‘ଯକ୍ଷ୍ମାମୁକ୍ତ ଭାରତ’ ଲକ୍ଷ୍ୟରେ ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମାକେନ୍ଦ୍ର

ଭୁବନେଶ୍ବର: ୨୦୨୫ ସୁଦ୍ଧା ‘ଯକ୍ଷ୍ମାମୁକ୍ତ ଭାରତ’ର ଲକ୍ଷ୍ୟକୁ ଆଗରେ ରଖି ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମାକେନ୍ଦ୍ର କ୍ୟାପିଟାଲ ହସପିଟାଲ  ତା’ର ନିର୍ଦ୍ଧାରିତ ଗତିପଥରେ ଆଗେଇ ଚାଲିଛି । ୨୦୨୧ରେ ବାର୍ଷିକ ୩୭୬୦ ଯକ୍ଷ୍ମାରୋଗୀ ନିରୂପଣର ଲକ୍ଷ୍ୟ ରଖି ଜିଲ୍ଲା ଯକ୍ଷ୍ମାକେନ୍ଦ୍ର ଭୁବନେଶ୍ୱର ୨୯୬୮ ଯକ୍ଷ୍ମାରୋଗୀ ନିରୂପିତ କରିଛି। ବାର୍ଷିକ ପ୍ରାୟ ୮୦୦ ଯକ୍ଷ୍ମାରୋଗୀ ସଚେତନତା ଅଭାବରୁ ରୋଗ ନିରୂପିତ ନହୋଇ ଅବହେଳିତ ଅବସ୍ଥାରେ ରହୁଛନ୍ତି, ଯାହାକି ନୂତନ ଯକ୍ଷ୍ମା ସଂକ୍ରମଣକୁ ପ୍ରୋତ୍ସାହିତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମା ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ସମସ୍ତ ଅଧିକାରୀ ଏବଂ କର୍ମକର୍ତ୍ତାମାନେ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ବସ୍ତି
ଏବଂ ବଜାର ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରି ଲୋକମାନଙ୍କ ମଧ୍ୟରେ ଯକ୍ଷ୍ମାରୋଗଜନିତ କୁସଂସ୍କାର ତଥା ସାମାଜିକ ଭୟ ଦୂର କରିପାରୁଛନ୍ତି ଏବଂ ସରକାରଙ୍କ ଦ୍ୱାରା ଯକ୍ଷ୍ମା ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ସଚେତନ କରିଥାନ୍ତି।

ଏହା ବ୍ୟତୀତ ପ୍ରତିମାସରେ ବିଭିନ୍ନ ବସ୍ତିରେ କ୍ୟାମ୍ପ କରାଯାଇ ଲକ୍ଷଣଯୁକ୍ତ ରୋଗୀଠାରୁ କଫ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥାଏ। ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବାରୁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀମାନେ ଚିକିତ୍ସିତ ହେବାକୁ ଆସିଥାନ୍ତି । ରୋଗୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି
ଭୁବନେଶ୍ୱରର ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯକ୍ଷ୍ମା ରୋଗ ସମ୍ବନ୍ଧିତ ପରାମର୍ଶ, ରୋଗ ନିରୂପଣ ଏବଂ ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ ଅଟେ ।
କ୍ୟାପିଟାଲ ହସପିଟାଲ ଏବଂ ଭୁବନେଶ୍ୱରରେ ଅବସ୍ଥିତ ଭେଷଜ ମହାବିଦ୍ୟାଳୟ (ସରକାରୀ ତଥା ବେସରକାରୀ) ମାନଙ୍କରେ ଅତ୍ୟାଧୁନିକ ପଦ୍ଧତିରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସିବିନାଟ୍ ଏବଂ ଟ୍ରୁନଟ୍ ମେସିନରେ ଅତି କମ୍ ସମୟ ମଧ୍ୟରେ ଯକ୍ଷ୍ମାରୋଗ ନିରୂପିତ ହୋଇପାରୁଛି ।

ଯକ୍ଷ୍ମା ରୋଗୀମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଔଷଧ ସେବନ ସହିତ ପୁଷ୍ଟିକର ଖାଦ୍ୟ ପାଇଁ  ସରକାରଙ୍କ ତରଫରୁ ଯକ୍ଷ୍ମାରୋଗୀଙ୍କୁ ପ୍ରତିମାସରେ ୫୦୦ଟଙ୍କା (ଚିକିତ୍ସା ସମାପ୍ତ ହେବା ପର୍ଯ୍ୟନ୍ତ) ଦିଆଯାଇଥାଏ। ଭୁବନେଶ୍ୱର ମହାନଗର ନିଗମରେ ଯକ୍ଷ୍ମାରୋଗ ସମ୍ବନ୍ଧିତ ସୁପରିଚାଳନା ନିମନ୍ତେ କ୍ୟାପିଟାଲ ହସପିଟାଲ ଯକ୍ଷ୍ମା ୟୁନିଟ, ସହିଦ ନଗର ଯକ୍ଷ୍ମା ୟୁନିଟ ଏବଂ ପଟିଆ ଯକ୍ଷ୍ମା ୟୁନିଟି ଆଦି ୩ ଭାଗରେ ବିଭକ୍ତ କରାଯାଇଛି।

ସମ୍ବନ୍ଧିତ ଖବର