କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ଭୁବନେଶ୍ବର: ୧୯୯୮ରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ବିଜେଡିର ଗଡ଼ ଥିଲା ଭୁବନେଶ୍ବର ସଂସଦୀୟ କ୍ଷେତ୍ର। ଲାଗାତାର ଭାବେ ବିଜେଡି ପ୍ରାର୍ଥୀ ବିଜୟ ହୋଇ ଆସୁଥିଲେ। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବାଜି ମାରି ନେଇଥିଲେ। ପାଖାପାଖି ୨୪ ହଜାର ଭୋଟ୍‌ରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାଜିତ କରି ବିଜୟ ହୋଇଥିଲେ। ୫ ବର୍ଷ ମଧ୍ୟରେ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଲିଭାଇଥିବା ଅପରାଜିତା ଏଥର ମଧ୍ୟ ବିଜେପିରୁ ଟିକେଟ୍‌ ହାତେଇ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଟିକେଟ୍‌ ପାଇବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି।

ଏହାରି ମଧ୍ୟରେ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ମନ୍ମଥ ରାଉତରାୟଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ରାଜଧାନୀ ରାଜନୀତିର ସବୁ ଅଙ୍କ ଗୋଳିଆ ହୋଇଯାଇଛି। ମନ୍ମଥଙ୍କ ହଠାତ୍‌ ବିଜେଡିରେ ଯୋଗ‌ଦାନ ଓ ତାଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଥିବାରୁ ଲଢ଼େଇ ରୋଚକ ସ୍ଥିତିରେ ପହଞ୍ଚିଛି। କଂ‌ଗ୍ରେସ ଭୋଟ ବିଜେଡି ଖାତାକୁ ଯିବା ନେଇ ମଧ୍ୟ ଗୋଟିଏ ମହଲରେ ଆକଳନ କରାଯାଉଛି। ବିଜେଡି ଓ ବିଜେପିର ପ୍ରାର୍ଥୀ ଚୂଡ଼ାନ୍ତ ପରେ ଏବେ କଂଗ୍ରେସ ଉପରେ ନଜର ରହିଛି। ଏଯାଏ ଓଡ଼ିଶାର କୌଣସି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବା କଂଗ୍ରେସ, ଭୁବନେଶ୍ବରରେ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଲଢ଼େଇର ରୂପରେଖ ନିର୍ଭର କରୁଛି। କାରଣ ୨୦୧୯ରେ ଦଳ ଏଠାରେ ପ୍ରାର୍ଥୀ ଦେଇ ନ ଥିଲା। ବରଂ ସିପିଆଇ(ଏମ୍‌) ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା। ପରିଣାମ ସ୍ବରୂପ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ମାଟି କାମୁଡ଼ି ପଡ଼ିଥିଲା। ଗୋଟିଏ ବିଧାନସଭା କ୍ଷେତ୍ରରେ ଦଳର ପ୍ରାର୍ଥୀ ବିଜୟ ହୋଇଥିଲେ ମଧ୍ୟ କଂଗ୍ରେସ ସମର୍ଥନରେ ଛିଡ଼ା ହୋଇଥିବା ସିପିଆଇ(ଏମ୍‌) ପ୍ରାର୍ଥୀ ମାତ୍ର ୨୩ ହଜାର ୨୬ ଭୋଟରେ ସନ୍ତୁଷ୍ଟ ହୋଇଥିଲେ। ତେଣୁ ଏଥର କଂଗ୍ରେସ ପୁରୁଣା ତ୍ରୁଟିକୁ ସୁଧାରିବାକୁ ଚାହୁଛି। କଂଗ୍ରେସର ନିଜର ପକେଟ ଭୋଟ ରହିଥିବାରୁ ଏଥର ନିଜର ପ୍ରାର୍ଥୀ ଛିଡ଼ା କରିବାକୁ ମନସ୍ଥ କରିଥିବା ଜଣାପଡ଼ିଛି।

୨୦୧୯ରେ କେବଳ ଜୟଦେବ ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ବାକି ସବୁଠି ବିଜେଡିର ସାଂସଦ ପ୍ରାର୍ଥୀ ପଛରେ ପଡ଼ିଥିଲେ। ଉତ୍ତର ଭୁବନେଶ୍ବରରେ ଅପରାଜିତା ମାତ୍ର ୧୬୯ ଭୋଟରେ ଆଗରେ ରହିଥିବା ବେଳେ ଖୋର୍ଦ୍ଧାରେ ୧୫ ହଜାର, ଏକାମ୍ରରେ ୧୧ ହଜାର, ମଧ୍ୟ ଭୁବନେଶ୍ବରରେ ୧୩ ହଜାର ୫୦୦, ଜଟଣୀରେ ୮୫୧ ଓ ବେଗୁନିଆରେ ପ୍ରାୟ ୩ ହଜାର ଭୋଟରେ ଆଗରେ ଥିଲେ। ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୨୦ ହଜାର ଭୋଟ ଆଗରେ ରହିଥିବାରୁ ପରାଜୟ ବ୍ୟବଧାନ କମିଯାଇଥିଲା। ବିଜେପି ୪ଲକ୍ଷ ୮୬ହଜାର ୯୯୧ ଓ ବିଜେଡି ୪ଲକ୍ଷ ୬୩ହଜାର ୧୫୨ ଭୋଟ ପାଇଥିଲେ।

ସମ୍ବନ୍ଧିତ ଖବର