କରୋନା ଆତଙ୍କ ନେଇ ଅଦ୍ଭୁତ ପରିସ୍ଥିତି : ଚାଲିଛି ତୁଳସୀ ପାଲା

କଟକ : ସହରର ସବୁ ତୁଳସୀଗଛ ସବୁ ଏବେ ଥୁଣ୍ଟା। ଖରା ପ୍ରଭାବ ପାଇଁ ନୁହେଁ, କରୋନା ଆତଙ୍କ ପରେ ‌ଲୋକେ ତୁଳସୀ ପତ୍ର ତୋଳିନେବାରୁ ସବୁ ଗଛ ଏପରି ଲଣ୍ଡା ହୋଇଯାଇଛି। ତୁଳସୀପତ୍ର ଖାଇଲେ, ଶରୀରରେ କରୋନା ପ୍ରଭାବ ପଡ଼ିବ ନାହିଁ। ଏପରି ଏକ ଗୁଜବ ସୋସିଆଲ୍‌ ମିଡିଆରେ ଭାଇରାଲ ‌ହେବା ପରେ ସହରରେ ତୁଳସୀପତ୍ର ସଂଗ୍ରହ ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲିଛି। କଟକ ଶଙ୍କରପୁରରେ କିଛି ‌ଲୋକଙ୍କ ବାଡ଼ିରୁ ତୁଳସୀପତ୍ର ଚୋରି ହୋଇଥିବାବେଳେ ସିଡିଏ ସେକ୍ଟର-୬ରେ ତୁଳସୀପତ୍ର ତୋଳାକୁ ନେଇ ଦୁଇ ଉଚ୍ଚଶିକ୍ଷିତ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କଟକ ସମେତ ଭୁବନେଶ୍ବରର ଅଧିକାଂଶ‌ ସ୍ଥାନରେ ଏବେ ତୁଳସୀପତ୍ର ମିଳୁ ନଥିବା ଜଣାପଡ଼ିଛି।

‘ପୁରୀ ବଡ଼ପଣ୍ଡାଙ୍କୁ ସ୍ବପ୍ନାଦେଶ ହୋଇଛି, ଓଡ଼ିଶାରେ କରୋନା ଭାଇରସ୍ ପ୍ରବେଶ କରିସାରିଛି, ଓଡ଼ିଶାରେ ଯେତେ ଲୋକ ଅଛନ୍ତି, ପିଲାଠାରୁ ବୁଢ଼ାଯାଏ ସମସ୍ତେ ସୂର୍ଯ୍ୟ ଉଦୟ ପୂର୍ବରୁ ହାତଗୋଡ଼ ଧୋଇ ୭ଟି ତୁଳସୀପତ୍ର ଜଗନ୍ନାଥଙ୍କ ନାମ ନେଇ ଖାଇଲେ, ରୋଗର କୌଣସି ପ୍ରଭାବ ପଡ଼ିବ ନାହିଁ।’ ଏପରି ମେସେଜ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତୁଳସୀପତ୍ର ପାଇଁ ଲୋକଙ୍କ ଉତ୍କଣ୍ଠା କହିଲେ ନ ସରେ। ଏଥିପାଇଁ ଲୋକେ ଫୁଲ ଦୋକାନଠାରୁ ଆରମ୍ଭ କରି ଯେଉଁଠି ମିଳିଲା, ସେଠାରୁ ତୁଳସୀପତ୍ର ସଂଗ୍ରହ କ‌ରିଚାଲିଛନ୍ତି। ଲୋକ ନିଜ ବାଡ଼ି, ଚଉରାରେ ଥିବା ତୁଳସୀ ଗଛରୁ ପତ୍ର ସଂଗ୍ରହ କରିବା ପରେ ପାଖ ପଡ଼ୋଶୀଙ୍କ ଚଉରାକୁ ମଧ୍ୟ ଛାଡ଼ୁ ନାହାନ୍ତି। ସିଡିଏ ସେକ୍ଟର-୬ରେ ରହୁଥିବା ଦୁଇ ପଡ଼ୋଶୀ ଜଣେ ଅଧ୍ୟାପକ ଓ ଜଣେ ଇନ୍‌କମ୍‌ ଟ୍ୟାକ୍ସ ଅଫିସ୍‌ରଙ୍କ ପରିବାର ମଧ୍ୟରେ ତୁଳସୀପତ୍ର ତୋଳାକୁ ନେଇ ଗଣ୍ଡଗୋଳ ଘଟିଛି। ପାଚେରି ମଧ୍ୟରେ ଥିବା କୁଣ୍ଡରୁ ପତ୍ରତୋଳା ପ୍ରତିଯୋଗିତା ଚାଲିଥିବା ବେଳେ ଶେଷରେ କୁଣ୍ଡଟି ତଳେ ପଡ଼ି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ତୁଳସୀପତ୍ର ପ୍ରସଙ୍ଗ ପ୍ରଚାର ହେବା ପରେ ଶଙ୍କରପୁରରେ କିଛି ‌ବାସିନ୍ଦାଙ୍କ ଘର ଓ ବାଡ଼ିରୁ ତୁଳସୀପତ୍ର କୁଣ୍ଡ ସହିତ ଗଛ ଚୋରି ହୋଇଥିବା ସୂଚନା ମିଳିଛି। ରାତି ୮ଟାରେ ପରେ ସହରର ସବୁ ଫୁଲ ଦୋକାନରେ ତୁଳସୀପତ୍ର ମିଳୁ ନ ଥିବା ଜଣାପଡ଼ିଛି। ଏପରି ହୋଇଛି ଯେ ଠାକୁରଙ୍କ ନୀତି ପାଇଁ ଆସନ୍ତାକାଲିଠାରୁ ତୁଳସୀ ମିଳିବ କି ନାହିଁ ତାହା ଏବେ ସନ୍ଦେହରେ।

ସମ୍ବନ୍ଧିତ ଖବର