ଜନପଥ ଯନ୍ତ୍ରଣା ଆଉ ବ‌ର୍ଷେ, ସ୍ମାର୍ଟ ସଲ୍ୟୁସନ ଅଗଷ୍ଟରୁ

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ନିକଟ‌ ଭବିଷ୍ୟତରେ ଜନପଥ ଯନ୍ତ୍ରଣାରୁ ମୁକ୍ତି ମିଳିବାର ନାହିଁ। ସ୍ମାର୍ଟ ଜନପଥ କାର୍ଯ୍ୟ ଅକ୍ଟୋବର, ୨୦୧୯ରେ ‌ଶ‌େଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହି ଧାର୍ଯ୍ୟ ସମୟ ପୂରିବା ପରେ ବି ଏହାର ଅଧା କାମ ହୋଇପାରିନି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ ଏବେ କହୁଛନ୍ତି ଯେ, ସ୍ମାର୍ଟ ଜନପଥ କାମ ନଭେମ୍ବର, ୨୦୨୦ରେ ସରିବ।

ଦୁଇ ବର୍ଷ ହେଲା ଜନପଥକୁ ସ୍ମାର୍ଟ ଜନପଥ କରିବା ପାଇଁ ବିଏସ୍‌ସିଏଲ୍ ପକ୍ଷରୁ ଜନପଥ ଖୋଳା ତଡ଼ା କାମ ଚାଲିଛି। ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ ୫.୮କିମି ରାସ୍ତାକୁ ଏକ ନୂଆ ରୂପ ‌ଦେବା ପାଇଁ କାମ ହେଉଥିଲେ ହେଁ ରାଜଧାନୀବାସୀଙ୍କ ପାଇଁ ଏହା ଯନ୍ତ୍ରଣା ପାଲଟିଛି।ସ୍ମାର୍ଟ ସିଟି ପ୍ରକଳ୍ପ ତିନି ବର୍ଷ ହେଲା ଆରମ୍ଭ ହୋଇଛି। ସ୍ମାର୍ଟ ଜନପଥ କାମ ଅକ୍ଟୋବର, ୨୦୧୭ରୁ ଆରମ୍ଭ ହୋଇଛି। ଆର୍‌କେଡିକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ଏହି କାମ ଦୁଇ ବର୍ଷ ଭିତରେ ସରିବାକୁ କୁହାଯାଇଥିଲା। କିନ୍ତୁ କାମ ସରିବାର ନାଁ ଧରୁନି। ଏବେ କହୁଛନ୍ତି ତିନି ବର୍ଷରେ ସରିବ। କାମ କିପରି ଶୀଘ୍ର ସରିବ ସେ ନେଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଚିନ୍ତା ନ କରି ଆଳ ଦେଖାଇବା ଆରମ୍ଭ କରିଛନ୍ତି। କହୁଛନ୍ତି ଯେ, ବାତ୍ୟା ଫନି ଯୋଗୁଁ କାମ ବନ୍ଦ ହେଲା, ହକି ବିଶ୍ବକପ୍‌ ଆ‌େୟାଜନ ଯୋଗୁଁ ବନ୍ଦ ହେଲା, ବର୍ଷା ହେଲା ବନ୍ଦ ହେଲା। ଯେତିକି ଦିନ କାମ ବନ୍ଦ ହୋଇଛି, ସେଥିପାଇଁ କ’ଣ ବର୍ଷେ ବିଳମ୍ବ ହେବ ବୋଲି ‌ପ୍ରଶ୍ନ ଉଠିଲାଣି। ଘରୋଇ ସଂସ୍ଥା ପ୍ରୀତିରେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏବେ ରାଜଧାନୀବାସୀଙ୍କୁ ଯନ୍ତ୍ରଣା ଦେଉଛନ୍ତି ବୋଲି ଅଭିଯୋଗ ହେଲାଣି।
ସୂଚନାଯୋଗ୍ୟ ଯେ, ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାକୁ ସ୍ମାର୍ଟ ଜନପଥରେ ପରିଣତ କରିବାର ଇତି ମଧ୍ୟରେ ବର୍ଷେ ବିତିଗଲାଣି। ହକି ବିଶ୍ବକପ୍‌ ପୂର୍ବରୁ ତରବରିଆ ଭାବେ ଏହି କାମ ସରିଗଲା। ଏପରିକି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ରାସ୍ତାରେ ଅଧା କାମ ସରିଛି। କିନ୍ତୁ ହଠାତ୍ ପ୍ରାୟ ୭ମାସ କାମ ନ ହେବାରୁ ଏହି ପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିବା ନେଇ ଦ୍ବନ୍ଦ୍ବ ଉପୁଜି ଥିଲା। ସ୍ମାର୍ଟ ଜନପଥ ପାଇଁ ଏବେ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ କାମ ଚାଲିଥିବା ବେଳେ ଅଧା ରାସ୍ତା ଖୋଳି ଦିଆଯାଇଛି। ବର୍ଷା ଦିନରେ ଏହି ରାସ୍ତା ଖୋଳି ଦିନ ଦିନ ଧରି କାମ ବନ୍ଦ କରି ଦିଆଗଲା। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଏହି ରାସ୍ତାରେ ଏବେ ଯାତାୟାତ କରିବାକୁ ଲୋକ ଡରୁଛନ୍ତି।

ଆଜି ଉନ୍ନୟନ କମିସନର ସୁ‌ର‌େଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଏସ୍‌ସିଏଲ୍‌ର ୧୪ତମ ବୋର୍ଡ ବୈଠକରେ ସ୍ମାର୍ଟ ଜନପଥ କାମ ନଭେମ୍ବର, ୨୦୨୦ରେ ସରିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହେବାକୁ ଥିବା ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପକୁ ଅଗଷ୍ଟ,୨୦୨୦ ସୁଦ୍ଧା ସାରିବାକୁ କୁହାଯାଇଛି। ଏହାଦ୍ବାରା ଲୋକମାନେ ସମସ୍ତ ଅଭିଯୋଗ ଅନଲାଇନ୍‌ରେ କରିବେ ଏବଂ ଅନଲାଇନ୍‌ରେ ଏହାର ସ୍ଥିତି ଜାଣିପାରିବେ। ସମସ୍ୟା କିପରି ତୁରନ୍ତ ସମାଧାନ ହେବ ସେଥିପାଇଁ ତ୍ବରିତ ପଦକ୍ଷେପ ନିଆଯିବ। ଏହି ବୈଠକରେ ବିଏସ୍‌ସିଏଲ୍‌ର ୨୦୧୮-୧୯ ବାର୍ଷିକ ଆର୍ଥିକ କାରବାରକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ବସିଥିବା ଏହି ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ପ୍ରେମ କୁମାର ଝା, ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ, ବିଏସ୍‌ସିଏଲ୍‌ ସିଇଓ ପ୍ରେମଚନ୍ଦ୍ର ଚୌଧରୀ ଏବଂ ଅନ୍ୟ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର