ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ୧୧ ମାସ ପରେ ଅଭିଯୁକ୍ତ ଗିରଫ

ଖଣ୍ଡଗିରି : ଜଣେ ମହିଳାଙ୍କୁ ହୋଟେଲରେ ଦୁଷ୍କର୍ମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜ‌ଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ପୁରୀ ସହରର ବିଶ୍ବଜିତ୍ ପଟ୍ଟନାୟକ। ଅଭିଯୋଗର ୧୧ମାସ ପରେ, ପୁଣି ଉଚ୍ଚ ଅଦାଲତଙ୍କ ନିର୍ଦେଶ ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ‌ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ କାହା ଚାପରେ ଓ କେଉଁ ସ୍ବାର୍ଥରେ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଚାପି ରଖିଥିଲା ଓ କୋର୍ଟରୁ ଜାମିନ୍‌ ପାଇଯିବା ପାଇଁ ଅଭିଯୁକ୍ତଙ୍କୁ ସୁଯୋଗ ଦେଉଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାନୁସାରେ, ୨୦୧୮ ଅଗଷ୍ଟରେ ବିଶ୍ବଜିତ୍ ନିଜ ସାହିର ଜଣେ ମହିଳାଙ୍କୁ ନେଇ କୌଣସି କାମରେ ଭୁବନେଶ୍ବର ଆସିଥିଲେ। ସେମା‌ନେ ବରମୁଣ୍ଡାସ୍ଥିତ ଏକ ହୋଟେଲରେ ରହିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, ହୋଟେଲରେ ବିଶ୍ବଜିତ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ମହିଳାଜଣଙ୍କ ଏ ସଂପର୍କରେ ଅଗଷ୍ଟ ୨୩ରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିବା ପାଇଁ ତାଙ୍କ ବୟାନ୍ ରେକର୍ଡ କରାଇବାଠାରୁ ଆରମ୍ଭ କରି ମେଡିକାଲ ଯାଞ୍ଚ ଯାଏଁ ସବୁ କରାଇଥିଲା। କିନ୍ତୁ ବିଶ୍ବଜିତଙ୍କୁ ଗିରଫ କରାଗଲା ନାହିଁ। ଏହା ଏକ ସହମତଭିତ୍ତିକ ଘଟଣା ଥିଲା ବୋଲି କହି ପୁଲିସ ମାମଲାକୁ ଗୁରୁତ୍ବ ଦେଇନଥିଲା। ତେବେ ପୀଡ଼ିତାଜଣଙ୍କ ପଛକୁ ହଟି ନଥିଲେ। ସେ ମାମଲାକୁ ନେଇ ମାନବାଧିକାର କମିସନ, ମହିଳା କମିସନ ଓ ଏମିତି ବିଭିନ୍ନ ଫୋରମ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏ ଭିତରେ ଜାମିନ୍‌ ପାଇଁ ବିଶ୍ବଜିତ୍‌ ଉଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରେ ପୀଡ଼ିତାଙ୍କ ଓକିଲ ବିରୋଧ କରିବାରୁ ଜାମିନ୍‌ ଆବେଦନ ଖାରଜ ହେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଅଦାଲତ ଖଣ୍ଡଗିରି ପୁଲିସକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର