ଅଦାଲତୀ ମାମଲା ପାଇଁ ଏମ୍‌ସରେ ଟେକ୍‌ନିସିଆନ୍‌ ମରୁଡ଼ି

ଭୁବନେଶ୍ବର : ଅଦାଲତୀ ମାମଲା ପାଇଁ ଭୁବନେଶ୍ୱର ଏମ୍‌ସର ବିଭିନ୍ନ ବିଭାଗରେ କର୍ମଚାରୀ ମରୁଡ଼ି ସୃଷ୍ଟି ହେଉଛି। ବିଭିନ୍ନ ପାଥୋଲାବ୍‌ଗୁଡ଼ିକରେ ବହୁ ଟେକ୍‌ନିସିଆନ୍‌ ପଦ ଅଦାଲତି ମାମଲାରେ ଛନ୍ଦି ହୋଇ ଖାଲି ପଡ଼ିଛି। ଫଳରେ ଚିକିତ୍ସା ପୂର୍ବରୁ ଆବଶ୍ୟକ ପରୀକ୍ଷାଗୁଡ଼ିକ ଠିକଣା ସମୟରେ ହୋଇପାରୁ ନଥିବାରୁ ରୋଗୀମାନେ ସମସ୍ୟାରେ ପଡ଼ୁଛନ୍ତି। ବିଶେଷକରି ଏହି କାରଣରୁ ମଡ୍ୟୁଲାର୍ ଅପରେସନ୍ ଥିଏଟର୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବା ସମ୍ଭବ ହୋଇପାରୁନାହିଁ। ନିଯୁକ୍ତି ପ୍ରକ୍ରିୟାରେ ରହିଯାଉଥିବା କିଛି କିଛି ତ୍ରୁଟି ପାଇଁ ଏଭଳି ସ୍ଥିତି ଉପୁଜୁଥିବା ବେଳେ ରୋଗୀସେବାରେ ଘୋର ବାଧକ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।

ସୂଚନାନୁସାରେ, ଭୁବନେଶ୍ବର ଏମ୍‌ସରେ ୨୫ଟି ମଡ୍ୟୁଲାର୍ ଓଟି ପ୍ରତିଷ୍ଠା ହୋଇସାରିଛି ଓ ସେଥିରୁ ୧୫ଟି କାର୍ଯ୍ୟକ୍ଷମ ହେଉଛି। ବାକି ୧୦ଟି ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଡାକ୍ତର ଅଭାବ ସାଙ୍ଗକୁ ଟେକ୍‌ନିସିଆନ୍‌ ଅଭାବ ଏଥିପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। ୧୨୫ ଡାକ୍ତର ପଦ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ପରିଚାଳନା କମିଟିର ମଞ୍ଜୁରି ମିଳି ନଥିବାରୁ ସେମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଇପାରିନାହିଁ। ସେହିଭଳି ଟେକ୍‌ନିସିଆନ୍‌ ନିଯୁକ୍ତି ପାଇଁ ପ୍ରକ୍ରିୟା ସରିଥିଲେ ମଧ୍ୟ ମାମଲା କୋର୍ଟକୁ ଯାଇଥିବାରୁ ‌ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳି ପାରୁନାହିଁ। ଫଳରେ ଦଶ ଦଶଟି ଅତ୍ୟାଧୁନିକ ମଡ୍ୟୁଲାର୍ ଓଟି ଓ ଆଇସିୟୁ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି। କେବଳ ସେତିକି ନୁହେଁ, ଟେକ୍‌ନିସିଆନ୍ ପଦ ଖାଲି ପଡ଼ିଥିବାରୁ ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା ପାଇଁ ସପ୍ତାହ ସପ୍ତାହ ଅପେକ୍ଷା କରିବାକୁ ପଡ଼ୁଛି। ସମୟ ସମୟରେ କିଛି କିଛି ପରୀକ୍ଷା ପାଇଁ ରୋଗୀମାନଙ୍କୁ ବାହାର ପାଥୋଲାବ୍ ଉପରେ ନିର୍ଭର କରିବାକୁ ପଡ଼ୁଛି ଓ ସେଥିପାଇଁ ଗରିବ ରୋଗୀମାନଙ୍କୁ ଅଯଥାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।

ସୂଚନାନୁସାରେ, ନିକଟରେ ନର୍ସ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଚାଲିଥିବା ମାମଲା କୋର୍ଟରେ ଖାରଜ ହୋଇଥିବାରୁ ପ୍ରାୟ ୮୦ଜଣ ନର୍ସଙ୍କୁ ନିଯୁକ୍ତି ମିଳି ସାରିଛି। ମାତ୍ର ବିଭିନ୍ନ ପାଥୋଲାବ୍‌ ଟେକ୍‌ନିସିଆନ୍‌ ନିଯୁକ୍ତି ମାମଲା କୋର୍ଟରେ ପଡ଼ି ରହିଛି। ଏହାବାଦ୍ ଗ୍ରୁପ୍ ବି- ନନ୍ ଫାକ୍‌ଲଟି ପଦ ମଧ୍ୟ ପୂରଣ ହୋଇପାରିନାହିଁ। ଏହି କାରଣରୁ କିଛି ନର୍ସିଂ ଅଫିସର୍‌ ଓ ପାରାମେଡିକାଲ ଅଫିସର୍‌ଙ୍କ ନିଯୁକ୍ତି ହୋଇପାରୁନାହିଁ। ଅନ୍ୟପକ୍ଷରେ ଆଉଟ୍‌ସୋର୍ସିଂ ଜରିଆରେ କିଛି କାମ କରାଯାଉଥିଲେ ମଧ୍ୟ ତାହା ଏମ୍‌ସ ଉପରେ ନିର୍ଭର କରୁଥିବା ରୋଗୀ ସଂଖ୍ୟାର ଚାପକୁ ଯଥେଷ୍ଟ ହେଉନାହିଁ ବୋଲି ଜଣାପଡ଼ିଛି। ତେଣୁ ତୁରନ୍ତ ଏ ଦିଗରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର