ଝାରପଡ଼ା ଜେଲରେ କଏଦୀଙ୍କୁ ନିର୍ଯାତନା ଅଭିଯୋଗ, ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ

ଵାର୍ଡରଙ୍କୁ ମାଡ଼ ମାରିବା ନେଇ କଏଦୀଙ୍କ ବିରୋଧରେ ହୋଇଛି ମାମଲା

ଭୁବନେଶ୍ବର: ଝାରପଡ଼ା ଜେଲ ଭିତରେ ନିର୍ଯାତନା ଦିଆ ଯାଇଥିବା ନେଇ ଜଣେ କଏଦୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ମୁଖ୍ୟ ବିଚାରପତିଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏୟାର୍‌ଫିଲ୍ଡ ଥାନାର ଏକ ମାମଲାରେ ୨୦୨୦ ଜୁନ୍ ୧୬ ତାରିଖରେ ବୋତଣ୍ଡା ଅଞ୍ଚଳର ରାକେଶ ବେହେରା ଓରଫ୍ ରାକାକୁ ପୁଲିସ ଗିରଫ କରିଥିଲା। ରାକେଶ ଜଣେ ପେସାଦାର ଅପରାଧୀ ହୋଇଥିବାରୁ ତା’ ବିରୋଧରେ ଜାତୀୟ ନିରାପତ୍ତା ଆଇନ(ଏନଏସଏ)ରେ ମାମଲା ରୁଜୁ ହୋଇଥିଲା। ରାକେଶର ଅଭିଯୋଗ ଅନୁସାରେ, ୨୦୨୦ ନଭେମ୍ବର ୧୧ ତାରିଖରେ ସେ ଫୋନ୍ କରିବା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିଲା। ଓକିଲଙ୍କ ଫୋନ୍ ଲାଗିବାରେ ବିଳମ୍ବ ହୋଇଥିଲା। ବିଳମ୍ବ ହେଉଛି ବୋଲି କହି ଜଣେ ଵାର୍ଡର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।

ଏହା ପରେ ସେ ଵାର୍ଡକୁ ଚାଲି ଯାଇଥିଲେ। ପରେ ପୁଣି ୮ରୁ ୧୦ ଜଣ ଵାର୍ଡର ତାଙ୍କ ଵାର୍ଡ ଭିତରକୁ ଯାଇ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେହି ମାଡ଼ରେ ସେ ଆହତ ହୋଇଥିଲେ। ଏବେ ମଧ୍ୟ ତାଙ୍କ ଶରୀରରେ ଚିହ୍ନ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜେଲ୍ ଅଧୀକ୍ଷକ ଡିଏନ୍ ବାରିକ କହିଛନ୍ତି ରାକେଶଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଫୋନ୍ କରିବାରେ ବିଳମ୍ବ ହେବାରୁ ଜଣେ ଵାର୍ଡର ତାଙ୍କୁ ତାଗିଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାକେଶ ସମ୍ପୃକ୍ତ ଵାର୍ଡରଙ୍କୁ ମାଡ଼ ମାରିଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର