ଅଭିନେତ୍ରୀ ବର୍ଷାଙ୍କ ନାଁରେ ଠକେଇ ଅଭିଯୋଗ: ଥାନାରେ ଜବାବ ରଖିଲେ, ବ୍ୟାଙ୍କକୁ ତଥ୍ୟ ମାଗିଲା ପୁଲିସ

ଭୁବନେଶ୍ବର : ରାଜଧାନୀର ଏକ ପ୍ରତିଷ୍ଠିତ ଗହଣା ଦୋକାନରେ ଚାକିରି କରାଇ ଦେବା ବାହାନାରେ ୩୦ ହଜାର ଟଙ୍କା ଠକି ନେଇଛନ୍ତି ବୋଲି ଜଣେ ଯୁବତୀ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଅଭିଯୋଗ କରିଛନ୍ତି। ସହିଦନଗର ଥାନା ପୁଲିସ ଅଭିଯୋଗକାରିଣୀ କଲ୍ୟାଣୀ ନାୟକଙ୍କୁ ପଚରାଉଚରା କରିଥିବା ବେଳେ ବୁଧବାର ଦିନ ବର୍ଷା ନିଜେ ଥାନାକୁ ଆସି ପକ୍ଷ ରଖିଥିଲେ। ଗତ ଜୁଲାଇରେ ତାଙ୍କ ଆକାଉଣ୍ଟକୁ ଏକ ଅଜଣା ଆକାଉଣ୍ଟରୁ ୩୦ହଜାର ଟଙ୍କା ଆସିଥିଲା ଏବଂ ସେ ତୁରନ୍ତ ସେହି ଟଙ୍କାକୁ ସମ୍ପୃକ୍ତ ଆକାଉଣ୍ଟଧାରୀଙ୍କୁ ଫେରସ୍ତ କରିଥିଲେ ବୋଲି ବର୍ଷା ଜବାବରେ କହିଛନ୍ତି। ତେଣୁ ପୁଲିସ ଏହି ଆର୍ଥିକ କାରବାରର ଯାଞ୍ଚ ପାଇଁ ବ୍ୟାଙ୍କକୁ ଚିଠି ଲେଖିଛି।

କଲ୍ୟାଣୀଙ୍କ ଅଭିଯୋଗ ମୁତାବକ ଗତ ମେ’ ମାସରେ କଲ୍ୟାଣୀ ଜନତା ମଇଦାନରେ ମେଳା ବୁଲୁଥିବା ଅବସର‌ରେ ଆୟୂଷି ପ୍ରିୟଦର୍ଶିନୀ, ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଭେଟିଥିଲେ। ସେଠାରୁ କଲ୍ୟାଣୀ ଆୟୂଷୀଙ୍କ ଫୋନ୍‌ ନମ୍ବର ଆଣିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କୁ ଫୋନ୍‌ କରି ଚାକିରିଟିଏ ଯୋଗାଡ଼ କରିବାକୁ କହିଥିଲେ। ବର୍ଷାଙ୍କ ସହ କଥା ହୋଇ ଏକ ପ୍ରତିଷ୍ଠିତ ଗହଣା ଦୋକାନରେ ଚାକିରି କରାଇଦେବେ‌ ବୋଲି ଆୟୁଷି ତାଙ୍କୁ କହିଥିଲେ। ଚାକିରି ପାଇଁ ସେମାନେ ତାଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ତେବେ ପରେ ୩୦ ହଜାର ଟଙ୍କାରେ କଥା ଛିଡ଼ିଥିଲା ଏବଂ ସେ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। କିନ୍ତୁ ପରେ ତାଙ୍କୁ ଚାକିରି ମିଳିନଥିଲା କି ସେମାନେ ତାଙ୍କ ଫୋନ୍‌ ଉଠାଇନଥିଲେ।

ଅପରପ‌କ୍ଷେ ବର୍ଷା କହିଛନ୍ତି ଯେ ଏହା ତାଙ୍କ ବିରୋଧରେ ଏକ ଷଡ଼୍‌ଯନ୍ତ୍ର। ଯେଉଁମାନେ ଚକ୍ରାନ୍ତ କରି ଏଭଳି ଘୃଣ୍ୟ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ବିରୋଧରେ ସେ ଆଇନର ଆଶ୍ରୟ ନେବେ।

ସମ୍ବନ୍ଧିତ ଖବର