ପୋଷା ଜୀବଙ୍କ ପାଇଁ କ୍ଷତିକାରକ ବ୍ଲୁଟୁଥ୍‌ ସ୍ପିକର

ବ ନ୍ଧୁମିଳନ କି ପାରିବାରିକ ଉତ୍ସବ ପରି ସାମାଜିକ ସମାବେଶରେ ଆଜିକାଲି ବ୍ଳୁଟୁଥ୍‌ ସ୍ପିକରର ବହୁଳ ବ୍ୟବହାର ଦେଖାଯାଉଛି। କାରଣ ସେଥିରେ ପରିବାହୀ ତାର ଯୋଡ଼ିବାର ଝନ୍‌ଝଟ ନଥାଏ କି ସେଥିରେ ଛନ୍ଦିହୋଇ ଝୁଣ୍ଟି ପଡ଼ିବାର ଆଶଙ୍କା ନଥାଏ। ତେବେ ଏଥିରୁ ନିର୍ଗତ ତୀବ୍ରତର ତରଙ୍ଗଗୁଡ଼ିକ ବିରାଡ଼ି ଓ କୁକୁର ଭଳି ପୋଷାଜୀବମାନଙ୍କ ପାଇଁ କ୍ଷତିକାରକ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ସୁତରାଂ ନିଜ ସୁବିଧା ପାଇଁ ଆମେ ବ୍ୟବହାର କରୁଥିବା ଏହି ସ୍ପିକରଗୁଡ଼ିକ ଆମ ଅଜାଣତରେ ଆମର ପ୍ରିୟ ଗୃହପାଳିତ ଜୀବଙ୍କର କ୍ଷତି ସାଧନ କରୁଛନ୍ତି। ଆମେ ମନୁଷ୍ୟମାନେ ସାଧାରଣତଃ ୨୦ ହର୍ଜରୁ ଆରମ୍ଭ କରି ୨୦ କିଲୋହର୍ଜ ଯାଏ ଫ୍ରିକ୍ବେନ୍‌ସି ବିଶିଷ୍ଟ ଶବ୍ଦ ତରଙ୍ଗଗୁଡ଼ିକ ଶୁଣିପାରୁ। ବିରାଡ଼ି ୬୫ କିଲୋହର୍ଜ ଯାଏ ଓ କୁକୁର ୪୫ କିଲୋହର୍ଜ ଯାଏ ଧ୍ବନିତରଙ୍ଗ ଶୁଣିପାରେ। ଅର୍ଥାତ୍‌ ଆମେ ଶୁଣିପାରୁନଥିବା ଶବ୍ଦ ତରଙ୍ଗଗୁଡ଼ିକୁ ବିରାଡ଼ି ଓ କୁକୁର ସହଜରେ ଶୁଣିପାରନ୍ତି। ଅପରପକ୍ଷେ, ବ୍ଲୁଟୁଥ୍‌ ସ୍ପିକରଗୁଡ଼ିକରୁ ନିର୍ଗତ ତୀବ୍ରତର ଅଶ୍ରୁତ ତରଙ୍ଗଗୁଡ଼ିକ ୨୩ କିଲୋହର୍ଜରୁ ଅଧିକ ଫ୍ରିକ୍ବେନ୍‌ସି ବିଶିଷ୍ଟ ହୋଇଥିବାରୁ ତାହା ଆମକୁ ସିନା ଶୁଣାଯାଏ ନାହିଁ, ମାତ୍ର କୁକୁର ଓ ବିରାଡ଼ିମାନଙ୍କୁ ତାହା ଅକ୍ଳେଶରେ ଶୁଣାଯାଇଥାଏ। ତାହା ସେମାନଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବା ସହ ମାନସିକ ଅବସାଦ ଓ ବିରକ୍ତିଭାବ ସୃଷ୍ଟି କରିଥାଏ।

ସ୍ଥଳବିଶେଷରେ ସେମାନଙ୍କ ଶ୍ରବଣଶକ୍ତି ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କୁକୁର ଓ ବିରାଡ଼ିମାନେ ନିୟମିତ ଭାବେ ତୀବ୍ରତର ତରଙ୍ଗ ସଂସ୍ପର୍ଶରେ ଆସିଲେ ସେମାନଙ୍କ ଆଚରଣରେ ଘୋର ପରିବର୍ତ୍ତନ ଘଟିବା ସହ ସ୍ବାସ୍ଥ୍ୟହାନି ମଧ୍ୟ ହୋଇଥାଏ। ତେଣୁ ଏହି ସମସ୍ୟାର ସମ୍ଭାବ୍ୟ ଦୂରୀକରଣ ପାଇଁ ବ୍ଳୁଟୁଥ୍‌ ସ୍ପିକରଗୁଡ଼ିକର ମୁହଁ ଏହି ପୋଷାଜୀବମାନଙ୍କର ଶୟନସ୍ଥଳୀ କି ପ୍ରିୟସ୍ଥାନଠାରୁ ଟିକେ ଦୂରେଇ ରଖିବା ଦରକାର। ବ୍ଲୁଟୁଥ୍‌ ସ୍ପିକରଗୁଡ଼ିକର ବ୍ୟବହାର କମେଇଦେବା ସହ ସେଥିରୁ ସଂଗୀତ ନ ଶୁଣୁଥିବା ବେଳେ ସେଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଉଚିତ। ଏଥି ସହିତ ଯଦି ସ୍ପିକରରେ ଫ୍ରିକ୍ବେନ୍‌ସି କମ୍-ବେଶୀ କରିହେଉଥାଏ, ତେବେ ପୋଷା ଜୀବମାନଙ୍କୁ ହାବଭାବ ଅନୁଧ୍ୟାନ କରି ସ୍ପିକରର ଫ୍ରିକ୍ବେନ୍‌ସିକୁ ଯଥା ସମ୍ଭବ କମେଇଦେବାକୁ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର