ତାତିଲେ ସଫେଇ କର୍ମଚାରୀ

ଭୁବନେଶ୍ବର: ଇପିଏଫ୍‌, ଇଏସ୍‌ଆଇ ତଥା ଅନ୍ୟାନ୍ୟ ଦାବି ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଶ୍ରମିକ ୟୁନିଅନ ବିଏମ୍‌ସିକୁ ୩ ଘଣ୍ଟା ଅଚଳ କରି ଦେଇଥିଲେ। ଦୁଇଟି ଯାକ ଫାଟକ ବନ୍ଦ କରି ଶତାଧିକ କର୍ମଚାରୀ ବସି ରହିବା ସହ ନାରାବାଜି କରିଥିଲେ। ଦୁଆର ମୁହଁରେ ଆବର୍ଜନା ଜମା କରି କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡ଼ିନଥିଲେ। ଏପରିକି ମେୟର ମଧ୍ୟ ବାହାରେ ଗଛମୂଳେ ବସିଥିଲେ। ଅତିରିକ୍ତ କମିସନର ଠିକା ସଂସ୍ଥାଙ୍କୁ ଡାକି ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୧୨ଟା ବେଳକୁ ଫାଟକ ଖୋଲିଥିଲା। ତେବେ ଏତେ ସବୁ ହଟ୍ଟଗୋଳ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ କମିସନର ଘଟଣାସ୍ଥଳକୁ ଆସିନଥିଲେ।

ଗତକାଲି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ସମାନ ଦାବି ନେଇ ନୂଆ ଠିକା ସଂସ୍ଥାଙ୍କ ଅଧୀନରେ କାମ କରିବା ମନା କରିଦେବାରୁ ୧୩ ୱାର୍ଡରୁ ଆବର୍ଜନା ଉଠି ପାରିନଥିଲା। ଆଜି ଏଭଳି ପରିସ୍ଥିତି ଓ ଚେତାବନୀ ପୁଣି ଥରେ ବିମ୍‌ସି ବୁଦ୍ଧି ହଜାଇ ଦେଇଛି। ସାରା ଦିନ ଆଜି ଏହାକୁ ନେଇ ବିଏମ୍‌ସିରେ ତନାଘନା ହୋଇଛି। ପରିମଳ ବ୍ୟବସ୍ଥାରେ ଦିନକୁ ଦିନ ଉପୁଜୁଥିବା ସମସ୍ୟାର କ’ଣ ସମାଧାନ କରାଯାଇ ପାରିବ ସେ ନେଇ ମାନସମନ୍ଥନ ହୋଇଥିବା ଜଣାପଡ଼ିଛି।

୩ଘଣ୍ଟା ଅଚଳ କରିଦେଲେ ବିଏମ୍‌ସି
ବାହାରେ ବସିଲେ ମେୟର, ଆସିଲେନି କମିସନର
୧୫ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ

ବିଏମ୍‌ସି ୧୦ଟି ୱାର୍ଡର ସଫେଇ ଦାୟିତ୍ବ ନିଜ ହାତରେ ରଖିଥିବା ବେଳେ ୫୭ ୱାର୍ଡ ଠିକାସଂସ୍ଥା କରୁଥିଲେ। ଏହି ୧୦ଟି ୱାର୍ଡରେ ଭୁବନେଶ୍ୱର ମହାନଗର ନିଗମ ଶ୍ରମିକ ୟୁନିଅନର ଏହି ସଫେଇ କର୍ମଚାରୀମାନେ କାମ କରୁଥିଲେ। ଏବେ ବିଏମ୍‌ସି ସମସ୍ତ ୱାର୍ଡ‌ରେ ଠିକା ସଂସ୍ଥାଙ୍କ ଜରିଆରେ ସଫେଇ କରିବାକୁ ଯାଉଛି। ଏଣୁ ଏମାନେ ଏବେ ପ୍ରମାଦ ଗଣିଛନ୍ତି। ଠିକାସଂସ୍ଥା ଇପିଏଫ୍, ଇଏସ୍‌ଆଇ ଓ ଅନ୍ୟାନ୍ୟ ଦାବି ପୂରଣ କରୁନଥିବାରୁ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି। ଏହାକୁ ଆଖି ଆଗରେ ରଖି ୟୁନିଅନ ୧୦ ଦଫା ଦାବି ପତ୍ର ବିଏମ୍‌ସିକୁ ପ୍ରଦାନ କରିଛି। ୧୫ ଦିନ ଭିତରେ ସମାଧାନ ନ ହେଲେ ସେମାନେ କାମ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ସର୍ବନିମ୍ନ ମଜୁରି ପ୍ରଦାନ, ସମସ୍ତ ଶ୍ରମିକଙ୍କୁ ସ୍ଥାୟୀ କରିବା, ସାପ୍ତାହିକ ପର୍ବପର୍ବାଣୀ ଛୁଟି, ଦରମା ଚିଠା, ପରିଚୟ ପତ୍ର ପ୍ରଦାନ ସହ ଆଇନଗତ ଛୁଟି ପ୍ରଦାନ କରିବା ରହିଥିଲା।

ଏ ନେଇ ଶ୍ରମିକମାନଙ୍କ ସହ ଆଲୋଚନା ପରେ ବିଏମସି କର୍ତ୍ତୃପକ୍ଷ ଦାବିଗୁଡ଼ିକ ପୂରଣ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଶ୍ରମିକମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ତ୍ରିପାକ୍ଷିକ କମିଟି ଗଠନ ହେବା ସହିତ ପ୍ରତି ତିନିମାସରେ ଥରେ କମିଟି ବୈଠକ ବସିବ। ଶ୍ରମିକମାନଙ୍କର ସମସ୍ୟାର ସମାଧାନ କରିବ ବୋଲି ନିଷ୍ପତ୍ତି ହୋଇଛି। କେବଳ ଶ୍ରମିକମାନଙ୍କୁ ସ୍ଥାୟୀ କରାଯିବା ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଆଜିର ଆନ୍ଦୋଳନରେ ୟୁନିଅନ୍‌ର ଉପସଭାପତି ସତ୍ୟାନନ୍ଦ ବେହେରା, ସାଧାରଣ ସମ୍ପାଦକ ଗୁରୁବାରୀ ନାୟକ, ପ୍ରଭାତ ପାଣିଗ୍ରାହୀ, ବିଶ୍ବନାଥ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର