ସେପ୍ଟେମ୍ବର ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବହୁତଳ କାର୍‌ ପାର୍କିଂ

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ରାଜଧାନୀରେ ନିର୍ମାଣ ହୋଇଥିବା ଦୁଇଟି ବହୁତଳ କାର୍‌ ପାର୍କିଂ ସେପ୍ଟେମ୍ବର ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ପରିଚାଳନା ପାଇଁ ସଂସ୍ଥା ଚୟନ କରିବାକୁ ଆର୍‌ଏଫ୍‌ପି(ରିକ୍ବେଷ୍ଟ ଫର୍‌ ପ୍ରପୋଜାଲ୍‌) ଆହ୍ବାନ କରାଯାଇଛି। ବିଏମ୍‌ସି ଦ୍ବାରା ଧାର୍ଯ୍ୟ ହୋଇଥିବା ପାର୍କିଂ ଦର ବାଇକ୍‌ ପିଛା ୧୦ ଟଙ୍କା ଓ କାର୍‌ ପିଛା ୨୦ ଟଙ୍କା ରହିଛି।

ଆଜି ବିଡିଏ କନ୍‌ଫରେନ୍ସ ହଲ୍‌ରେ ବିଏସ୍‌ସିଏଲ୍‌ ଏମ୍‌ଡି ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଉପରେ ଆଲୋଚନା କରାଯାଇଛି। ଏହାର ଉପର ମହଲାରେ ରହିଥିବା କମର୍ସିଆଲ୍‌ କମ୍ପ୍ଲେକ୍ସ ପାଇଁ ମଧ୍ୟ ଲିଜ୍‌ ଆହ୍ବାନ କରାଯିବ। ସେପ୍ଟେମ୍ବର ୩୦ ସୁଦ୍ଧା ଏହାକୁ ଲିଜ୍‌ ଦିଆଯିବ। ଏହା କାର୍ଯ୍ୟକ୍ଷମ ହେଲେ ଏହି ଅଞ୍ଚଳରେ ରାସ୍ତାକଡ଼ ତଥା ବଜାରରେ ପାର୍କିଂ ପାଇଁ ଉପୁଜୁଥିବା ସମସ୍ୟା ସମାଧାନ ହୋଇପାରିବ। ତେବେ ଉଭୟ ଜାଗାରେ ଲୋକଙ୍କୁ ସମସ୍ୟା ହେବାର ଆଶଙ୍କା ପ୍ରକାଶ ପାଇଛି। ସହିଦନଗରରେ ଏହି ପାର୍କିଂ ଜାଗା ବଜାର ଠାରୁ ବହୁ ଦୂରରେ। ଏହି ପାର୍କିଂ ଜାଗାରୁ ବଜାରକୁ ପ୍ରାୟ ଅଧ କିଲୋମିଟର ଚାଲିବାକୁ ପଡ଼ିବ। ଏଣୁ ଲୋକମାନେ ପାର୍କିଂରେ ଗାଡ଼ି ରଖିବେ କି ପୁଣି ରାସ୍ତାକଡ଼ରେ ଏଣେତେଣେ ପାର୍କିଂ କରିବେ, ତାହାକୁ ନେଇ ଆଶଙ୍କା ରହିଛି। ସେହିଭଳି ରାଜମହଲ ବହୁତଳ ପାର୍କିଂରେ ମଧ୍ୟ ଅନୁରୂପ ସ୍ଥିତି। ଏଠାରେ ଗାଡ଼ି ପାର୍କିଂ କରିବା ପରେ ଏକ ନମ୍ବର ହାଟକୁ ଆସୁଥିବା ଲୋକମାନେ ସମସ୍ୟାରେ ପଡ଼ିବେ। କାରଣ ଏହି ପାର୍କିଂ ସ୍ଥଳ ଏକ ନମ୍ବର ହାଟର ବିପରୀତ ପାର୍ଶ୍ବରେ ରହିଛି। ଏଠାରେ ଗାଡ଼ି ପାର୍କିଂ କରିବା ପରେ ଲୋକଙ୍କୁ ଭୂତଳ ରାସ୍ତା ଦେଇ ଏକ ନମ୍ବର ହାଟକୁ ଯିବାକୁ ପଡ଼ିବ। ପ୍ରଥମତଃ ଦୂର ବାଟ ଚାଲିବା ଓ ଗହଳି ରାସ୍ତାରେ ଚାଲିବା କଷ୍ଟକର ହେବାକୁ ଥିବାରୁ ଲୋକେ ଏହି ପାର୍କିଂ ବ୍ୟବହାର କରିବେ ବୋଲି ଆଶା କରାଯାଉନାହିଁ।

ଉଳ୍ଲେଖଯୋଗ୍ୟ ଯେ ସହିଦନଗର, ରୁପାଲି ଆଦି ଅଞ୍ଚଳରୁ ପାର୍କିଂ ସମସ୍ୟା ଦୂର କରିବା ପାଇଁ ସହିଦନଗରସ୍ଥିତ ନନ୍ଦନକାନନ କାର୍ଯ୍ୟାଳୟ ନିକଟରେ ୦.୭୩୪ଏକର ପରିମିତ ଜାଗାରେ ବହୁତଳ କାର୍‌ ପାର୍କିଂ ନିର୍ମାଣ ହୋଇଛି। ଏଥିରେ ବେସ୍‌ମେଣ୍ଟରେ ଅର୍ଥାତ୍ ‌ମାଟି ତଳେ ଦୁଇ ମହଲା ଓ ଉପରେ ୫ଟି ମହଲା ରହିଛି। ଏଥିରେ ସମୁଦାୟ ୨୫୦ଟି କାର୍‌ ପାର୍କିଂ କରାଯିବ। ବାକି ୪ମହଲା ବ୍ୟବସାୟିକ ଉଦ୍ଦେଶ୍ୟରେ ଭଡ଼ା ଦିଆଯିବ। ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ୍ ବିଲ୍ଡିଂ ଅଞ୍ଚଳର ପାର୍କିଂ ସମସ୍ୟାର ସମାଧାନ ପାଇଁ ମାର୍କେଟ୍‌ ବିଲ୍ଡିଂ ସାମ୍ନାରେ ୦.୯୪୬ ଏକର ଜାଗାରେ ବହୁତଳ କାର୍‌ ପାର୍କିଂ ନିର୍ମାଣ ହୋଇଛି। ଏଠାରେ ୪୫୦ଟି କାର୍‌ ରହିପାରିବ। ଏଠାରେ ଥିବା ୭ ମହଲାରୁ ବେସ୍‌ମେଣ୍ଟର ଦୁଇ ମହଲା ରହିବ। ଉଭୟ ଜାଗାରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାମ କରିବ। ପାର୍କିଂସ୍ଥଳୀକୁ ଆସିବା ପୂର୍ବରୁ ଲୋକ ପାର୍କିଂ ଅଞ୍ଚଳ ଫାଙ୍କା ଅଛି କି ନାହିଁ ଜାଣିବା ସହ ଆଗୁଆ ସ୍ଲଟ୍‌ ବୁକିଂ କରିବା ସୁବିଧା ରହିଛି।

ସମ୍ବନ୍ଧିତ ଖବର