ଆଦିତ୍ୟ ମୃତ୍ୟୁ ମାମଲା : ମାସ ଶେଷ ସୁଦ୍ଧା ଦାଖଲ ହେବ ଷ୍ଟାଟସ୍‌ ରିପୋର୍ଟ

ଶୁଭାଶିଷଙ୍କ ପରେ ବିସ୍ମିଥ୍‌, ଫେସ୍‌ବୁକ୍‌ରେ ପପୁ, ବିକାଶଙ୍କୁ ଟାର୍ଗେଟ୍‌

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ ଚଳିତ ମାସ ଶେଷ ସୁଦ୍ଧା ହାଇକୋର୍ଟରେ ଦାଖଲ ହେବ ଷ୍ଟାଟସ୍‌ ରିପୋର୍ଟ। ହାଇକୋର୍ଟଙ୍କ ଆଦେଶ ମୁତାବକ, କ୍ରାଇମ୍‌ବ୍ରାଞ୍ଚ ଏହି ରିପୋର୍ଟ ଦାଖଲ କରିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ବିଦ୍ୟାଶ୍ରୀ କରିଥିବା ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରିପୋର୍ଟ ଦାଖଲ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଆଦେଶ ଦେଇଥିଲେ। ଅନ୍ୟପଟେ ଏହି ମାମଲାରେ ସୋସିଆଲ ମିଡିଆରେ ମୁହଁ ନ ଖୋଲିବାକୁ ହାଇକୋର୍ଟ ଶୁଭାଶିଷ ଷଡ଼ଙ୍ଗୀଙ୍କୁ ନୋଟିସ୍‌ କରିବା ପରେ ସେ ନିରବ ରହିଛନ୍ତି। କିନ୍ତୁ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏବେ ବିଦ୍ୟାଶ୍ରୀଙ୍କ ବିରୋଧୀ ପୋଷ୍ଟ ବଢ଼ିବାରେ ଲାଗିଛି। ତାଙ୍କ ପରେ ଏବେ ବିସ୍ମିଥ୍‌ ଦାସ ‘ଜଷ୍ଟିସ୍‌ ଫର ଆଦିଶ୍ରୀ’ ନାମରେ ଏକ ଫେସ୍‌ବୁକ୍‌ ଗ୍ରୁପ୍‌ ଖୋଲିଛନ୍ତି। ସେଥିରେ ସେ ପ୍ରତ୍ୟେକ ଦିନ ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି। ଆଜି ଏକ ଭିଡିଓରେ ସେ ସିଧାସଳଖ ପପୁ ଓ ବିକାଶକୁ ଟାର୍ଗେଟ୍‌ କରିଛନ୍ତି। ପପୁ ଓ ବିକାଶଙ୍କ ନାମରେ ଅଲଗା ଅଭିଯୋଗ ଅଛି, ଯାହା ମୁଁ ପରେ ସାମ୍ନାକୁ ଆଣିବି ବୋଲି କହିଛନ୍ତି।

ବିସ୍ମିଥ୍‌ ପ୍ରତ୍ୟେକ ଭିଡିଓରେ ପପୁ ଓ ବିକାଶଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଶିବାୟ ସାହୁ ନାମକ ଜଣେ ଯୁବକ ନିଜ ଫେସ୍‌ବୁକ୍‌ ପେଜ୍‌ରେ ବିଦ୍ୟାଶ୍ରୀଙ୍କୁ ଟାର୍ଗେଟ୍‌ କରି ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି। ବିଦ୍ୟାଶ୍ରୀ ଓ ଅନ୍ୟଜଣେ ଯୁବକଙ୍କର ଟିକ୍‌ଟକ୍‌ ଭିଡିଓ ସେ ଅପ୍‌ଲୋଡ୍‌ କରିଛନ୍ତି। ଯାହାକୁ ସେୟାର କରିଛନ୍ତି ଶୁଭାଶିଷ। ଏଥିରେ ବିଦ୍ୟାଶ୍ରୀଙ୍କୁ ଅନେକ ଅଶ୍ଳୀଳ କମେଣ୍ଟ କରାଯାଇଛି। ଯଦି ଶୁଭାଶିଷଙ୍କୁ ଏହି ମାମଲାରେ ମତ ନ ରଖିବା ପାଇଁ ବାରଣ କରାଯାଇଛି, ତେବେ ଏମାନଙ୍କୁ କାହିଁକି ନୁହେଁ ବୋଲି ମଧ୍ୟ ଅନେକେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର