ଷ୍ଟିକର, ବାହାର ରାଜ୍ୟରୁ ଆସୁଥିବା ଲୋକ, କଣ୍ଟ୍ରାକ୍ଟ ଟ୍ରେସିଂ ଆଦି କାମ ସଚେତକ ଟିମ କରୁଛନ୍ତି। ସଚେତକ ଟିମମାନେ ସମସ୍ତଙ୍କୁ ସହଯୋଗ କରିବେ। ଓ୍ଵାର୍ଡ କମିଟିକୁ ଆହୁରି ମଜବୁତ କରାଯାଉଛି। ଏଥିପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। କରୋନା ଆହୁରି କିଛି ଦିନ ରହିବ।

କରୋନା ମୁକାବିଲାରୁ ବର୍ତ୍ତିବା ଲାଗି ସମସ୍ତଙ୍କର ସହଯୋଗ ଦରକାର ଅଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ମାସ୍କ ପିନ୍ଧିବା, ଭିଡରେ ଥିବା ବେଳେ ସାମାଜିକ ଦୂରତା ପାଳନ କରିବା ଓ ଠିକ ଭାବରେ ହାତ ଧୋଇବା। କିନ୍ତୁ ଲୋକେ ଏହାକୁ ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। କିଛି ଲୋକ ସାମାଜିକ ଦୂରତା ମାନୁ ନାହାନ୍ତି। କିଛି ଲୋକ ମାସ୍କ ପିନ୍ଧୁଛନ୍ତି କିନ୍ତୁ ଠିକ ଭାବରେ ମୁହଁରେ ଲଗାଉ ନାହାନ୍ତି। ଲୋକଙ୍କ ମଧ୍ୟରେ ଦାୟିତ୍ୱ ରହୁନାହିଁ। ବରିଷ୍ଠ ନାଗରିକ ଓ ବହୁରୋଗରେ ପୀଡ଼ିତ ଥିବା, ଗର୍ଭବତୀ ଓ ଶିଶୁମାନଙ୍କୁ କରୋନାରୁ କେମିତି ଦୂରରେ ରଖିବା, ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା। ବିଏମସି ପକ୍ଷରୁ ୧୯୨୯ ହେଲପ୍‌ଲାଇନ ନମ୍ବର ଜାରି କରାଯାଇଛି। ଇମେଲ ଅଛି। ସଚେତକ ତାଲିକା, ଅଧିକାରୀ ଅଛନ୍ତି। ତେଣୁ ଲୋକମାନେ ଆମ ସହିତ ଯୋଗଯୋଗ କରିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର