ସଟ୍‌ଡାଉନ୍ ପୂର୍ବରୁ ଅସମ୍ଭାଳ ଭିଡ଼, ଭିଡ଼ରେ ଆମ୍ବୁଲାନ୍‌ସ ଅଣନିଶ୍ବାସୀ

ଭୁବନେଶ୍ବର : ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ହେବ। ଟ୍ରାଫିକ୍ ଭିଡ଼ରେ ଫସି ରହିଥିଲା ଆମ୍ବୁଲାନ୍‌ସ। ଗୋଟିଏ ରସୁଲଗଡ଼ ଓଭରବ୍ରିଜ୍ ଓ ଆଉ ଗୋଟିଏ ପଳାଶୁଣୀ ଛକ ନିକଟ‌‌ରେ। ଆମ୍ବୁଲାନ୍‌ସରେ ରୋଗୀ କଟକ ଆଡ଼କୁ ଯାଉଥିଲେ। କିନ୍ତୁ ଭିଡ଼ ଏତେ ଥିଲା ଯେ ଆମ୍ବୁଲାନ୍‌ସ ଆଗକୁ ଯାଉଥିଲା ନା ପଛକୁ। ଶନିବାର ଓ ରବିବାର ସାପ୍ତାହିକ ଦୁଇଦିନିଆ ସଟ୍‌ଡାଉନ୍ ପୂର୍ବରୁ ଶୁକ୍ରବାର ଅସମ୍ଭାଳ ଭିଡ଼ରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଦୁଇ ଦୁଇଟି ଆମ୍ବୁଲାନ୍‌ସ। ରାଜଧାନୀରେ ସ୍ବତନ୍ତ୍ର ଭାବେ ଆମ୍ବୁଲାନ୍‌ସ କରିଡର୍‌ ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ତାହା କେବଳ ଘୋଷଣାରେ ରହି ଯାଇଛି।

ଦୁଇ ଦିନିଆ ସଟ୍‌ଡାଉନ୍ ହେବା ପୂର୍ବରୁ ଆଜି ରାଜଧାନୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ବଜାରଠାରୁ ଆରମ୍ଭ କରି ରାସ୍ତାଘାଟ ଗାଡ଼ିରେ ଭର୍ତି ହୋଇଥିଲା। ବିଶେଷକରି ଅପରାହଣ୍‌ରୁ ଭିଡ଼ ବଢ଼ିଥିଲା। ଏଭଳି ଭିଡ଼ରେ ଫସି ଯାଇଥିଲା ଦୁଇଟି ୧୦୮ ଆମ୍ବୁଲାନ୍‌ସ। ଅଧଘଣ୍ଟା କାଳ ଫସି ରହିବା ପରେ କଟକ ଆଡ଼ୁକୁ ଯାଇଥିଲା। ଆମ୍ବୁଲାନ୍‌ସ ଯେପରି ବିନା ବାଧାରେ ଚଳାଚଳ କରିବ, ସେଥିପାଇଁ ରାଜଧାନୀରେ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌ ପାଇଁ ପ୍ରାୟ ୫ବର୍ଷ ତଳେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ଏକାଧିକ ବୈଠକ ମଧ୍ୟ ବସିଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଖାଲି ଆଜି ନୁହେଁ, ଏହା ପୂର୍ବରୁ ବହୁବାର ଆମ୍ବୁଲାନ୍‌ସ ଏଭଳି ଭିଡ଼ ଭିତରେ ଫସି ରହିଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର